ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ନିର୍ବାଚନ କମିସନ ଦାୟୀ। ରାଜନୈତିକ ଦଳମାନଙ୍କର ପ୍ରଚାର ଯୋଗୁଁ ପୁଣିଥରେ ଦେଶରେ କରୋନା ଗ୍ରାଫ ଉପରମୁହାଁ ହୋଇଛି। ଯଦି ନିର୍ବାଚନ କମିସନ ରାଲିକୁ ଅନୁମତି ଦେଇନଥାନ୍ତେ, ତେବେ ଦେଶରେ ଏଭଳି ପରିସ୍ଥିତି ଉପୁଜିନଥାନ୍ତା କହିଛନ୍ତି ମାଡ୍ରାସ ହାଇକୋର୍ଟ।

ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍ ଆର୍ ବିଜୟଭାସ୍କର ଆବେଦନ କରିଥିଲେ ଯେ, କରୁର ନିର୍ବାଚନ ମଣ୍ଡଳୀରେ ୭୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ମେ’ ୨ରେ ହେବାକୁ ଥିବା ଭୋଟ୍ ଗଣନାରେ କଟକଣା ବଜାୟ ରଖିବାକୁ ନିର୍ବାଚନ କମିସନଙ୍କୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହାର ଶୁଣାଣି କରି ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ବିଚାରପତି ସେନ୍ତିଲକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି।

ରାଲି କରୁଥିବା ସମୟରେ ରାଜନୈତିକ ଦଳମାନେ କୌଣସି କରୋନା ଗାଇଡଲାଇନକୁ ମାନୁନଥିଲେ ମଧ୍ୟ ନିର୍ବାଚନ କମିସନ ତାଙ୍କ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିଲେ। ଏଭଳି ଦାୟିତ୍ୱହୀନ କାର୍ଯ୍ୟ ପାଇଁ ନିର୍ବାଚନ କମିସନଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର ବୋଲି କହି କଡ଼ା ସମାଲୋଚନା କରିଛନ୍ତି ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ।

ଅନ୍ୟପଟେ ମେ’୨ ରେ ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଭଲ ନଥିବାବେଳେ, କେମିତି ପ୍ରକାଶ ପାଇବ ଫଳାଫଳ, ସେନେଇ ଆଗୁଆ ରିପୋର୍ଟ ଦାଖଲ କରିବେ ନିର୍ବାଚନ କମିସନ। ଯଦି ରିପୋର୍ଟ ପ୍ରକାଶ ନକରିପାରିବେ, ତେବେ ତାମିଲନାଡ଼ୁରେ ଭୋଟ ଗଣତି ବନ୍ଦ କରାଯିବ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ।

ତାମିଲନାଡ଼ୁରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ କଟକଣାକୁ କଡ଼ାକଡ଼ି କରିଛନ୍ତି ତାମିଲନାଡୁ ସରକାର। ରିପୋର୍ଟ ଅନୁସାରେ ତାମିଲନାଡ଼ୁରେ ୧୦ଲକ୍ଷରୁ ଅଧିକ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ରବିବାର ରାଜ୍ୟରୁ ପ୍ରାୟ ୧୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

Comment