ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ ମୁକାବିଲା ପାଇଁ ସାରାଦେଶରେ ଏବେ ଟିକାକରଣ ଚାଲିଛି। ଏଯାବତ୍‌ ବିଭନ୍ନ ବର୍ଗର ଲୋକ ଟିକା ନେଇ ସାରିଲେଣି। ଏ ସମୟରେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ରହିଛି ଯେ, ଜଣେ ସ୍ତନ୍ୟପାନ କରାଉଥିବା ମା’ ଟିକା ନେବେ ନା ନାହିଁ? ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସ୍ତନ୍ୟପାନ କରାଉଥିବା ମା’ ଟିକା ନେବା ଉଚିତ ନୁହେଁ।

ସ୍ତନ୍ୟପାନ ଅବଧି ସରିଲା ପରେ ଜଣେ ମା’ ଟିକା ନେଇପାରିବେ। ଏକଥା ଏସ୍‌ସିବି ମେଡିକାଲର  ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର ଡାକ୍ତର ତୁଷାରଜ୍ୟୋତି କୁମାର କର କହିଛନ୍ତି।

ସେ ଆହୁରିମଧ୍ୟ କହିଛନ୍ତି ଯେ, ଗର୍ଭବତୀ ଓ ପ୍ରସୂତି ମହିଳା ଟିକା ନିଅନ୍ତୁ ନାହିଁ। ଅତିକମ୍‌ରେ ଶିଶୁ ଜନ୍ମ ହେବାର ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ତା’ପରେ ଯାଇ ଟିକା ନିଅନ୍ତୁ।

ଅନ୍ୟପଟେ କୋଭିଡ ସମୟରେ ଗର୍ଭଧାରଣ କଲେ ବିଭିନ୍ନ ପ୍ରକାର ଜଟିଳତା ଦେଖାଯାଉଛି। ବିଶେଷ କରି ଫୁସ୍‌ଫୁସ୍‌ଜନିତ ସମସ୍ୟା ଦେଖାଯାଉଛି। ଏହା ଏକ ସମ୍ବେଦନଶୀଳ ସମୟ ହୋଇଥିବାରୁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ ସଚେତନତା ବାଣ୍ଟିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ରାଜ୍ୟର ଜଣାଶୁଣା ଡାକ୍ତରମାନେ ଯୋଗ ଦେଇ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।

Comment