ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ ଥିବା ବିଭିନ୍ନ ପାର୍କ ଭ୍ରମଣରେ ଆସୁଥିବା ଲୋକଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ପକ୍ଷରୁ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଓଡ଼ିଶା ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଏହି ନିର୍ଦ୍ଦେଶାବଳୀ ଦିଆଯାଇଛି। ପାର୍କ ଓ ସର୍ବ ସାଧାରଣ ସ୍ଥାନମାନଙ୍କରେ ଉପଯୁକ୍ତ ଆଚରଣ ପ୍ରଦର୍ଶନ କରିବା ପାଇଁ ଏଥିରେ କୁହାଯାଇଛି।

ଗାଇଡଲାଇନ ଅନୁସାରେ ଶିଶୁମାନଙ୍କ ଖେଳିବା ପାଇଁ ପାର୍କରେ ଯେଉଁ ସବୁ ଉପକରଣ ରହିଛି ତାକୁ ଅନ୍ୟ କେହି ବ୍ୟବହାର କରି ପାରିବେ ନାହିଁ। ଏହି ସବୁ ଉପକରଣକୁ ଅକାମି କରିବା ଓ ସେସବୁକୁ ଘୋଡ଼ାଇ ରଖିବା ପାଇଁ ପାର୍କ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ। ଯେଉଁମାନେ ପାର୍କକୁ ଆସିବେ ସେମାନେ ସବୁ ସମୟରେ ମୁହଁରେ ମାସ୍କ ବାନ୍ଧି ରଖିବେ ଓ ତାଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ ହେବ। ପାର୍କ ଭିତରେ ପାନ ଗୁଟଖା ଚୋବାଇବା ବା ପାନ ଛେପ ପକାଇବାକୁ ନିଷେଧ କରାଯାଇଛି।

ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଆର୍ଥିକ ଦଣ୍ଡ ବିଧାନ କରାଯିବ ବୋଲି ଗାଇଡ୍ଲାଇନରେ ସ୍ପଷ୍ଟ ଭାବରେ କୁହାଯାଇଛି।

ରାଜଧାନୀ ଭୁବନେଶ୍ୱରର ଦିନକୁ ଦିନ କରୋନା ବଢ଼ିବା ପରେ ବିଏମ୍‌ସି ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି। କେବଳ ପାର୍କ ନୁହେଁ ହାଟ, ବଜାର ଓ ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ମଧ୍ୟ ବିଏମସି କଡ଼ା ନଜର ରଖିଛି।

Comment