ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍‌ର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣରେ ରାଜଧାନୀ ଭୁବନେଶ୍ଵରରେ ବାସ କରୁଥିବା ମଧ୍ୟବିତ୍ତ ପରିବାରର ଲୋକେ ବେଶୀ କ୍ଷତି ସହିଛନ୍ତି। ଗତ ତିନି ମାସ ମଧ୍ୟରେ ଯେତେ କରୋନା ମାମଲା ଆସିଛି ସେଥି ମଧ୍ୟରୁ ୭୫ ଭାଗ ରୋଗୀ ହେଉଛନ୍ତି ମଧ୍ୟବିତ୍ତ ଶ୍ରେଣୀର। ପ୍ରଥମ ଲହରରେ ଧନୀ ଓ ଗରିବ ଲୋକେ ବେଶୀ ଆକ୍ରାନ୍ତ ହୋଇଥିବା ବେଳେ ଏଥର ଏହା ବେଶୀ ଦୁଃଖ ଦେଇଛି ମଧ୍ୟବିତ୍ତ ପରିବାରଗୁଡ଼ିକୁ। କଣ୍ଟ୍ରାକ୍ଟ ଟ୍ରେସିଂ ଓ ରୋଗୀଙ୍କ ଡାଟାକୁ ଅନୁଧ୍ୟାନ କରି ଭୁବନେଶ୍ଵର ମହାନଗର ନିଗମ ଏହି ନିଷ୍କର୍ଷରେ ପହଞ୍ଚିଛି।

ବିନ୍ଦାସ ବସ୍ତି

ଦ୍ଵିତୀୟ ଲହର ସମୟରେ କୋଭିଡ୍ କେସ୍‌ର ଲୋଡ୍ ବଢିଥିଲେ ହେଁ ରାଜଧାନୀର ବସ୍ତିଗୁଡିକ ସଂକ୍ରମଣର ଭୟାବହତାରୁ ବାଦ ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ବସ୍ତିଗୁଡ଼ିକରୁ ବେଶୀ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ଥର ବସ୍ତି ଅଞ୍ଚଳର ୨୭ ପ୍ରତିଶତ ଲୋକଙ୍କୁ କରୋନା ଧରିଥିବା ବେଳେ ଏଥର ସଂକ୍ରମଣ ହାର ମାତ୍ର ୫ ପ୍ରତିଶତରେ ସୀମିତ ରହିଛି। ପରିସଂଖ୍ୟାନ ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳରେ ଦ୍ଵିତୀୟ ଲହରରେ ୪୦ ହଜାର ମାମଲା ଆସିଥିଲା। ଏଥିରେ ୮୫ ଜଣ ପ୍ରାଣ ହରାଇଥିଲେ। ତେବେ ଡାଟା ସ୍ପଷ୍ଟ ପ୍ରମାଣିତ କରୁଛି ଯେ ଦ୍ଵିତୀୟ ଲହରରେ ମଧ୍ୟବିତ୍ତ ଶ୍ରେଣୀର ବେଶୀ କ୍ଷତି କରିଛି କରୋନା ଓ ତାର କାରଣ ବି ରହିଛି।ବେଶୀ ସଂକ୍ରମିତ ହୋଇଥିବା ଓ୍ଵାର୍ଡ

ବିଏମସି ତଥ୍ୟ ଅନୁସାରେ ଦ୍ଵିତୀୟ ଲହରରେ ବେଶୀ ମାମଲା ଆସିଥିଲା ୨, ୩, ୧୭ ଓ ୨୩ ନମ୍ବର ୱାର୍ଡରୁ। ଏହି ସବୁ ୱାର୍ଡରୁ ଏକ ହଜାରରୁ ଅଧିକ ମାମଲା ପଞ୍ଜୀକରଣ ହୋଇଥିଲା। ଏହି ସବୁ ଅଞ୍ଚଳ ହେଲା ସାଂପୁର, କଳିଙ୍ଗ ନଗର, ଘାଟିକିଆ, ପଟିଆ, କାନନ ବିହାର, ଶ୍ରୀ ବିହାର, ଡମଣା, ଆଇଆରସି ଭିଲେଜ, ଜୟଦେବ ବିହାର ଓ ନୟାପଲ୍ଲୀ।କିଏ କେଉଁ ମତେ

ଏମ୍‌ସ ଭୁବନେଶ୍ଵରର ଏସୋସିଏଟ ପ୍ରଫେସର ଡାକ୍ତର ବିନୋଦ ପାତ୍ରଙ୍କ ମତରେ, ଧନୀ-ଗରିବ କିମ୍ଵା ମଧ୍ୟବିତ୍ତ ଶ୍ରେଣୀ ଏହିଭଳି ବାଛି ବାଛି କରୋନା ଭୂତାଣୁ କେବେବି ଦେହରେ ପ୍ରବେଶ କରେ ନାହିଁ। କିନ୍ତୁ ବିଏମସି ଡାଟାକୁ ତର୍ଜମା କଲେ ହୁଏତ ଏହା କୁହାଯାଇପାରେ ଯେ କରୋନା ଶୀର୍ଷରେ ଥିବା ବେଳେ ଘରର ଆୟ ପାଇଁ ଓ ଜୀବିକା ନିର୍ବାହ ସକାଶେ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ବେଶୀ ବାହାରକୁ ଯିବାକୁ ପଡ଼ିଥିଲା। ଏମିତି ତ ଧନୀ ଲୋକଙ୍କୁ ବିଶେଷ ପଦାକୁ ଯିବାକୁ ପଡ଼େନାହିଁ। ଗରିବ ଲୋକମାନଙ୍କ ପାଇଁ ତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଘର ଦୁଆରେ ପହଞ୍ଚାଇ ଦିଆଯାଉଛି। ତେଣୁ ମଧ୍ୟବିତ୍ତମାନେ ଦ୍ଵିତୀୟ ଲହରରେ ସର୍ବାଧିକ ପ୍ରଭାବିତ ହୋଇଥିବା ସ୍ପଷ୍ଟ ହୋଇଛି।ବେପରୁଆ ମନୋଭାବ

ସମ୍ ହସ୍ପିଟାଲର କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଡାକ୍ତର ମନୋଜ ସାହୁଙ୍କ କହିବା କଥା ହେଲା ପ୍ରଥମ ପର୍ଯ୍ୟାୟ କରୋନା ଚାଲିଯିବା ପରେ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏହାକୁ ଟିକିଏ ହାଲୁକା ଭାବରେ ନେଲେ। ପ୍ରଥମ ଥର ବିଶେଷ କିଛି ନହେବାରୁ ସେମାନେ ମନଇଚ୍ଛା ବାହାରେ ବୁଲିଲେ ଓ ବେପରୁଆ ହୋଇଗଲେ। ସେମାନେ ଜାଣି ପାରିନଥିଲେ ଯେ କରୋନାର ଦ୍ଵିତୀୟ ଲହରଟି ଆସିବ ଓ ଏହା ପୂର୍ବାପେକ୍ଷା ଅଧିକ ସାଙ୍ଘାତିକ ହେବ। ତେଣୁ ତାଙ୍କର ବେପରୁଆ ମନୋଭାବ ପାଇଁ ସ୍ଥିତି ଏପରି ହୋଇଛି।

Comment