ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାମୀ ଚେତନାନନ୍ଦ ସରସ୍ୱତୀ (ପ୍ରଫେସର ଡକ୍ଟର ଚକ୍ରପାଣି ମିଶ୍ର)ଙ୍କ ପରଲୋକ ଘଟିଛି। ମଙ୍ଗଳବାର ବୈଶାଖ ଶୁକ୍ଳ ଷଷ୍ଠୀ ଶଙ୍କରାଚାର୍ଯ୍ୟ ଜୟନ୍ତୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୩ ମସିହା ମାର୍ଚ୍ଚ ୨୭ରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଏକ ଗରିବ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ଶ୍ରୀମଦ୍ ସ୍ୱାମୀ ନିଗମାନନ୍ଦ ପରମହଂସଙ୍କ ଶିକ୍ଷା ତାଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଶ୍ରୀମଦ୍ ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ୱତୀ ତାଙ୍କୁ ୧୯୯୫ ମସିହାରେ ସନ୍ନ୍ୟାସ ଦୀକ୍ଷା ଦେଇଥିଲେ।

ସେ ଜଣେ କୃତୀ ଛାତ୍ର ଥିଲେ। ଆମେରିକାର ଡେଭିସ୍ ସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ଡୋନାଲ୍ଡ ଆର ନିଲସେନଙ୍କ ତତ୍ତ୍ୱାବଧାନରେ ସେ ପିଏଚ୍‌ଡି କରିଥିଲେ। ପରବର୍ତ୍ତୀ ସମୟରେ ସେ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଓ ଗବେଷଣା କରି ୧୯୯୫ ମସିହାରେ ସେଠାରୁ ଅବସର ନେଇଥିଲେ। ଆଧ୍ୟାତ୍ମିକ ଦିଗରେ ତାଙ୍କର ନିଷ୍ଠା ପ୍ରତି ଅନୁରାଗ ତାଙ୍କ ବ୍ୟକ୍ତିତ୍ୱକୁ ଭିନ୍ନ କରି ଗଢ଼ିତୋଳିଥିଲା।

ସେ ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶରେ ଆଧ୍ୟାତ୍ମିକ ଅନୁଷ୍ଠାନଗୁଡ଼ିକର ପ୍ରଚାର ପ୍ରସାରରେ ବ୍ରତୀ ଥିଲେ। ବର୍ତ୍ତମାନ ବିଏନ୍ ଟ୍ରଷ୍ଟର ସର୍ବାଧିଶ ଭାବରେ ସ୍ୱାମୀ ଚେତନାନନ୍ଦ ସରସ୍ୱତୀ ସମଗ୍ର ଭାରତ ତଥା ବିଦେଶରେ ଉଭୟ ସନ୍ୟାସାଶ୍ରମ ଏବଂ ଗୃହସ୍ଥାଶ୍ରମରେ ଅନେକ ଆଧ୍ୟାତ୍ମିକ ସନ୍ଧାନକାରୀଙ୍କୁ ମାର୍ଗଦର୍ଶନ କରି ଆସୁଥିଲେ।

ସ୍ୱାମୀ ଚେତନାନନ୍ଦ ସରସ୍ୱତୀଙ୍କ ପରିବାରରେ ପାଞ୍ଚ ପୁଅ ଓ ଦୁଇ ଝିଅ ଥିଲେ। ସେମାନେ ସବୁ ନିଜ ନିଜ ସ୍ଥାନରେ ପ୍ରତିଷ୍ଠିତ। ସେମାନଙ୍କ ମଧ୍ୟରେ ଜ୍ୟେଷ୍ଠ ପୁତ୍ର ଡକ୍ଟର ଗଦାଧର ମିଶ୍ର ଶାନ୍ତି ଭଟ୍ଟନଗର ପୁରସ୍କାର ପ୍ରାପ୍ତ ଗଣିତଜ୍ଞ ଓ ଦ୍ଵିତୀୟ ପୁତ୍ର ଡକ୍ଟର ବରଦାକାନ୍ତ ମିଶ୍ର ଗୋଆସ୍ଥିତ ଆଇଆଇଟିର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ। ତୃତୀୟ ପୁତ୍ର ଅନ୍ନଦାକାନ୍ତ ମିଶ୍ର ଭାରତୀୟ ବାୟୁ ସେନାର ଅବସରପ୍ରାପ୍ତ ଅଧିକାରୀ, ଚତୁର୍ଥ ପୁତ୍ର ବାଙ୍ଗାଲୋରଠାରେ ଇଣ୍ଟେଲ କମ୍ପାନିରେ ଉଚ୍ଚ ପଦବୀରେ ଅବସ୍ଥାପିତ ଓ ପଞ୍ଚମ ପୁତ୍ର ଧନଦାକାନ୍ତ ମିଶ୍ର ହଂକଂଠାରେ କାର‌୍ୟ୍ୟରତ ଅଛନ୍ତି। ବଡ଼ ଝିଅ ନର୍ମଦା ଭିଲାଇଠାରେ ଶିକ୍ଷକତା କରୁଥିବାବେଳେ ସାନ ଝିଅ ଶର୍ମଦା କଲିକତାରେ ରୁହନ୍ତି।

Comment