ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଅନଲକ୍‌ ପ୍ରକ୍ରିୟା ନେଇ କୌଣସି ସ୍ପଷ୍ଟ ସଂକେତ ମିଳୁନାହିଁ। ଜୁନ୍‌ ୧୭ ତାରିଖ ଗୁରୁବାର ଦିନ ଲକ୍‌ଡାଉନ୍‌ ଶେଷ ହେବ। ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟରେ ସଂକ୍ରମଣ ଲଗାତାର କମୁଥିବାରୁ ଅଧିକ ସମୟ ଲକ୍‌ଡାଉନ୍‌ ଜାରି ରଖିବା ଜରୁରୀ ନୁହେଁ ବୋଲି ଚିନ୍ତା କରାଯାଉଛି। ତେବେ ରଜ ପରେ ହିଁ ଅନଲକ୍‌ ପ୍ରକ୍ରିୟା ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଅନଲକ୍‌ ପୂର୍ବରୁ ସମସ୍ତ କଥା ବିଚାରକୁ ନିଆଯିବ ଓ ଏକ ପୂର୍ଣ୍ଣାଙ୍ଗ ସମୀକ୍ଷା କରାଯିବ। କିନ୍ତୁ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତରୁ କମ୍‌ ରହିଛି, ସେ ସବୁ ଜିଲ୍ଲାରୁ ତାଲାବନ୍ଦ ଉଠାଇ ଦିଆଯିବ।ସେ ଆଉ ମଧ୍ୟ କହିଛନ୍ତି, “ରାଜ୍ୟରେ ମହାମାରୀ ଅବସ୍ଥା ଭଲ ଅଛି। ଯେଉଁ ସବୁ ଜିଲ୍ଲାରେ ଅଧିକ ସଂକ୍ରମଣ ନଜରକୁ ଆସୁଛି ସେହି ଜିଲ୍ଲାରେ ସର୍ଭେଲାନ୍ସ ବଢ଼େଇ ଦିଆଯାଇଛି ଓ ଟେଷ୍ଟିଂକୁ ବ୍ୟାପକ କରାଯାଇଛି। ଯେଉଁମାନେ ପଜିଟିଭ ବାହାରୁଛନ୍ତି ସେମାନଙ୍କୁ ହୋମ୍‌ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି।”ଅନ୍ୟପଟେ ଏବେ ରାଜ୍ୟରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ପୂର୍ବରୁ ଦୈନିକ ସଂକ୍ରମଣ ୧୦ହଜାରରୁ ଅଧିକ ରହୁଥିବାବେଳେ, ଏବେ ଏହା ୬ହଜାର ତଳକୁ ଖସିଛି। କିନ୍ତୁ ମୃତ୍ୟୁ ସଂଖ୍ୟା ଏ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହେଉନାହିଁ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ପ୍ରତିଦିନ ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହେଉଛି।

Comment