ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ପ୍ରତିଦିନ ହଜାର ହଜାର ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୯ହଜାର ୭୯୩ପଜିଟିଭ୍ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୫୫୩୪ ଜଣ ହୋଇଥିବାବେଳେ, ୪୨୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼। ସେଠାରୁ ୧୦୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୬୪୧, ଝାରସୁଗୁଡ଼ାରୁ ୪୦୪, ନବରଙ୍ଗପୁରରୁ ୩୦୨, ବଲାଙ୍ଗୀରରୁ ୩୪୨, ବରଗଡ଼ରୁ ୨୭୦, ଅନୁଗୁଳରୁ ୫୨୬ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହିଭଳି ଭାବରେ ସବୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୫ଲକ୍ଷ ୫୪ହଜାର ୬୬୬ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୯୭୦୬ ଜଣଙ୍କୁ ମିଶାଇ ସମୁଦାୟ ୪ଲକ୍ଷ ୫୭ହଜାର ୫୬୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୯୪ହଜାର ୮୨୯ ଟି ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟୁଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରେ ୧୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅନୁଗୁଳରୁ ୪ଜଣ, ଭୁବନେଶ୍ୱରରୁ ୨ଜଣ, ବୌଦ୍ଧ, ଦେଓଗଡ଼,ଗଜପତି, ଖୋର୍ଦ୍ଧାରୁ ଜଣେ ଲେଖାଏଁ,କଳାହାଣ୍ଡିରୁ ଦୁଇଜଣ, ମାଲକାନଗିରି, ପୁରୀରୁ ଜଣେ ଲେଖାଏଁ, ରାୟଗଡ଼ାରୁ ଦୁଇ ଜଣ ଓ ସୁନ୍ଦରଗଡ଼ରୁ ଦୁଇ ଜଣ ରହିଛନ୍ତି । ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬୧ ରେ ପହଞ୍ଚିଛି।

Comment