ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ନେଇ ଭୟଭୀତ ଅଛନ୍ତି ରାଜ୍ୟବାସୀ। ସେଥିପାଇଁ ଏବେ ସାମାନ୍ୟ ଥଣ୍ଡା, ଜ୍ୱର ଆଦି ହେଲେ ଲୋକ ପୁଳା ପୁଳା ଔଷଧ ଖାଉଛନ୍ତି। ଏମିତିକି ଡାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ କିଛି ଲୋକ ଔଷଧ ଖାଉଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ଲୋକଙ୍କୁ ମନ ଇଚ୍ଛା ଔଷଧ ନଖାଇବାକୁ କଟକ ବଡ ମେଡିକାଲର ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତ କୁମାର ପଣ୍ଡା ପରାମର୍ଶ ଦେଇଛନ୍ତି।

କରୋନା ଏକ ଭୂତାଣୁଜନିତ ରୋଗ। ତେଣୁ ହାଲ୍‌କା ଲକ୍ଷଣ ଥିବା ବ୍ୟକ୍ତି ବେଶୀ ଔଷଧ ଖାଆନ୍ତୁ ନାହିଁ। କେବଳ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବାକୁ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି।ଜ୍ୱର ହେଲେ ୬୫୦ ମିଲିଗ୍ରାମ ପର୍ଯ୍ୟନ୍ତ ପାରାସିଟାମଲ ଦୈନିକ ୪ଟି ପର୍ଯ୍ୟନ୍ତ ଖାଇପାରିବେ। ତାପରେ ବି ଯଦି ଜ୍ୱର ନକମିଲା ନେପ୍ରକ୍ସିନ ବଟିକା ୨୫୦ ମିଲିଗ୍ରାମ ଦିନକୁ ୨ଟା ଖାଇପାରିବେ ବୋଲି ସେ କହିଛନ୍ତି।

”କୌଣସି ବ୍ୟକ୍ତି ହୋମ୍‌ ଆଇସୋଲେସନରେ ଥିଲେ ସେ ଆଇଭର ମେକଟିନ୍‌ ଔଷଧ ଖାଇପାରିବେ। ତେବେ ବଡ଼ଙ୍କୁ ୧୨ ମିଲିଗ୍ରାମ, ଛୁଆଙ୍କୁ ୬ ମିଲିଗ୍ରାମ ଆଇଭର ମେକଟିନ୍‌ ଦିଆଯାଇପାରିବ। ୩ରୁ ୫ ଦିନ ପର୍ଯ୍ୟନ୍ତ ଆଇଭର ମେକଟିନ୍‌ ବ୍ୟବହାର କରାଯାଇଥାଏ। ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିଲେ ଆଇଭର ମେକଟିନ୍‌ ଦିଆଯାଏନି। ଏହାସହିତ ଭିଟାମିନ ଓ ଜିଙ୍କ୍‌ ଔଷଧ ଖାଇପାରିବେ”, କହିଛନ୍ତି ଡାକ୍ତର ପଣ୍ଡା।

ଅନ୍ୟପଟେ କାହାକୁ ଫାଭିପିରାଭିର ଦିଆଯିବ, ସେ ନିଷ୍ପତ୍ତି ଡାକ୍ତର ନେବେ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇବା କଥା ନୁହେଁ। ସେହିପରି ଡାକ୍ତରଙ୍କ ତତ୍ତ୍ୱାବଧାନ ବିନା ଷ୍ଟୋରୋଏଡ ନେଲେ ଭାଇରାଲ ଲୋଡ୍‌ ବଢ଼ିପାରେ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଡାକ୍ତର ପଣ୍ଡା।

Comment