ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ୍ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ଭାବେ ଡାକ୍ତର ଶ୍ରୀନାଥ ରେଡ୍ଡିଙ୍କୁ ଚୟନ କରାଯାଇଛି। ରେଡ୍ଡି ହେଉଛନ୍ତି ପବ୍ଲିକ ହେଲଥ୍ ଫାଉଣ୍ଡେସନ ଇଣ୍ଡିଆର ସଭାପତି ଓ ଏମ୍ସ ନୂଆଦିଲ୍ଲୀର କାରଡିଓଲୋଜି ବିଭାଗର ପ୍ରାକ୍ତନ ମୁଖ୍ୟ।

ସ୍ୱାସ୍ଥ୍ୟ ତାଲିମ ଓ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି ଏହି କମିଟିର ଆବାହକ ରହିଛନ୍ତି। କମିଟିର ଅନ୍ୟ ସଦସ୍ୟଙ୍କ ଭିତରେ ଅଛନ୍ତି ନାରାୟଣ ହୃଦୟାଳୟର ମୁଖ୍ୟ ଡାକ୍ତର ଦେବୀ ପ୍ରସାଦ ସେଟ୍ଟି ଓ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ରମାକାନ୍ତ ପଣ୍ଡା।

କୋଭିଡ୍ ପରିଚାଳନା, ଟୀକା କରଣ ଓ ତୃତୀୟ ଲହର ସମ୍ପର୍କରେ ଏହି କମିଟି ସରକାରଙ୍କୁ ପରାମର୍ଶ ଦେବେ। କମିଟିର ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ।

Comment