ଓଡ଼ିଶାଲାଇଭ୍ ବ୍ୟୁରୋoxygen_covid19

ଦେଶରେ କରୋନା ପଜିଟିଭ୍ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବାବେଳେ, କିଛି ପ୍ରମୁଖ ରାଜ୍ୟରେ ଦେଖା ଦେଇଛି ଅମ୍ଲଜାନ ସଙ୍କଟ।

କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି। ଦେଶରୁ ଦୈନିକ ଲକ୍ଷେ ଲକ୍ଷେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗୋଟିଏ ପଟେ ସଂକ୍ରମଣର ଡର ଅନ୍ୟପଟେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି କରୋନା ଆକ୍ରାନ୍ତ। କିଛି ରାଜ୍ୟରେ ପଜିଟିଭ୍ ସଂଖ୍ୟା ଅଧିକ ଥିବାରୁ, ହସ୍ପିଟାଲଗୁଡ଼ିକରେ ଦେଖା ଦେଇଛି ଅମ୍ଲଜାନ ସଙ୍କଟ।

ଭାରତର ଅମ୍ଲଜାନ ଉତ୍ପାଦନ କରିବାର କ୍ଷମତା

ଶିଳ୍ପ ବିଶେଷଜ୍ଞମାନଙ୍କ ମତରେ, ଭାରତ ପାଖରେ ୭ହଜାର ମେଟ୍ରିକ ଟନ୍ ମେଡିକାଲ ଅମ୍ଲଜାନ ଉତ୍ପାଦନ କରିବାର କ୍ଷମତା ରହିଛି। ଦେଶରେ ‘ଆଇନକ୍ସ ଏୟାର ପ୍ରଡକ୍ଟ’ ସବୁଠାରୁ ଅଧିକ ଅମ୍ଲଜାନ ଉତ୍ପାଦନ କରିଥାଏ। ପ୍ରତିଦିନ ୨୦୦୦ ଟନ୍ ଅମ୍ଲଜାନ ଏହିଠାରୁ ଉତ୍ପାଦନ କରାଯାଇଥାଏ। ଏହାଛଡ଼ା ଲିଣ୍ଡେ ଇଣ୍ଡିଆ, ଗୋୟଲ ଏମ୍‌ଜି ଗ୍ୟାସେସ ପ୍ରାଇଭେଟ୍ ଲିମିଟେଡ, ନାସନାଲ ଅକ୍ସିଜେନ ଲିମିଟେଡ ଆଦି କମ୍ପାନିଗୁଡ଼ିକ ମଧ୍ୟ ଅମ୍ଲଜାନ ପ୍ରସ୍ତୁତ କରିଥାନ୍ତି।oxygenକାହିଁକି ଅମ୍ଲଜାନ ସଙ୍କଟ

କରୋନା ମହାମାରୀ ସମୟରେ ଦେଶରେ ପ୍ରଥମ ଥର ପାଇଁ ଅମ୍ଲଜାନର ଆବଶ୍ୟକତା ବଢ଼ିଛି। ରୋଗୀଙ୍କ ଚିକିତ୍ସା ପାଇଁ ଦୈନିକ ୫ହଜାର ମେଟ୍ରିକ ଟନ୍‌ର ଅମ୍ଲଜାନ ଆବଶ୍ୟକତା ରହିଥିବାବେଳେ, ଦେଶରେ ତା’ଠାରୁ ଅଧିକ ଅମ୍ଲଜାନ ଉତ୍ପାଦନ କରାଯାଉଛି। କିନ୍ତୁ ଏତେମାତ୍ରାରେ ଉତ୍ପାଦନ ସତ୍ତ୍ୱେ ଦେଶରେ କାହିଁକି ଦେଖା ଦେଇଛି ଅମ୍ଲଜାନ ସଙ୍କଟ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅମ୍ଲଜାନର ଯୋଗାଣ ଓ ବିତରଣ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଛି। ହସ୍ପିଟାଲରେ ବ୍ୟବହୃତ ହେଉଥିବା ଅମ୍ଲଜାନ, ଇସ୍ପାତ କାରଖାନାରେ ବ୍ୟବହୃତ ହେଉଥିବା ଅମ୍ଲଜାନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଅମ୍ଲଜାନ ତରଳ ହୋଇଥିବାରୁ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାପାଇଁ ‘କ୍ରାୟୋଜେନିକ୍‌’ ଟ୍ୟାଙ୍କରର ଆବଶ୍ୟକତା ପଡ଼େ। ଯାହା ବର୍ତ୍ତମାନ ସମୟରେ ପର୍ଯ୍ୟାପ୍ତ ପରିମାଣରେ ନଥିବାରୁ ଏଭଳି ସମସ୍ୟା ଦେଖା ଦେଇଛି।

ଅନ୍ୟପଟେ ଅମ୍ଲଜାନ ସିଲିଣ୍ଡର ଯେତିକି ରହିବା କଥା, ତାହାଠାରୁ ବହୁତ କମ୍ ରହିଛି। ଫଳରେ ହସ୍ପିଟାଲମାନଙ୍କୁ ତରଳ ଅମ୍ଲଜାନ ଯୋଗାଇବାରେ ଅସୁବିଧା ହେଉଛି। ହସ୍ପିଟାଲମାନଙ୍କରେ ସାଧାରଣତଃ ‘ଜମ୍ବୋ’, ‘ଡୁରା’ ସିଲିଣ୍ଡରର ବ୍ୟବହାର କରାଯାଇଥାଏ। ଯଦିବା ଦେଶରେ ଅମ୍ଲଜାନ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କରାଯାଉଛି, ତେବେ ତାକୁ ଗଚ୍ଛିତ କରି ରଖିବାକୁ ହସ୍ପିଟାଲମାନଙ୍କରେ ଷ୍ଟୋରେଜର ବ୍ୟବସ୍ଥା ନାହିଁ।

ହସ୍ପିଟାଲରେ ଅମ୍ଲଜାନ ସିଲିଣ୍ଡର ପହଞ୍ଚିବାକୁ ପାଖାପାଖି ୬ରୁ ୮ ଦିନ ସମୟ ଲାଗିଥାଏ। କିନ୍ତୁ ଏବେ କରୋନା କାଳରେ ନିର୍ଦ୍ଧାରିତ ସମୟରେ ହସ୍ପିଟାଲରେ ଅମ୍ଲଜାନ ସିଲିଣ୍ଡର ପହଞ୍ଚିପାରୁନଥିବାରୁ, ରୋଗୀମାନେ ପ୍ରାଣ ହରାଉଛନ୍ତି।

ଅମ୍ଲଜାନ ପାଇଁ କେଉଁ ରାଜ୍ୟ ଅଧିକ ପ୍ରଭାବିତ

ଯେଉଁ ରାଜ୍ୟମାନଙ୍କରେ ସଂକ୍ରମଣ ହାର ଅଧିକ ରହିଛି, ସେହିସବୁ ରାଜ୍ୟଗୁଡ଼ିକରେ ଦେଖା ଦେଇଛି ଅମ୍ଲଜାନ ସଙ୍କଟ। ମହାରାଷ୍ଟ୍ରରରେ ସବୁଠାରୁ ଅଧିକ ପଜିଟିଭ୍ କେସ୍ ଚିହ୍ନଟ ହେଉଥିବାରୁ, ସେଠାରେ ଅମ୍ଲଜାନର ସଙ୍କଟ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଦୈନିକ ସଂକ୍ରମଣ ପାଖାପାଖି ୨୫ହଜାର ରହିଥିବାରୁ, ସେଠାରେ ମଧ୍ୟ ଦେଖା ଦେଇଛି ଅମ୍ଲଜାନ ସଙ୍କଟ। ସେହିପରି ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ପଞ୍ଜାବରେ ମଧ୍ୟ ଅମ୍ଲଜାନ ସମସ୍ୟା ଦେଖା ଦେଇଛି।oxygen_covid19_indiaଅମ୍ଲଜାନ ଅଭାବରୁ ମରୁଛନ୍ତି ରୋଗୀ

ଅମ୍ଲଜାନ ଅଭାବ ଯୋଗୁଁ ଗତ ୨୪ଘଣ୍ଟା ମଧ୍ୟରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ୨୫ଜଣ କରୋନା ପଜିଟିଭ୍‌ଙ୍କ ମୃତ୍ୟୁ ହୋଇଥିବାବେଳେ, ସେଠାରେ ଚକିତ୍ସିତ ହେଉଥିବା ଆଉ ୬୦ଜଣ ଆକ୍ରାନ୍ତଙ୍କ ଅମ୍ଲଜାନ ଅଭାବରୁ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ରହିଛି। ସେହିପରି ଜୟପୁର ଗୋଲଡେନ ହସ୍ପିଟାଲରେ ମଧ୍ୟ ୨୫ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ହସ୍ପିଟାଲରେ ୩ଶହ ରୋଗୀ ଭର୍ତ୍ତି ହୋଇଥିବାବେଳେ, ୪୮ ରୋଗୀ ଆଇସିୟୁରେ ଅଛନ୍ତି। ଏଠାରେ ଯେତିକି ଅମ୍ଳଜାନ ଗଚ୍ଛିତ ହୋଇ ରହିଛି, ତାହା ଆଉ ୧ଘଣ୍ଟା ମଧ୍ୟରେ ସରିଯିବ ବୋଲି ଗୋଲଡେନ ହସ୍ପିଟାଲର କର୍ତ୍ତୁପକ୍ଷ କହିଛନ୍ତି।

କର୍ପୋରେଟ୍ ଯୋଗାଇବେ ଅମ୍ଲଜାନ

ଦେଶରେ କରୋନା ମହାମାରୀ ସମୟରେ ସହାୟତାର ହାତ ବଢ଼ାଇଛନ୍ତି କର୍ପୋରେଟ୍‌ର ଜଗତ। ସବୁଠାରେ ଅମ୍ଲଜାନକୁ ନେଇ ଯେଉଁ ସଙ୍କଟ ଦେଖା ଦେଇଛି, ତାହାକୁ ଦୂର କରିବା ପାଇଁ ଆଗକୁ ଆସିଛି ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା। ଟାଟା ଗ୍ରୁପ ତରଳ ଅମ୍ଲଜାନ ପରିବହନ ନିମନ୍ତେ ୨୪କ୍ରାୟୋଜେନିକ କଣ୍ଟେନର ଆମଦାନି କରିଛି। ସେହିପରି ରିଲାଏନ୍ସ ଦିନକୁ ୭ଶହ ଟନ ଅମ୍ଲଜାନ ମାଗଣାରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା ଗୁଜୁରାଟ ଜାମନଗର ଠାରେ ଥିବା ରିଫାଇନାରିର ମାନୁଫାକଚରିଙ୍ଗ କ୍ଷମତାକୁ ବୃଦ୍ଧି କରିଛି।

ଅନ୍ୟପଟେ ଜେଏସ୍‌ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛନ୍ତି। ଅନୁଗୁଳ ସ୍ଥିତ ଥିବା ଜେଏସ୍‌ପିଏଲ କମ୍ପାନିରେ ୫ଶହ ଟନ୍‌ରୁ ଅଧିକ ତରଳ ଅମ୍ଲଜାନ ଗଚ୍ଛିତ ଥିବା ଟୁଇଟ କରି ଜଣାଇଛନ୍ତି। ମହାମାରୀ ବିରୋଦ୍ଧରେ ଚାଲିଥିବା ଲଢ଼େଇରେ ଜେଏସ୍‌ପିଏଲ୍ କମ୍ପାନି ସବୁବେଳେ ଦେଶ ସହିତ ରହିଛି ଏବଂ ରହିବ କହିଛନ୍ତି, ଜେଏସ୍‌ପିଏଲ୍ ଅଧ୍ୟକ୍ଷ। କମ୍ପାନି ୨୦୨୦ବର୍ଷରେ ୭୨୫ ଟନ୍ ତରଳ ଅମ୍ଲଜାନ ଯୋଗାଇଥିଲା।

୨୦୨୦ବର୍ଷରେ ପ୍ରଥମେ ଭାରତକୁ ପ୍ରବେଶ କରିଥିଲା ମହାମାରୀ କରୋନା। ଯଦିବା ସେହି ସମୟରେ ଅମ୍ଲଜାନ ସଙ୍କଟ ଏତେମାତ୍ରାରେ ଦେଖା ଦେଇନଥିଲା କିନ୍ତୁ ଏଥିପ୍ରତି ସତର୍କ ରହିଥିଲା ଦେଶ। ବିଭିନ୍ନ ରାଜ୍ୟରେ ୧୬୨ଟି ଅମ୍ଲଜାନ କାରଖାନାର ପ୍ରତିଷ୍ଠା ପାଇଁ କୁହାଯାଇଥିଲା। ଏଥିପାଇଁ ୨୦୧.୫୮ କୋଟି ଟଙ୍କା ପିଏମ୍ କେୟାର ଫଣ୍ଡରୁ ଦିଆଯାଇଛି ବୋଲି ଦାବି କରିଛି ବିଜେପି। ରିପୋର୍ଟ ଅନୁସାରେ ବର୍ଷକ ପରେ ମାତ୍ର ୩୩ଟି କାରଖାନା ତିଆରି କରାଯାଇଥିବା ଜାଣିବାକୁ ମିଳିଛି। ଯଦି ଅମ୍ଲଜାନ କାରଖାନାଗୁଡ଼ିକ ଠିକ୍ ସମୟରେ ପ୍ରତିଷ୍ଠା କରାଯାଇଥାନ୍ତା, ତେବେ ଦେଶରେ ଆଜି ଯେଉଁ ପରିସ୍ଥିତି ଦେଖା ଦେଇଛି, ତାହାହୁଏତ କେବେ ଦେଖା ଦେଇନଥାନ୍ତା ବୋଲି ଚର୍ଚ୍ଚା ହେଉଛି।

Comment