ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସତ୍ୟନଗର ଶ୍ମଶାନରେ କମିବ ଭିଡ଼
  • ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ
  • ସପ୍ତାହେ ଭିତରେ ଭରତପୁର, ପଟିଆରେ ଶ୍ମଶାନ କାର୍ଯ୍ୟକାରୀ

ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ୱରର ସତ୍ୟନଗର ଶଶ୍ମାନ ଉପରେ ଚାପ ବଢ଼ୁଥିଲା। ପ୍ରତିଦିନ ଶ୍ମଶାନରେ ଶବ ସତ୍କାର ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଥିଲା। ଏବେ କିନ୍ତୁ ସତ୍ୟନଗର ଶଶ୍ମାନର ଚାପ କମିବ। କାରଣ ଭୁବନେଶ୍ୱରରେ ଖୁବଶୀଘ୍ର ଆଉ ୨ଟି ଶଶ୍ମାନ କାର୍ଯ୍ୟକ୍ଷମ ହେବ। ଏନେଇ ବିଏମ୍‌ସି କମିସନର ସଞ୍ଜୟ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ବିଏମସି ପକ୍ଷରୁ ଆସନ୍ତା ସପ୍ତାହ ମଧ୍ୟରେ ଭରତପୁର ଓ ପଟିଆରେ ୨ଟି ଶ୍ମଶାନରେ କାର୍ଯ୍ୟକାରୀ ହେବ।

ମେ‘ ୨୫ରୁ ପଟିଆରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଶଶ୍ମାନରେ ଗ୍ୟାସ୍‌ ଚୁଲା (ଏଲପିଜି) ଦ୍ୱାରା ଶବଦାହ ହେବ। ଏହାଦ୍ୱାରା ପାରମ୍ପରିକ ବ୍ୟବସ୍ଥା ତୁଳନାରେ କମ୍‌ ସମୟରେ ଶବଦାହ ହୋଇପାରିବ ବୋଲି ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି। ସମୟସୀମା ମଧ୍ୟରେ ଶ୍ମଶାନ ନିର୍ମାଣ କାର୍ଯ୍ୟ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ଭରତପୁରରେ ଅନ୍ୟ ଏକ ଶ୍ମଶାନସ୍ଥଳୀ ମଧ୍ୟ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାର ପରିଚାଳନା କରିବା ଲାଗି ପ୍ରଦୀପ ସେବା ଟ୍ରଷ୍ଟ ନାମକ ଏକ ସଂସ୍ଥା ସହିତ ବିଏମସିର ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏଠାରେ ୨୪ ଘଣ୍ଟିଆ ଶବସତ୍କାର ବ୍ୟବସ୍ଥା ହେବା ସହିତ ଉଭୟ କୋଭିଡ ଓ ଅଣକୋଭିଡ ଶବଦାହ ହେବ ବୋଲି ଜଣାପଡ଼ିଛି।

ଶଶ୍ମାନ ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ସମସ୍ତଙ୍କର ପଞ୍ଜୀକରଣ କରିବ। ପ୍ରତି ଶବଦାହ ପାଇଁ ସଂସ୍ଥ୍ୟ ୨୫୦୦ ଟଙ୍କା ନେବ। ଏଥିରେ କାଠ ଓ ପୋଡ଼ିବା ବ୍ୟବସ୍ଥା କରିବ।

ଏବେ କୋଭିଡ ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଥିବାରୁ ରାଜଧାନୀର ବିଭିନ୍ନ ଶ୍ମଶାନରେ ଭଡ଼ ହେଉଛି। ଏହାକୁ ଦୃଷ୍ଟିରେ ରଖି ଶଶ୍ମାନକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

Comment