ଓଡ଼ିଶାଲାଇଭ୍‌ ବ୍ୟୁରୋamarendra mohanty

ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ଘଟିଛି। କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ ୩ ଦିନ ହେଲା ଭେଣ୍ଟିଲେଟରରେ ଥିଲେ। ସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ତାଙ୍କ ଝିଅ ଅନ୍ୱେଷା ମହାନ୍ତି ସୂଚନା ଦେଇଛନ୍ତି। ଏହି ଖବର ଓଡ଼ିଆ ସଙ୍ଗୀତ ଜଗତକୁ ସ୍ତବ୍ଧ କରି ଦେଇଛି।

ଏପ୍ରିଲ ୨୪ରୁ ଅମରେନ୍ଦ୍ର ମହାନ୍ତି କୋଭିଡରେ ଆକ୍ରାନ୍ତ ହୋଇଥିଲେ। ଗତ ମେ’୩ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଗତ ୩ ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।

ଅମରେନ୍ଦ୍ର ମହାନ୍ତି ୧୯୫୮ରେ  ଫେବ୍ରୁଆରି ୬ରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ଜୀବନ କାଳରେ ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସେ ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ।

ଅକ୍ଷୟ ମହାନ୍ତିଙ୍କଠାରୁ ଅନେକ ସଙ୍ଗୀତଜ୍ଞଙ୍କ ସହ ସେ କାମ କରିଛନ୍ତି। ସୁପରହିଟ ଫିଲ୍ମ ‘ସୁନା ପଞ୍ଜୁରୀ’ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅମରେନ୍ଦ୍ର ମହାନ୍ତି। ସେ ଭିତରୁ ଏଭରଗ୍ରୀନ ଗୀତ ‘ପୁଚୁକି ଗାଲି’ ଗୀତ ଆଜି ବି ବେଶ ଲୋକପ୍ରିୟ ହୋଇ ରହିଛି। ସେହିପରି ‘କଣ୍ଢେଇ ଆଖିରେ ଲୁହ’, ‘ସରପଞ୍ଚ ବାବୁ’ ଭଳି ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସଙ୍ଗୀତ ଜଗତକୁ ତାଙ୍କର ଏହି ଅବଦାନ ପାଇଁ ସେ ଚିର ଦିନ ଅମର ରହିବେ।

Comment