ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ କମିବାରେ ନାଁ ଧରୁନାହିଁ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୯ ହଜାର ୮୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୫୬୧୧ ଜଣ ହୋଇଥିବାବେଳେ, ୪୨୭୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜିର ତଥ୍ୟ ଅନୁସାରେ ସର୍ବାଧିକ ୧୩୩୧ ନୂଆ ପଜିଟିଭ୍ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୭୯୦, ସୁନ୍ଦରଗଡ଼ରୁ ୧୧୩୭, ଝାରସୁଗୁଡ଼ାରୁ ୩୮୬, ନବରଙ୍ଗପୁରରୁ ୪୧୪, ବଲାଙ୍ଗୀରରୁ ୩୨୬, ବରଗଡ଼ରୁ ୪୮୩, ଅନୁଗୁଳରୁ ୪୪୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୪ଲକ୍ଷ ୮୯ହଜାର ୬୪୧ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୬୧୬୪ ଜଣଙ୍କୁ ମିଶାଇ ସମୁଦାୟ ୪ଲକ୍ଷ ୧୦ହଜାର ୨୨୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୭୭ହଜାର ୨୫୭ ଟି ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୧୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣ, ଗଜପତି, କଳାହାଣ୍ଡିରୁ ୩ଜଣ ଲେଖାଏଁ, ରାୟଗଡ଼ା, ସୁନ୍ଦରଗଡ଼ରୁ ୨ଜଣ ଲେଖାଏଁ, ପୁରୀ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୦୪ ରେ ପହଞ୍ଚିଛି।

Comment