ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ମିଳିଛି। ମମତା ଦିଦିଙ୍କ ବିଜୟରେ ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ଭିତରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ମମତାଙ୍କ ସହ ଫୋନରେ କଥାବାର୍ତ୍ତା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ମମତାଙ୍କ ବିଜୟ ବିଜେଡିକୁ ଖୁସି କରିବାର କାରଣ ହେଉଛି ଯଦି ପଶ୍ଚିମବଙ୍ଗରେ ବିଜେପି ଜିତିଥାନ୍ତା ଓ ସରକାର ଗଠନ କରିଥାନ୍ତା ଏଠି ଓଡ଼ିଶାରେ ତାର ପ୍ରଭାବ ନିଶ୍ଚିତ ଭାବରେ ପଡ଼ିଥାନ୍ତା।

କୋଳଥ ମାଡ଼ରେ ବିରି ଚୋପା ନ୍ୟାୟରେ ବିଜେପି ନେତାମାନେ ନବୀନ ସରକାର ବିରୋଧରେ ରଣ ହୁଙ୍କାର ଦେଇଥାନ୍ତେ। ୨୦୧୯ ନିର୍ବାଚନରେ କଂଗ୍ରେସ ଦଳକୁ ବିରୋଧୀ ଦଳ ଆସନରୁ ହଟାଇବା ପରେ ବର୍ତ୍ତମାନ ଓଡ଼ିଶା ବିଜେପି ଚାହୁଁଛି ବିଜେଡିକୁ କ୍ଷମତାରୁ ହଟିବା ଦରକାର।

ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଅସୀମା ସାହୁଙ୍କ ମତରେ ନବୀନଙ୍କ ବିଜୟ ରଥକୁ ଅଟକାଇବା ପାଇଁ ବିଜେପି ବଦ୍ଧପରିକର। ପଶ୍ଚିମବଙ୍ଗରେ କ୍ଷମତା ଦଖଲ ଅସଫଳ ହେବା ପରେ ବିଜେଡି ନେତାମାନେ ଏଣିକି ଆଶ୍ୱସ୍ତ ହେବେ ଏଥିରେ ଦ୍ୱିମତ ନାହିଁ।

ଯାହା ରାଜନୀତି ବିଶେଷଜ୍ଞମାନେ ଆକଳନ କରୁଛନ୍ତି ପଶ୍ଚିମବଙ୍ଗ ଫଳ ପ୍ରକାଶ ପାଇବା ପରେ ବିଜେଡି ନେତାମାନେ ପୁଣି ନିଜ ଖେଳକୁ ବାହୁଡ଼ିବେ। ମମତାଙ୍କ ବିଜୟ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ସାହସ ବଢ଼ାଇବ ଏହା ନିଃସନ୍ଦେହରେ କୁହାଯାଇପାରେ।

ଅଧିକନ୍ତୁ, କୋଭିଡ ପରିଚାଳନାରେ ନବୀନ ସରକାରଙ୍କ ଦକ୍ଷତା ଓ ନିକଟରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ପଠାଇ ବିଜେଡି ଓ ନବୀନ ଯେଉଁ ସୁନାମ ଅର୍ଜନ କରିଛନ୍ତି ତାହା ତାଙ୍କ ଦଳର ରାଜନୈତିକ ଭବିଷ୍ୟତକୁ ଆହୁରି ସୁଦୃଢ଼ କରିବ। ଆହୁରି ମଧ୍ୟ କୁହାଯାଉଛି, ତାଙ୍କୁ ଟକ୍କର ଦେବା ଭଳି କୌଣସି ଦଳ ଆଉ ଓଡ଼ିଶାରେ ନାହାଁନ୍ତି। ଯଦିଓ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଆହୁରି ତିନି ବର୍ଷ ସମୟ ଅଛି, ପଶ୍ଚିମବଙ୍ଗରେ ବିଜେପିର ଚିତପଟାଙ୍ଗ ଘଟଣା ବିଜେଡିର ନୈତିକ ମନୋବଳକୁ ବୃଦ୍ଧି କରିବାରେ ସହାୟକ ହେବ ଏବଂ ଲୋକେ ବି ବିବେଚନା କରିବେ ଯେ ବିଜେଡି ଛଡ଼ା ଆହୁ କେହି ନାହାନ୍ତି ଯାହା ଉପରେ ଭରସା କରା ଯାଇପାରିବ।

Comment