ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଏବେ କରୋନା ରୋଗୀଙ୍କ କ୍ଷେତ୍ରରେ ନୂଆ ନୂଆ ଲକ୍ଷଣ ଦେଖା ଦେଉଛି। ପୂର୍ବରୁ ଏହି ଭୂତାଣୁ ମଣିଷର ଫୁସ୍‌ଫୁସ୍ ଓ କିଡ୍‌ନୀକୁ ଅଧିକ ଆକ୍ରାନ୍ତ କରୁଥିଲା। କିନ୍ତୁ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସାଧାରଣ ମନେ ହେଉଥିବା ରୋଗ ମଧ୍ୟ କରୋନାର ଲକ୍ଷଣ ହୋଇପାରେ।

ପୂର୍ବରୁ ଲୋକଙ୍କ ପାଖରେ ଜର, ଥଣ୍ଡା, ଗଳାରେ ଯନ୍ତ୍ରଣା, ଦେହ ବଥା, କମ୍‌ଜୋର ଲାଗିବା, ସ୍ୱାଦ ଓ ବାସ୍ନା ନ ବାରିପାରିବା, ଭୋକ ନହେବା, ମୁଣ୍ଡ ବିନ୍ଧିବା ଇତ୍ୟାଦି ଳକ୍ଷଣ ଦେଖାଗଲେ କରୋନା ଟେଷ୍ଟ କରୁଥିଲେ। ଏଗୁଡ଼ିକ କରୋନାର ପ୍ରାଥମିକ ଲକ୍ଷଣ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏମ୍‌ସ ଡାକ୍ତର ବିଜୟ ନଡ୍ଡା କରୋନାର ନୂଆ ଲକ୍ଷଣ ସମ୍ପର୍କରେ କହିଛନ୍ତି।ନୂଆ ଲକ୍ଷଣ କ’ଣ?

ଯଦି ପେଟରେ ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ କୌଣସି ସମସ୍ୟା ଅନୁଭବ କରୁଛନ୍ତି, ତେବେ ଏହାକୁ ସାଧାରଣ ରୋଗ ଭାବି ମନଇଚ୍ଛା ଔଷଧ ସେବନ କରନ୍ତୁ ନାହିଁ। ନଜରଅନ୍ଦାଜ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବାନ୍ତି ଭଳି ସମସ୍ୟା ଦ୍ୱିତୀୟ ଲହର ସଂକ୍ରମଣରେ ଦେଖା ଦେଉଛି। ଏହାଛଡ଼ା ହୃଦଘାତକୁ କରୋନାର ନୂଆ ଲକ୍ଷଣ କୁହାଯାଉଛି। ନୂଆ ଷ୍ଟ୍ରେନ ଲୋକଙ୍କ ହାର୍ଟ ଉପରେ ଅଧିକ ପ୍ରଭାବ ପକାଉଛି। ବେଳେବେଳେ ତ୍ୱଚା ବାରମ୍ବାର କୁଣ୍ଡେଇ ହୋଇଥାଏ। ଯଦି ଏଭଳି ସମସ୍ୟା ରହିଛି, ତେବେ ସତର୍କ ରହି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏକ୍‌ଜିମା ଥିବା ଲୋକମାନେ ଏହି ସମୟରେ ଅଧିକ ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

କିଭଳି ରହିବେ ସତର୍କ?

କରୋନାରୁ ସତର୍କ ରହିବା ପାଇଁ କରୋନା ନିରୋଧୀ ଆଚରଣ ଆପଣାନ୍ତୁ। ଯେପରିକି, ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବା ଇତ୍ୟାଦି।

ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ।

କରୋନାର ସମସ୍ତ ନିୟମକୁ ପାଳନ କରନ୍ତୁ।

ଲକ୍ଷଣ ଦେଖାଗଲେ ତୁରନ୍ତ କରୋନା ପରୀକ୍ଷା କରାଇନିଅନ୍ତୁ।

Comment