ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ଛତିଶଗଡ଼ କଂଗ୍ରେସର ସହପ୍ରଭାରୀ ଦାୟିତ୍ଵ ଦିଆଯାଇଛି। କଂଗ୍ରେସ ଅଧ୍ୟାକ୍ଷା ସୋନିଆ ଗାନ୍ଧୀ ତାଙ୍କୁ ଏହି ଦାୟିତ୍ଵ ଦେଇଛନ୍ତି। ଏନେଇ ଗୁରୁବାର ଏଆଇସିସିର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏକ ପ୍ରେସବିଜ୍ଞପ୍ତି ଜାରି କରିଛନ୍ତି।

ଜଣେ ଯୁବ ସାଂସଦ ତଥା କୋରାପୁଟ ଜିଲ୍ଲାର ଜଣେ କଂଗ୍ରେସ ନେତାଙ୍କୁ ଏଭଳି ସ୍ଵତନ୍ତ୍ର ଭାବେ ଗୋଟିଏ ରାଜ୍ୟର ଦାୟିତ୍ଵ ମିଳିବା ପ୍ରଥମ। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଏକ ମାତ୍ର କଂଗ୍ରେସ ସାଂସଦ ଭାବେ ସପ୍ତଗିରି ଉଲ୍ଲାକା ଲୋକସଭାକୁ ନିର୍ବାଚିତ ହୋଇ ଚର୍ଚ୍ଚାକୁ ଆସିଥିଲେ। ନିଜର ସାଙ୍ଗଠନିକ ଦକ୍ଷତା ଓ ଜାତୀୟ ରଜନୀତିରେ ବିଭିନ୍ନ ବିଷୟକୁ ନେଇ ସେ ସବୁବେଳେ ଚର୍ଚ୍ଚା ପରିସରରେ ରହିଥିବାରୁ ଏଆଇସିସି ତାଙ୍କୁ ଏହି ଦାୟିତ୍ଵ ଦେଇଛି।

ଛତିଶଗଡ଼ କଂଗ୍ରେସର ଦାୟିତ୍ୱ ମିଳିବା ପରେ ସାଂସଦ ଉଲ୍ଲାକା କଂଗ୍ରେସ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ୨୦୨୪ରେ ଛତିଶଗଡ ନିର୍ବାଚନରେ କିଭଳି ଭାବେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ସେନେଇ ସାଂସଦ ଉଲ୍ଲାକା ତାଙ୍କର ଅହରହ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।

ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ଛତିଶଗଡ଼ କଂଗ୍ରେସର ଦାୟିତ୍ଵ ମିଳିବା ପରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ତଥା ରାଜ୍ୟ କାର୍ଯ୍ୟକାରୀ କମିଟି ସଭାପତି ପ୍ରଦୀପ ମାଝି, କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comment