ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ଓ ବିଜେଡିର ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିଛି। ସେହି ଅବସରରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିସହ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ୫ଶହ କୋଟିର ସହାୟତା ରାଶିକୁ ମଧ୍ୟ ପ୍ରଶଂସା କରିଛନ୍ତି। ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି ଓଡ଼ିଶା। ତେଣୁ ଏଥିରୁ ମୁକୁଳିବା ପାଇଁ ଦୀର୍ଘମିଆଦି ଯୋଜନା ଜରୁରୀ ବୋଲି କହିଛନ୍ତି ବିଧାକୟ ମିଶ୍ର।
“ଆଜିର ଦିନରେ ମହାମାରୀ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କିନ୍ତୁ ଏହି ମହାମାରୀ କାଳରେ ବାତ୍ୟା ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇଛି। ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନକୁ ପ୍ରାଥମିକତା ଦେଇଛନ୍ତି । ମାଗଣାରେ ଲୋକମାନଙ୍କୁ କୋଭିଡ୍ ଚିକିତ୍ସା ଯୋଗାଇବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା”, କହିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର।ସେ ଆଉ ମଧ୍ୟ କହିଛନ୍ତି, “ରାଜ୍ୟରେ ଅର୍ଥନୀତିକୁ ସୁଧାରିବାକୁ ପ୍ରୟାସ ଜାରି ରହିଛି। ଦ୍ୱିତୀୟ ଲହର କରୋନା ସଂକ୍ରମଣ ଏପର୍ଯ୍ୟନ୍ତ ଟଳି ନଥିବାରୁ ସରକାର ନିଜର ଉଦ୍ୟମରେ ଲୋକମାନଙ୍କୁ ସହାୟତା ଯୋଗାଇ ଚାଲିଛନ୍ତି। ଓଡ଼ିଶା ସରକାର ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି। ଏଥିସହ ଏମ୍ଏସ୍ଏମ୍ଇ ଓ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।”
ୟାସ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଓଡ଼ିଶାରେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଦୁଇଟି ପ୍ରସଙ୍ଗରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ବାତ୍ୟା ୟାସ୍ ଦ୍ୱାରା ଯେଉଁ କ୍ଷତି ଘଟିଛି, ସେଥିପାଇଁ ଆମେ କେନ୍ଦ୍ର ଉପରେ କୌଣସି ଚାପ ପକାଇବାକୁ ଚାହୁଁନାହୁଁ। ରାଜ୍ୟ ସରକାରଙ୍କ ପାଣ୍ଠିରେ ଯେତିକି ଅର୍ଥ ରହିଛି, ସେଥିରେ ଏହାର ମୁକାବିଲା ପାଇଁ ରାଜ୍ୟ ପ୍ରସ୍ତୁତ ରହିଛି।
ଅନ୍ୟପଟେ ପରବର୍ତ୍ତୀ ସମୟରେ କେନ୍ଦ୍ର ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ୫୦୦କୋଟି ଟଙ୍କା ସହୟତା ରାଶି ଘୋଷଣା କରାଯାଇଛି। ଏଥିସହ ମୃତକଙ୍କ ପରିବାରକୁ ୨ଲକ୍ଷ ଏବଂ ଗୁରୁତର ଆହତଙ୍କ ପରିବାରକୁ ୫୦ହଜାର ଟଙ୍କାର ସହାୟତା ରାଶି ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଥିଲା।