ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗରେ ବିଜେପିକୁ ମାତ୍‌ ଦେଇ ଟିଏମ୍‌ସି ବିପୁଳ ବିଜୟ ହାସଲ କରିଛି। ୨୦୦ରୁ ଅଧିକ ଆସନରେ ବିଜୟୀ ହେବା ସହିତ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସି ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ ସରକାର କରିବାକୁ ଯାଉଛି। ଟିଏମ୍‌ସିର ଏହି ବିଜୟ ପରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ପ୍ରଶାନ୍ତ କିଶୋର। କାରଣ ଚଳିତ ଥର ଟିଏମ୍‌ସି ପାଇଁ ନିର୍ବାଚନୀ ରଣତନୀତି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ, ଆଉ ତାଙ୍କ ଗୋଟି ଚାଳନାରେ ଫେଲ୍‌ ମାରିଛି ବିଜେପି।

ପ୍ରଶାନ୍ତ କରିଥିଲେ ଭବିଷ୍ୟବାଣୀ

ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବେଳେ ୨୦୦ ଆସନରେ ଜିତିବ ବୋଲି ବାରମ୍ବାର ଦାବି କରିଥିଲା ବିଜେପି। ହେଲେ ପ୍ରଶାନ୍ତ କିଶୋର କରିଥିଲେ, ‘‘ପଶ୍ଚିମବଙ୍ଗରେ ବିଜେପି ଦୁଇ ଅଙ୍କ ଡେଇଁ ପାରିବ ନାହିଁ। ଯଦି ବିଜେପି ଦୁଇ ଅଙ୍କ ଅତିକ୍ରମ କରେ ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି’’।

ପ୍ରଶାନ୍ତ କିଶୋରଙ୍କ ଏହି ଭବିଷ୍ୟବାଣୀ ସତ ହୋଇଛି। ବିଜେପି ଏଠାରେ ୨ ଅଙ୍କ ଟପି ପାରିନି। ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହ୍ୟାଟ୍ରିକ ମାରିଛନ୍ତି।ରାଜନୀତିରୁ ସନ୍ନ୍ୟାସ ନେଲେ ପ୍ରଶାନ୍ତ

ପ୍ରଶାନ୍ତ କିଶୋର ଆଉ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ନାହିଁ। ପଶ୍ଚିମବଙ୍ଗ ନିର୍ବାଚନ ପରେ ଏହି କାର୍ଯ୍ୟରୁ ସେ ସନ୍ନ୍ୟାସ ନେଉଥିବା ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ୧୦୦ ଅଙ୍କ ଛୁଇଁ ପାରିବ ନାହିଁ ବୋଲି ଭବିଷ୍ୟବାଣୀ କରିଥିଲେ ପ୍ରଶାନ୍ତ। ଯଦି ତାଙ୍କ କଥା ଭୁଲ ପ୍ରମାଣିତ ହୁଏ, ତେବେ ସେ ନିର୍ବାଚନୀ ରଣନୀତି ପ୍ରସ୍ତୁତ କାର୍ଯ୍ୟ ଛାଡ଼ିଦେବେ ବୋଲି କହିଥିଲେ। କିନ୍ତୁ ରବିବାର ନିର୍ବାଚନ ଫଳ ବାହିରିବା ପରେ ତାଙ୍କ ଭବିଷ୍ୟବାଣୀ ସତ ହୋଇଛି। ଏହା ବାଦ୍ ବି ସେ ରଣନୀତି ପ୍ରସ୍ତୁତ କାର୍ଯ୍ୟରୁ ନିଜକୁ ଦୂରେଇ ନେଇଛନ୍ତି।

ପ୍ରଶାନ୍ତ କିଶୋର କିଏ?

ବିହାର ରୋହତକ ଜିଲ୍ଲାର ଏକ ଛୋଟ ଗାଁ କୋନାରରେ ୧୯୭୭ ମସିହାରେ ଜନ୍ମ ହୋଇଥିଲେ ପ୍ରଶାନ୍ତ କିଶୋର। ବିହାରରୁ ଯୁକ୍ତଦୁଇ ସାରିବା ପରେ ଦିଲ୍ଲୀର ହିନ୍ଦୁ କଲେଜରୁ ଗ୍ରାଜୁଏଟ ହୋଇଥିଲେ। ଏହାପରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍) ପକ୍ଷରୁ ବିହାରରେ ହେଉଥିବା ଏକ ପୋଲିଓ କାର୍ଯ୍ୟକ୍ରମରେ ଭଲ୍ୟୁଣ୍ଟିଅର ଭାବେ କାମ ଆରମ୍ଭ କରିଥିଲେ। ବିହାରରେ ଭଲ କାମ କରିବା ପରେ ୟୁଏନ୍ ପକ୍ଷରୁ ତାଙ୍କୁ ଆମେରିକା ପଠାଯାଇଥିଲା। ଏହାପରେ ସେ ଆଫ୍ରିକାରେ ୟୁଏନ୍ ପାଇଁ କାମ କଲେ। ଏହି ସମୟରେ ଗୁଜୁରାଟରେ କୁପୋଷଣରେ ଶିକାର ପିଲାମାନଙ୍କ ଉପରେ ସେ ଏକ ପ୍ରବନ୍ଧ ଲେଖିଥିଲେ; ଯେଉଁଠାରୁ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଜରକୁ ଆସିଥିଲେ ପ୍ରଶାନ୍ତ କିଶୋର। ଏହିଠାରୁ ହିଁ ପ୍ରଶାନ୍ତଙ୍କ ରାଜନୀତିକ ଯାତ୍ରା ଆରମ୍ଭ ହୋଇଥିଲା।ବିଜେପିର ୨୦୧୪ ବିଜୟ ପଛରେ ଥିଲା ପ୍ରଶାନ୍ତଙ୍କ ରଣନୀତି

ପ୍ରଥମେ ୨୦୦୯ରେ ଗୁଜୁରାଟରେ ବିଜେପି ପାଇଁ ନିର୍ବାଚନୀ ପରାମର୍ଶଦାତା ଭାବେ କାମ ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର। ସୋସିଆଲ ମିଡିଆ ଜରିଆରେ ଭୋଟରଙ୍କୁ କିପରି ଆକୃଷ୍ଟ କରିହେବ ସେ ମନ୍ତ୍ର ପ୍ରଶାନ୍ତ ବିଜେପିକୁ ଦେଇଥିଲେ। ପ୍ରଶାନ୍ତଙ୍କ ରଣନୀତିରେ ବିଜେପିକୁ ମାଇଲେଜ ମିଳିବା ସହ ନରେନ୍ଦ୍ର ମୋଦୀ ଜାତୀୟ ରାଜନୀତିରେ ହାଇଲେଟ ହୋଇଥିଲେ।

ଏହାପରେ ୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଗାଦିରେ ବସାଇବା ପାଇଁ ଷ୍ଟାଟେର୍ଜୀ ବନାଇଥିଲେ ପ୍ରଶାନ୍ତ କିଶୋର। ଏଥିପାଇଁ ୨୦୧୩ରେ ସିଟିଜେନ୍‌ସ ଫର୍ ଆକାଉଣ୍ଟେବଲ ଗଭର୍ନାନ୍‌ସ (ସିଏଜି) ନାମରେ ପ୍ରଶାନ୍ତ ଏକ ମିଡିଆ ଏବଂ ପବ୍ଲିସିଟି କମ୍ପାନି ଆରମ୍ଭ କଲେ। ଏହି କମ୍ପାନି ଚାଏ ପେ’ ଚର୍ଚ୍ଚା, ରନ୍ ଫର୍ ୟୁନିଟି, ଥ୍ରୀଡି ରାଲି, ମନ୍ଥନ ଏବଂ ସୋସିଆଲ ମିଡିଆ ଜରିଆରେ ବିଭିନ୍ନ କ୍ୟାମ୍ପେନ କରି ମୋଦୀଙ୍କୁ ନିର୍ବାଚନୀ ବୈତରଣୀ ପାର୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର।

ତେବେ ନିର୍ବାଚନର ଗୋଟିଏ ବର୍ଷ ପରେ ୨୦୧୫ରେ କୌଣସି କାରଣରୁ ବିଜେପି ଶିବିରକୁ ଛାଡ଼ି ଦେଇଥିଲେ ପ୍ରଶାନ୍ତ।ବିହାରରେ ନୀତିଶଙ୍କଠାରୁ ଦିଲ୍ଲୀରେ କେଜ୍ରିଓ୍ଵାଲ ସରକାର – ସବୁଠି ସଫଳ ପ୍ରଶାନ୍ତଙ୍କ ଗୋଟି

୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ମୁଖ୍ୟ ନୀତିଶ କୁମାର ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ଵ ନେଇଥିଲେ ପ୍ରଶାନ୍ତ। ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ‘ନୀତିଶକେ ନିଶ୍ଚୟ : ବିକାଶକି ଗ୍ୟାରେଣ୍ଟି’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରିଥିଲେ ପ୍ରଶାନ୍ତ, ଯାହାର ଅର୍ଥ ଥିଲା ନୀତିଶଙ୍କ ଶାସନରେ ବିକାଶ ସୁନିଶ୍ଚିତ ହେବ। ସେହିପରି ବିହାରରେ ଜେଡିୟୁ, ଆର୍‌ଜେଡି ଏବଂ କଂଗ୍ରେସର ମେଣ୍ଟ କରାଇ ମୁଖ୍ୟମନ୍ତ୍ରୀ ଗାଦିରେ ନୀତିଶଙ୍କୁ ସଫଳତା ସହ ବସାଇ ପାରିଥିଲେ ପ୍ରଶାନ୍ତ କିଶୋର।

ବିହାରରେ ନୀତିଶ କୁମାରଙ୍କୁ ଜିତାଇବା ପରେ କଂଗ୍ରେସ ଶିବିରରୁ ପ୍ରଶାନ୍ତଙ୍କୁ ଡକରା ଆସିଥିଲା। ଏହାପରେ ଉତ୍ତର ପ୍ରଦେଶରେ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କଲେ ପ୍ରଶାନ୍ତ। କିନ୍ତୁ ସେଠାରେ ପ୍ରଶାନ୍ତଙ୍କ ରଣନୀତି କାମ ଦେଇ ନଥିଲା। କିନ୍ତୁ ପଞ୍ଜାବରେ ପ୍ରଶାନ୍ତଙ୍କ ପଲିଟିକାଲ୍ ଷ୍ଟାଟେର୍ଜୀ କଂଗ୍ରେସକୁ ସରକାର ଗଢ଼ିବାରେ ସାହାଯ୍ୟ କରିଥିଲା। କ୍ୟାପଟେନ ଅମିରିନ୍ଦର ସିଂହ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ।ଭାରତୀୟ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଥିଲା। ୨୦୧୯ରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଓ୍ଵାଇଏସଆର କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ପ୍ରଶାନ୍ତ। ଆନ୍ଧ୍ରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦୀର୍ଘ ଦିନର ରାଜନୀତିକ ଅଭିଜ୍ଞତାକୁ ପଛରେ ପକାଇ ଯୁବ ନେତା ଓ୍ଵାଇ ଏସ ଜଗନମୋହନ ରେଡ୍ଡୀଙ୍କୁ ଆନ୍ଧ୍ର ଗାଦିରେ ବସାଇଥିଲେ ପ୍ରଶାନ୍ତ। ସେହିପରି ପ୍ରଶାନ୍ତଙ୍କ ରଣନୀତି ବଳରେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦ୍‌ମୀ ପାର୍ଟି ୭୦ଟି ଆସନରୁ ୬୨ଟି ଜିତି ଦିଲ୍ଲୀରେ ସରକାର ବନେଇ ପାରିଥିଲେ।ଏକାଧିକ ନେତାଙ୍କୁ ନିଜର ସଫଳ ରଣନୀତି ବଳରେ ନିର୍ବାଚନ ବୈତରଣୀକୁ ଖୁବ ସହଜରେ ପାର୍ କରାଇଥିବା ପ୍ରଶାନ୍ତ ୨୦୧୮ରେ ନୀତିଶ କୁମାରଙ୍କ ଜେଡିୟୁରେ ସାମିଲ ହୋଇଥିଲେ। ପ୍ରଶାନ୍ତଙ୍କୁ ଦଳର ଉପସଭାପତି କରିଥିଲେ ନୀତିଶ। କିନ୍ତୁ ୨୦୨୦ରେ ପ୍ରଶାନ୍ତଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। ତେବେ ୨୦୨୧ରେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ଓ ତାମିଲନାଡୁରେ ଏମ କେ ଷ୍ଟାଲିନଙ୍କ ଡିଏମକେ ପାଇଁ ନିର୍ବାଚନୀ ରଣନୀତି କରିବେ କରିବେ ପ୍ରଶାନ୍ତ କିଶୋର। ଏଥି ସହିତ ୨୦୨୨ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରିନ୍ଦର ସିଂହଙ୍କ ରାଜନୀତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପ୍ରଶାନ୍ତ କିଶୋର।

Comment