ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ୍ ମାସ ମଧ୍ୟଭାଗ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବ। ଗଣମାଧ୍ୟମ ସମ୍ମୁଖରେ ଏଭଳି ମନ୍ତବ୍ୟ ରଖିଛନ୍ତି, ଇଣ୍ଟରନାଲ ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତର ନିରୋଜ କୁମାର ମିଶ୍ର। ସରକାରୀ ତଥ୍ୟ ଅନୁସାରେ, ଏବେ ଦୈନିକ ପ୍ରାୟ ୧୦ରୁ ୧୨ ହଜାର ନୂଆ ସଂକ୍ରମଣ ସାମ୍ନାକୁ ଆସୁଛି। ଏହି ଟ୍ରେଣ୍ଡ ଅନୁସାରେ ମେ’ ମାସ ଶେଷ ସୁଦ୍ଧା ବା ଜୁନ୍ ପ୍ରଥମ ସପ୍ତାହ ବେଳକୁ ସଂକ୍ରମଣ ହାର ୧୦ ହଜାର ତଳକୁ ଖସି ଆସିବ ବୋଲି କହିଛନ୍ତି ଡାକ୍ତର ମିଶ୍ର।

ସେ ଆଉ ମଧ୍ୟ କହିଛନ୍ତି, “ଜୁନ୍ ମଧ୍ୟଭାଗ ବେଳକୁ ଲୋକେ ଆଶ୍ୱସ୍ତି ପାଇବେ। ସେହି ସମୟରେ ସଂକ୍ରମଣ ହାର ଢେର କମିଯିବ ବୋଲି ଆଶା କରାଯାଉଛି। ରାଜ୍ୟରେ କରୋନା ହାର ଏବେ ସମତଳ ହେବା ଆରମ୍ଭ ହୋଇଛି। ଦୈନିକ ଯେତେ ସଂଖ୍ୟକ କୋଭିଡ ଟେଷ୍ଟ ହେଉନା କାହିଁକି ପଜିଟିଭ ହାର ୨୦ ପ୍ରତିଶତ ଭିତରେ ହିଁ ରହୁଛି। ତେଣୁ ଚଳିତ ମାସ ଶେଷ ବା ଜୁନ୍ ମାସ ଆରମ୍ଭରୁ କରୋନା ସଂକ୍ରମଣ ହ୍ରାସ ପାଇବ।”

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ମୁତାବକ, ଗତ ୨୪ଘଣ୍ଟା ମଧ୍ୟରେ ୧୦ହଜାର ୭୫୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେଉନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ପ୍ରତିଦିନ ୨୦ରୁ ଅଧିକ ଲୋକଙ୍କ ଜୀବନ ନେଉଛି ମହାମାରୀ କରୋନା। ରାଜ୍ୟରେ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଲକ୍‌ଡାଉନ୍ ବଳବତ୍ତର ରହିଛି।

LEAVE A REPLY

Please enter your comment!
Please enter your name here