ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ସେକେଣ୍ଡାରୀ ବୋର୍ଡ଼ ପକ୍ଷରୁ ପ୍ରସ୍ତାବିତ ଆଭ୍ୟନ୍ତରୀଣ ମୂଲ୍ୟାୟନକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବା ଓଷ୍ଟା ବିରୋଧ କରିଛି। ସଂଘର କିଛି ସଦସ୍ୟ କହିଛନ୍ତି ଯେ, ରାଜ୍ୟରେ କରୋନା ପ୍ରକୋପ ବୃଦ୍ଧି ପାଇଛି ଓ ଅନେକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସେମାନଙ୍କ ପରିବାର ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୁତରାଂ ଏତେ ଶୀଘ୍ର ପିଲାଙ୍କ ଇଣ୍ଟରନାଲ ମାର୍କ ପଠାଇବା ସମ୍ଭବ ନୁହେଁ।

ଓଷ୍ଟାର ସଭାପତି ପ୍ରକାଶ ମହାନ୍ତି କହିଛନ୍ତି ଯେ, ଗୋଟିଏ ଦିନ ପୂର୍ବରୁ ରାତି ୧୦ଟା ରେ ଆମେ ବୋର୍ଡ଼ର ବିଜ୍ଞପ୍ତି ପାଇଲୁ। ପିଲାଙ୍କ ନବମ ଓ ଦଶମ ଶ୍ରେଣୀ ଆଭ୍ୟନ୍ତରୀଣ ନମ୍ବର ପରଦିନ ପଠାଇବା ପାଇଁ ଏହି ବିଜ୍ଞପ୍ତିରେ କୁହାଯାଇଛି। ଶିକ୍ଷକମାନେ କରୋନା ସହିତ ଲଢ଼ୁଥିବା ବେଳେ ଗୋଟିଏ ଦିନର ନୋଟିସରେ ଛାତ୍ରଛାତ୍ରୀଙ୍କ ମାର୍କ ପଠାଇବା ଅସମ୍ଭବ।

ସେ ଆଉ ମଧ୍ୟ କହିଛନ୍ତି, ଏହିଭଳି ମୂଲ୍ୟାୟନ ଓ ପରୀକ୍ଷା ଫଳ ପ୍ରକାଶ ତ୍ରୁଟିପୂର୍ଣ୍ଣ। କାରଣ ଖୁବ୍ ଭଲ ପଢ଼ୁଥିବା ପିଲାଙ୍କର ଏହା ଦ୍ୱାରା ଉପଯୁକ୍ତ ମୂଲ୍ୟାୟନ ହୋଇ ପାରିବ ନାହିଁ। ଉଲ୍ଲେଖ କରାଯାଇପାରେ ଯେ, ଏବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହେବାପରେ ଫଳ ପ୍ରକାଶ ପାଇଁ ଏହି ବିକଳ୍ପ ପନ୍ଥା ଅବଲମ୍ବନ କରାଯାଇଛି। ହାଇସ୍କୁଲ ପିଲାଙ୍କ ନବମ ଶ୍ରେଣୀ ପରୀକ୍ଷା ମାର୍କ ଓ ପ୍ରି ବୋର୍ଡ଼ ମାର୍କକୁ ଏକାଠି କରି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ପଠାଇବା ପାଇଁ ବୋର୍ଡ଼ ପକ୍ଷରୁ କୁହାଯାଇଛି। ଅଧିକନ୍ତୁ, ସବୁ ପିଲାଙ୍କୁ ୨୦ ମାର୍କ ଭିତ୍ତିରେ ଏକ ଆଭ୍ୟନ୍ତରୀଣ ମୂଲ୍ୟାୟନ କରିବା ପାଇଁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

Comment