ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇଥିଲେ ଟିକା ନେବେ ନା ନାହିଁ? ଯଦି ନେବେ ତାହେଲେ କେତେ ଦିନ ପରେ ନେବେ? ଏଭଳି କିଛି ପ୍ରଶ୍ନ ଏବେ ବି ଲୋକଙ୍କ ଭିତରେ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମଳନୀରେ ଏହି ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।

ଡାକ୍ତର ଗୁଲେରିଆଙ୍କ କହିବା ଅନୁସାରେ, ଯେତେବେଳେ ଆପଣ କରୋନାରୁ ସୁସ୍ଥ ହେଉଛନ୍ତି, ତା’ପରେ ୪ରୁ ୬ ସପ୍ତାହ ଯାଏ ଅପେକ୍ଷା କରନ୍ତୁ। ଆପଣଙ୍କଠାରେ ଦେଖାଯାଉଥିବା ସବୁ ଲକ୍ଷଣ ଠିକ୍‌ ହେବା ପରେ ଯାଇ ଟିକା ନିଅନ୍ତୁ। କୋଭିଡରୁ ସୁସ୍ଥ ହେବା ପରେ ଟିକା ନେବା ଜରୁରୀ। କାରଣ ଥରେ କୋଭିଡ ହେଲେ ଆଉ ଥରେ ଯେ ହେବ ନାହିଁ ସେମିତି କୌଣସି ତଥ୍ୟ ନାହିଁ।

କୌଣସି କାରଣରୁ ଯଦି ଆପଣ ପ୍ରଥମ ଡୋଜ୍‌ ଟିକା ନେବା ପରେ ଦ୍ୱିତୀୟ ଡୋଜ୍‌ ନେବାକୁ ବିଳମ୍ବ ହେଉଛି ଆପଣଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ। କାରଣ ଦ୍ୱିତୀୟ ଡୋଜ୍‌ ଟିକା ନେବାରେ ଯଦି କିଛି ଦିନ ବା ସପ୍ତାହ ବିଳମ୍ବ ହୁଏ ଏହାର ଅର୍ଥ ନୁହେଁ ଯେ, ପ୍ରଥମ ଡୋଜ୍‌ ଟିକାର ପ୍ରଭାବ ରହିବ ନାହିଁ। ଦ୍ୱିତୀୟ ଡୋଜ୍‌ ଟିକା ନେବା ଜରୁରୀ। ଏଥିରେ କିଛି ଦିନ ବିଳମ୍ବ ହେଲେ କୌଣସି ସମସ୍ୟା ନାହିଁ। ତେଣୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ।

ଏହାସହିତ ସେ ଦେଶବାସୀଙ୍କୁ ଟିକା ନେଇ କରୋନା ଚେନ୍‌କୁ ଭାଙ୍ଗିବାକୁ ଅନୁରୋଧ କରିଛନ୍ତି। ଦେଶ ଏବେ ସଙ୍କଟ ସମୟ ଦେଇ ଗତି କରୁଛି ତେଣୁ କରୋନା ଔଷଧ, ଅକ୍ସିଜେନ, ରେମଡେସିଭରକୁ ଦୁର୍ବ୍ୟବହାର ନକରିବାକୁ ସେ କହିଛନ୍ତି।

Comment