ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଆଉ ଏକ ବାତ୍ୟା ‘ୟାସ୍’। ମେ’ ୨୬ ତାରିଖ ସକାଳେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ଅଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟାର ରୂପ ନେବ। ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ମେ’ ୨୬ ତାରିଖରେ ଏହା ଉପକୂଳ ଆଡ଼େ ମୁହାଁଇବ। ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଉପକୂଳ ଛୁଇଁପାରେ। ତେବେ ନିର୍ଦ୍ଧିଷ୍ଟ କେଉଁଠି ଏହା ଉପକୂଳ ଛୁଇଁବ, ତାହା ୨୨ ତାରିଖ ପରେ ଆକଳନ କରିହେବ।ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିବା ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ବାତ୍ୟାର ପ୍ରଭାବରେ ମେ’ ୨୫ରୁ ଉପକୂଳ ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଏହାକୁ ଦୃଷ୍ଟିରେ ରଖି ମେ’ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୨୪ରୁ ୨୭ ଯାଏଁ ଉତ୍ତର ବଙ୍ଗୋପସାଗର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।ଏଥିସହ ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ବୁଧବାର ଏକ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କୁ ବିଭିନ୍ନ ବିଭାଗୀୟ ସଚିବଙ୍କ ସମେତ ପୋଲିସ, ଅଗ୍ନିଶମ, ଏନ୍‌ଡିଆର୍‌ଏଫ୍ ଆଦି ବିଭାଗର ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା ଆଲୋଚନା କରିଥିଲେ। ବାତ୍ୟା ପାଇଁ ମ୍ୟାନ୍‌ ପାୱାର ଓ ମେସିନାରୀ ଆଦିକୁ ପ୍ରସ୍ତୁତ ରଖିବା ସହିତ ସଜାଗ ରହିବାକୁ ସେ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment