(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ)

ଡ୍ୟୁଟି ସରିବା ପରେ ବି କରୋନା ରୋଗୀଙ୍କ ଚିକିତ୍ସା। ଘର ଘର ବୁଲି ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ସେବା କରୁଛନ୍ତି ନର୍ସ ବିଷ୍ଣୁପ୍ରିୟା ଧଳ।

ସାରାବିଶ୍ୱରେ ଏବେ କରୋନା ମହାମାରୀ ଆତଙ୍କ ଖେଳାଇଛି। ସଂକ୍ରମଣ ବଢ଼ିବା ଦିନରୁ ମନରେ ଭୟ। କିନ୍ତୁ ସେ ଭୟ, କର୍ତ୍ତବ୍ୟ ଆଗରେ ହାର୍‌ ମାନିଛିା ନର୍ସ ଭାବେ କାମ କରୁଥିବାରୁ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେଇଚାଲିଛନ୍ତି ସେ। ଏହି କରୋନା ଯୋଦ୍ଧା ଜଣକ ହେଲେ ଭୁବନେଶ୍ୱର କପିଳପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଷ୍ଟାପ୍‌ନର୍ସ ବିଷ୍ଣୁପ୍ରିୟା ଧଳ। ବୟସ ତାଙ୍କର ୨୮, ଘର ବାଲେଶ୍ୱରରେ। ହେଲେ ଭୁବନେଶ୍ୱରରେ ଚାକିରି କରୁଥିବାରୁ ସେ ଏଠି ଏକା ରହୁଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା କରୁଥିବାରୁ ସେ ଦୀର୍ଘ ଦିନରୁ ସେ ତାଙ୍କ ଘରକୁ ଯାଇନାହାନ୍ତି।

ଜଣେ କୋଭିଡ୍‌ ଯୋଦ୍ଧା ଭାବରେ ବିଷ୍ଣୁପ୍ରିୟା ଗତ ଦେଢ଼ ବର୍ଷ ହେଲା ରୋଗୀଙ୍କ ସେବା କରୁଛନ୍ତି। ଏବେ ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡ୍‌ରେ ଚାଲିଥିବା ‘ଡ୍ରାଇଭ୍‌ ଇନ୍‌ ଭ୍ୟାକସିନେସନ’ରେ ତାଙ୍କର ଡ୍ୟୁଟି ପଡ଼ିଛି। ସେବିକା ଭାବେ ସେବା ଯୋଗାଇବା ତ ତାଙ୍କ କର୍ତ୍ତବ୍ୟ କିନ୍ତୁ ନିଜ କତ୍ତର୍ବ୍ୟ ସାରିବା ପରେ ବିଷ୍ଣୁପ୍ରିୟା ଯେଉଁ କାମ କରନ୍ତି ତାହା ଆପଣ ଜାଣିଲେ ପ୍ରଶଂସା ନକରି ରହି ପାରିବେନି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଷ୍ଣୁପ୍ରିୟା ତାଙ୍କର ଡ୍ୟୁଟି ସାରିବା ପରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହୋମ୍‌ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଜ ସେବା ଦେଉଛନ୍ତି।  ବ୍ୟକ୍ତିଗତ ଭାବେ ଘର ଘର ବୁଲି ମାଗଣାରେ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି ବିଷ୍ଣୁପ୍ରିୟା। ତାଙ୍କୁ ଏହି କାମ ସମ୍ପର୍କରେ ପଚାରିଲେ ସେ କହନ୍ତି,‘‘ଗତ ଦେଢ଼ ବର୍ଷ ହେଲା ମୁଁ କରୋନା ରୋଗୀଙ୍କ ଚିକିତ୍ସା କରୁଛି। ଆଖି ସାମ୍ନାରେ ଅନେକ ଲୋକଙ୍କ ମୃତ୍ୟୁ ବି ଦେଖିସାରିଲିଣି। ତେଣୁ ମୁଁ ନିରବ ବସି ପାରୁନି। ମୋ ଦ୍ୱାରା ଯାହା ସମ୍ଭବ ମୁଁ ଲୋକଙ୍କୁ ସାହାଯ୍ୟ କରୁଛି’’।

କରୋନାର ପ୍ରଥମ ଲହରରେ ମଧ୍ୟ ବିଷ୍ଣୁପ୍ରିୟା ଏହି କାର୍ଯ୍ୟ ଜାରି ରଖିଥିଲେ। ଏବେ ଦ୍ୱିତୀୟ ଲହରର ସ୍ଥିତି ବେଶୀ ସାଂଘାତିକ। ତେଣୁ ଏଭଳି ସ୍ଥିତିରେ କେମିତି ବା ସେ ଚୁପ୍‌ ବସି ପାରିଥାଆନ୍ତେ। ସେଥିପାଇଁ ତ ସେ ଡ୍ୟୁଟି ସାରିବା ପରେ ପୁଣି ଥରେ କାମରେ ଲାଗି ପଡ଼ୁଛନ୍ତି। ଲୋକମାନେ ତାଙ୍କ ସାହାଯ୍ୟ ନିଅନ୍ତୁ ଓ ତାଙ୍କ ପାଖରେ ପହଞ୍ଚିବା ପାଇଁ ଯୋଗାଯୋଗ କରନ୍ତୁ ବୋଲି ସେ ଚାହୁଁଛନ୍ତି। ଏନେଇ ସେ ନିଜ ଫେସବୁକ୍‌ରେ ମଧ୍ୟ ଏକ ପୋଷ୍ଟ କରିଛନ୍ତି, ଯାହାଦ୍ୱାରା ଲୋକ ତାଙ୍କ ସହିତ ଯୋଗାଯୋଗ କରିପାରିବେ।

ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ଓ ଟିକାକରଣ କେନ୍ଦ୍ରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି କିଭଳି ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରହିବେ, ଓ ସେମାନଙ୍କ ମନୋବଳ ଯେମିତି ବଢ଼ିବ ସେଥିପାଇଁ ବିଷ୍ଣୁପ୍ରିୟା ସ୍ୱାସ୍ଥ୍ୟ ପରାମର୍ଶ ମଧ୍ୟ ଦେଉଛନ୍ତି।

ବାସ୍ତବରେ ବିଷ୍ଣୁପ୍ରିୟାଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ। ଯେଉଁଠି କରୋନାର ଲକ୍ଷଣ ଦେଖାଗଲେ ନିଜ ପରିବାର ଲୋକ, ସମ୍ପର୍କୀୟ ପାଖ ମାଡ଼ୁ ନାହାନ୍ତି। ସେଇଠି କରୋନା ରୋଗୀଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବିଷ୍ଣୁପ୍ରିୟା। ଏମିତି କୋଭିଡ ଯୋଦ୍ଧାଙ୍କୁ ସତ ସଲାମ।

Comment