ଓଡ଼ିଶାଲାଇଭ୍ ବ୍ୟୁରୋ

ଲକ୍‌ଡାଉନ ସତ୍ତ୍ୱେ ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବର୍ତ୍ତମାନ ପରିସ୍ଥିତିରେ ଏଥିପାଇଁ ଦାୟୀ କିଏ?

ରାଜ୍ୟରେ ଦ୍ୱିତୀୟ ଲହର କୋଭିଡ୍ ସଂକ୍ରମଣ କମିବାରେ ନାଁ ଧରୁନାହିଁ। ସରକାରୀ ତଥ୍ୟ ଅନୁସାରେ ପ୍ରତିଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ମେ’ ମାସରେ ସଂକ୍ରମଣ ଶୀର୍ଷକୁ ଛୁଇଁପାରେ। ଅଧିକ ନମୂନା ପରୀକ୍ଷା ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଉ କିଛିଦିନ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ଅନ୍ୟପକ୍ଷରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମେ’ ୫ରୁ ଲକ୍‌ଡାଉନ୍ ବଳବତ୍ତର ରହିଛି। ଲକ୍‌ଡାଉନ୍‌ର ତୃତୀୟ ଦିନରେ ରାଜ୍ୟରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ଅର୍ଥାତ୍ ମେ’୬ରେ ୧୦ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଆଜି ୧୨ହଜାର ୨୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଲକ୍‌ଡାଉନ୍ ସତ୍ତ୍ୱେ ଏତେ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ, ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି। ସବୁ ସ୍ଥାନରେ କଡ଼ାକଡ଼ି ଚେକିଂ କରାଯାଉଛି, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ, ପାର୍କ, ମାର୍କେଟ, ମଲ୍ ଇତ୍ୟାଦି ବନ୍ଦ ରହିଛି। କିନ୍ତୁ କାହିଁକି ନିୟନ୍ତ୍ରଣକୁ ଆସୁନି କରୋନା। ପ୍ରଶାସନର କୋହଳ ମନୋଭାବ ଓ ଲୋକମାନଙ୍କ ଖାମଖିଆଲ ନୀତି ଯୋଗୁଁ ଏଭଳି ହେଉନି ତ, ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।coronavirus-in-odisha-4ଅଧିକ ପ୍ରଭାବିତ ଜିଲ୍ଲା

ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲା ଦ୍ୱିତୀୟ ଲହର କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଥିବାବେଳେ, ଆଉ କିଛି ଜିଲ୍ଲାରେ ଏବେ କ୍ରମାଗତ ଭାବରେ କରୋନା ସଂକ୍ରମଣର ହାର ବଢ଼ୁଥିବା ଦେଖିବାକୁ ମିଳୁଛି। ମୁଖ୍ୟତଃ ସୀମାନ୍ତ ଜିଲ୍ଲାଗୁଡ଼ିକରୁ ଅଧିକ ମାତ୍ରାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୦୭୩ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧାରୁ ୧୮୨୮ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୯୧୬, କଳାହାଣ୍ଡିରୁ ୫୮୦, ସମ୍ବଲପୁରରୁ ୫୪୪, ନୂଆପଡ଼ାର ଜିଲ୍ଲାରୁ ୨୯୦ଜଣ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଉଥିବା ପଜିଟିଭ୍‌ଙ୍କ ମଧ୍ୟରୁ ଅନେକ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ବିଏମ୍‌ସି ତଥ୍ୟ ଅନୁସାରେ ମେ’ ୪ରେ ୧୧୧୬ ଜଣ, ମେ’ ୫ରେ ୧୦୭୪ ଓ ମେ’ ୬ରେ ୧୧୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱର ରାଜ୍ୟର ରାଜଧାନୀ ହୋଇଥିବାରୁ ଏବଂ ସମସ୍ତ ମୁଖ୍ୟ କାର୍ଯ୍ୟାଳୟ, ହସ୍ପିଟାଲ, ରେଳଷ୍ଟେସନ, ବିମାନ ବନ୍ଦର ଇତ୍ୟାଦି ରହିଥିବାରୁ, ଏଠାରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ଚଳପ୍ରଚଳ କରିଥାନ୍ତି। ତେଣୁ ଭୁବନେଶ୍ୱରରେ ପଜିଟିଭ୍ ସଂଖ୍ୟା ବଢ଼ିବାର ଏହା ଏକ ପ୍ରମୁଖ କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ଟିକାକରଣ କେନ୍ଦ୍ର

କରୋନା ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ ଚାଲିଛି ଟିକାକରଣ। ରାଜ୍ୟରେ ମଧ୍ୟ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ପ୍ରତିଦିନ ଶହଶହ ସଂଖ୍ୟକ ଲୋକ ଟିକାଦାନ କେନ୍ଦ୍ର ସାମ୍ନାରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି। କରୋନା କାଳରେ ଜନଗହଳିଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଥିବାବେଳେ, ଟିକାଦାନ କେନ୍ଦ୍ର ପାଲଟିବ କି କରୋନା ସଂକ୍ରମଣର ଅନ୍ୟତମ କାରଣ?

ଏହି ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଆନ୍ଦୋଳିତ ହେଉଛି। ଲୋକମାନେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ଟିକା ଦେବାକୁ ଯାଉଛନ୍ତି। କିନ୍ତୁ ଅନ୍ୟପକ୍ଷରେ ଅଧିକାଂଶ ଲୋକ ସେହିଠାରୁ ସଂକ୍ରମିତ ହେଉଥିବା ଆଶଙ୍କା କରାଯାଉଛି। କେନ୍ଦ୍ରମାନଙ୍କରେ ଟିକାକରଣ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇନଥିବାରୁ, ଏଭଳି ଭିଡ଼ ଜମୁଛି। ବିନା ପଞ୍ଜୀକରଣରେ ଟିକା ଦିଆଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ କେନ୍ଦ୍ର ସମ୍ମୁଖରେ ଅନେକ ଲୋକ ରହିଥାନ୍ତି, ଯେଉଁମାନେ ପଞ୍ଜୀକରଣ କରିବା ତ ଦୂରର କଥା, ସେ ସମ୍ପର୍କରେ ମଧ୍ୟ ଅବଗତ ନଥାନ୍ତି।

ଯଦି ସଠିକ୍ ଭାବରେ ସମସ୍ତଙ୍କ ପାଖରେ ବାର୍ତ୍ତା ପହଞ୍ଚିପାରନ୍ତା, ତେବେ ଏଭଳି ପରିସ୍ଥିତି ଉପୁଜନ୍ତାନି ବୋଲି କୁହାଯାଉଛି।ପ୍ରବାସୀଙ୍କ ପାଇଁ ବଢ଼ୁଛି କି ସଂକ୍ରମଣ?

ଲକ୍‌ଡାଉନ୍ ସଟ୍‌ଡାଉନ୍ ଓ ସଂକ୍ରମଣକୁ ଡରି ପ୍ରବାସୀମାନେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ଅବଶ୍ୟ ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କରୋନା ଗାଇଡଲାଇନ୍ ଜାରି କରାଯାଇଛି। ବାହାର ରାଜ୍ୟରୁ ଓଡ଼ିଶାକୁ ପ୍ରବେଶ କରୁଥିଲେ ସାଙ୍ଗରେ ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ ନେଇ ଆସିବାକୁ କୁହାଯାଇଛି। ରେଳ ଷ୍ଟେସନ, ବିମାନ ବନ୍ଦର, ବସ୍ ଷ୍ଟାଣ୍ଡରେ ର୍ଥମାଲ ସ୍କ୍ରିନିଂ କରାଯାଇ ସେମାନଙ୍କୁ ଛଡ଼ା ଯାଉଛି। କିନ୍ତୁ ନିଜ ନିଜ ଅଞ୍ଚଳରେ ପହଞ୍ଚିବାପରେ, ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଉଥିଲେ ହେଁ ସେମାନେ ଏହି ନିୟମକୁ ସଠିକ୍ ଭାବରେ ମାନୁନାହାଁନ୍ତି।

ଆଉ କିଛି ପ୍ରବାସୀ, ସରକାରଙ୍କ ନିୟମକୁ ଖାତିର ନକରି ଲୁଚିଛପି ନିଜ ଅଞ୍ଚଳକୁ ଯାଉଛନ୍ତି। ଅନେକ ବ୍ୟକ୍ତି ଦିନରେ କ୍ୱାଣ୍ଟୋଇନରେ ସେଣ୍ଟରରେ ରହି, ରାତିରେ ନିଜ ଘରକୁ ଯାଇ ବିଶ୍ରାମ ନେଉଥିବା ମଧ୍ୟ ଅଭିଯୋଗ ହେଉଛି। ଏହିସବୁ କାରଣରୁ ପ୍ରବାସୀମାନେ କରୋନା ସଂକ୍ରମଣ ପାଇଁ ଦାୟୀ ବୋଲି କୁହାଯାଇପାରେ।ଚେକିଂକୁ ନେଇ ପ୍ରଶ୍ନବାଚୀ?

ଦ୍ୱିତୀୟ ଲହର ସଂକ୍ରମଣରରେ ଭିନ୍ନ ଭିନ୍ନ ପ୍ରକାରର ଷ୍ଟ୍ରେନ୍ ଚିହ୍ନଟ ହେଉଛନ୍ତି। ପଶ୍ଚିବବଙ୍ଗ ଷ୍ଟ୍ରେନ୍‌, ଡବଲ ମ୍ୟୁଟାଣ୍ଟ, ଟ୍ରିପଲ ମ୍ୟୁଟାଣ୍ଟ, ୟୁକେ ଷ୍ଟ୍ରେନ୍‌, ବ୍ରାଜିଲ ଷ୍ଟେନ୍ ଏବଂ ଏବେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି ଆନ୍ଧ୍ର ଷ୍ଟ୍ରେନ୍। ସବୁ ଷ୍ଟ୍ରେନ୍‌ରେ ଅଲଗା ଅଲଗା ଲକ୍ଷଣ ଦେଖା ଯାଉଥିବା ନଜିର ରହିଛି। ଓଡ଼ିଶାରେ ଯେଭଳି ବାହାର ରାଜ୍ୟର ଷ୍ଟ୍ରେନ୍ ପ୍ରବେଶ ନକରିବ ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।

ସୀମାରେ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ ସାଙ୍ଗରେ ଟେଷ୍ଟ ରିପୋର୍ଟ ନେଇକି ଆସୁଛନ୍ତି, ସେମାନଙ୍କୁ ରାଜ୍ୟ ଭିତରକୁ ଯିବାକୁ ଅନୁମତି ମିଳୁଛି ଏବଂ ଯେଉଁମାନଙ୍କ ପାଖରେ ନେଗେଟିଭ୍ ରିପୋର୍ଟ ନାହିଁ, ସେମାନଙ୍କୁ ସେହିଠାରୁ ଫେରାଇ ଦେଉଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏତେ କଡ଼ାକଡ଼ି ଚେକିଂ ସତ୍ତ୍ୱେ ରାଜ୍ୟ ଭିତରେ କିଭଳି ବିନା ପଞ୍ଜୀକରଣରେ ପ୍ରବେଶ କରୁଛନ୍ତି ପ୍ରବାସୀ।

ଯେଉଁମାନେ ପଞ୍ଜୀକରଣ କରି ଆସୁଛନ୍ତି, ପରବର୍ତ୍ତୀ ସମୟରେ ପଜିଟିଭ୍ ଚିହ୍ନଟ ହେଲେ, ସେମାନେ ଦେଇଥିବା ନମ୍ବରରେ କୌଣସି ଯୋଗାଯୋଗ ହୋଇପାରୁନଥିବା ଅଭିଯୋଗ ହେଉଛି। ଏଥିପାଇଁ ପ୍ରଶାସନର ବ୍ୟବସ୍ଥା ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comment