ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରର ଆଉ ତିନୋଟି ସ୍ଥାନରେ ଡ୍ରାଇଭ-ଇନ ଟିକାକରଣ ବ୍ୟବସ୍ଥା ଆରମ୍ଭ ହେବ। ମଙ୍ଗଳବାର ଠାରୁ ମେ’ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ବିଏମସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗାଲେରିଆ, ରୁଦ୍ରପୁରର ସିମ୍ଫୋନି ମଲ୍ ଓ ପଟିଆ ସ୍ଥିତ କିଟ୍ ୟୁନିଭରସିଟିର କ୍ରିକେଟ ଷ୍ଟାଡିୟମ ଠାରେ ୪୫ବର୍ଷରୁ ଅଧିକ, ୩୦୦ ବ୍ୟକ୍ତିଙ୍କୁ ଟିକା ଦିଆଯିବ। କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିମାନେ ଏହି ପ୍ରକ୍ରିୟାରେ ଟିକା ନେଇପାରିବେ।

ହିତାଧିକାରୀମାନେ ପୂର୍ବରୁ ସ୍ଲଟ ବୁକିଙ୍ଗ କରିବା ଜରୁରୀ। ଯେଉଁମାନେ ସ୍ଲଟ ବୁକିଙ୍ଗ କରିଥିବେ, ସେମାନେ ନିଜ ନିଜ ଗାଡ଼ିରେ ଆସି ଟିକା ନେବେ। ଟିକା ନେବା ସମୟରେ କୌଣସି ବ୍ୟକ୍ତିଙ୍କୁ ଗାଡ଼ିରୁ ଓହ୍ଲାଇବାକୁ ପଡ଼ିବ ନାହିଁ। ସେଠାରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀମାନେ ହିତାଧିକାରୀଙ୍କ ନିକଟକୁ ଯାଇ ଟିକା ଦେବେବୋଲି ବିଏମ୍‌ସି ପକ୍ଷରୁ ଜଣାଇ ଦିଆଯାଇଛି। ଯେଉଁମାନେ ପୂର୍ବରୁ ସ୍ଲଟ ବୁକ୍ କରିନଥିବେ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ ନାହିଁ।ଭୁବନେଶ୍ୱରର ଏସ୍‌ପ୍ଲାନେଡ ମଲ୍‌ର ପାର୍କି ଏରିଆରେ ଡ୍ରାଇଭ୍-ଇନ୍ ଟିକାକରଣ କାର‌୍ୟ୍ୟକ୍ରମ ପ୍ରଥମେ ଆରମ୍ଭ କରାଯାଇଥିଲା। ତାହା ସଫଳ ହେବାପରେ, ଏବେ ଆଉ ତିନୋଟି ସ୍ଥାନରେ ଏହିଭଳି ଭାବରେ ଟିକାକରଣ କରିବା ନେଇ ବିଏମ୍‌ସି ନିଷ୍ପତ୍ତି ନେଇଛି। ସ୍ୱାସ୍ଥ୍ୟବିଭାଗର ତଥ୍ୟ ଅନୁସାରେ ଭୁବନେଶ୍ୱରର ପ୍ରାୟ ୫ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ଦିଆ ସରିଛି।

Comment