ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟର ବସ୍‌ ମାଲିକମାନେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଗତ ବର୍ଷ କରୋନା ପାଇଁ ଦୀର୍ଘ ସମୟ ଧରି ଲକ୍‌ଡାଉନ୍‌ ହେବା ଯୋଗୁଁ ମାସ ମାସ ପର୍ଯ୍ୟନ୍ତ ବସ୍‌ ଚଳାଚଳ ବନ୍ଦ ରହିଥିଲା। ଏବେ ଦ୍ଵିତୀୟ ଥର ପାଇଁ ପୁଣି ରାସ୍ତାଘାଟ ବନ୍ଦ ହେବା ପରେ ସେମାନଙ୍କ ଦୁର୍ଗତି ବଢ଼ି ଚାଲିଛି। ଏପରିକି ଅନେକ ବସ୍‌ ମାଲିକ ରୋଡ୍‌ ଟ୍ୟାକ୍ସ ଓ ବ୍ୟାଙ୍କର ମାସିକ କିସ୍ତି ବି ପୈଠ କରି ପାରୁନାହାନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଗତ ବର୍ଷ ଏପ୍ରିଲ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଲୋକ ନିଜ ଆଡୁ ଯାତାୟାତ ବନ୍ଦ କରିଦେଇଥିଲେ। ତା ଛଡ଼ା ସରକାରଙ୍କ ପକ୍ଷରୁ ତୁହାକୁ ତୁହା ଲକ୍‌ଡାଉନ ଲଗା ଯାଇଥିଲା। କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଚଳିତ ଜାନୁଆରି ମାସରୁ ବସ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା। ଜାନୁଆରି ମାସରୁ ପ୍ରାୟ ୮୦ ପ୍ରତିଶତ ଆନ୍ତଃ ରାଜ୍ୟ ବସ ଚାଲିବା ଆରମ୍ଭ ହୋଇଥିଲା।

କିନ୍ତୁ ଦ୍ଵିତୀୟ ଲହର ଆସିବା ପରେ ବସ୍‌ଗୁଡ଼ିକର ଚାଲିବା ବନ୍ଦ ହୋଇ ଯାଇଛି। ମେ’ ୫ ତାରିଖରୁ ଆନ୍ତଃରାଜ୍ୟ ବସ ଚଳାଚଳକୁ ପୂରା ବନ୍ଦ କରି ଦିଆଯାଇଛି। ‘ଅଲ ଓଡ଼ିଶା ବସ୍‌ ମାଲିକ ସଂଘ’ର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି ଯେ ବସ୍‌ ବନ୍ଦ କରିବା ଫଳରେ ସେମାନଙ୍କ ଆର୍ଥିକ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ସଂଘ ପକ୍ଷରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନେଇ ଏକ ସ୍ମାରକ ପତ୍ର ଦିଆଯାଇଛି ଓ ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି।

ଏଭଳି ଖରାପ ସମୟରେ ବି ବ୍ୟାଙ୍କମାନେ କିସ୍ତି ପୈଠ କରିବା ପାଇଁ କହୁଛନ୍ତି। ନହେଲେ ବସ୍‌ ଜବତ କରାଯିବ ବୋଲି ଧମକ ଦେଉଛନ୍ତି। ଅନ୍ୟ ସଂସ୍ଥା ବି ସେମାନଙ୍କୁ ହଇରାଣ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ସ୍ମାରକ ପତ୍ର ଦିଆଯାଇଛି ସେଥିରେ ଏପ୍ରିଲ,ମେ’ ଜୁନ ମାସର ଟିକସ ଛାଡ଼ କରିବା ପାଇଁ ଅନୁରୋଧ କରାଯାଇଛି। ବୀମା କମ୍ପାନିମାନେ ଇନ୍ସୁରାନ୍ସ ପଲିସିର ବୈଧତାକୁ ୩ ମାସ ବଢ଼ାଇବା ବ୍ୟତୀତ ବ୍ୟାଙ୍କ କିସ୍ତି ଭରଣ ପାଇଁ ମଧ୍ୟ ବସ୍‌ ମାଲିକମାନେ ତିନି ମାସ ସମୟ ମାଗିଛନ୍ତି।

Comment