ଓଡ଼ିଶାଲାଇଭ୍ ବ୍ୟୁରୋ

  • ତୃତୀୟ ଲହରର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରୁହ – ମୁଖ୍ୟମନ୍ତ୍ରୀ
  • ଡବଲ ମାସ୍କ ପିନ୍ଧିବା ଓ ଟିକା ନିଶ୍ଚୟ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ଵାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦ୍‌ଘାଟନ କରିଛନ୍ତି। ଏହି ୮ଟି ଜିଲ୍ଲା ହେଉଛି ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ।

ରାଜ୍ୟରେ ମୋଟ୍ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ୍ ଉତ୍ପାଦନ ବ୍ୟବସ୍ଥା (ପିଏସ୍ଏ ପ୍ଲାଣ୍ଟ୍) କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିଲେ। ସେଥିମଧ୍ୟରୁ ଜୁନ୍ ୯ ତାରିଖରେ ୭ଟିର ଭିତ୍ତିପ୍ରସ୍ତର ରଖାଯାଇ ସାରିଥିବା ବେଳେ ଆଜି ୮ଟି ପିଏସ୍ଏ ପ୍ଲାଣ୍ଟ୍‌ର ଭିତ୍ତିପ୍ରସ୍ତର ରଖାଯାଇଛି। ଏହି ସମସ୍ତ ପିଏସ୍ଏ ପ୍ଲାଣ୍ଟ୍ ଦ୍ଵାରା ମିନିଟ୍‌ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍ସିଜେନ ଉତ୍ପାଦିତ ହୋଇପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ୍ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି, ତଥାପି ଆମକୁ ଆହୁରି ସାବଧାନ ହେବାକୁ ପଡିବ। ତୃତୀୟ ଲହର ପାଇଁ କେତେକ ରାଜ୍ୟରେ ବିଶେଷଜ୍ଞମାନେ ସତର୍କ ସୂଚନା ଦେଲେଣି। ତେଣୁ ଆମକୁ ଏଥିପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡ଼ିବ। ଏହାସହିତ ସବୁବେଳେ ଡବଲ ମାସ୍କ ପିନ୍ଧିବା ଏବଂ ଟିକା ନିଶ୍ଚିତ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ବିରୁଦ୍ଧରେ ଆମ ଲଢେଇ ଜାରି ରହିଛି। ଏପ୍ରିଲରୁ ଆରମ୍ଭ ହୋଇଥିବା ଦ୍ଵିତୀୟ ଲହରରେ ରୋଗୀଙ୍କ ଅକ୍ସିଜେନ ସ୍ତର କମିବା ଏକ ବଡ଼ ସମସ୍ୟା ହୋଇଥିବା ଦେଖାଦେଇଛି। ତେଣୁ ଆମର ସବୁ ହସ୍ପିଟାଲରେ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି।

‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ – ଏହା ହେଉଛି ଆମର ସବୁ ବିପର୍ଯ୍ୟୟ ପରିଚାଳନାର ଆଧାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ମାହାମାରୀ କ୍ଷେତ୍ରରେ ମଧ୍ୟ ଏହି ଆଧାରରେ ସବୁ କୋଭିଡ୍ ରୋଗୀଙ୍କୁ ମାଗଣାରେ ଚିକିତ୍ସାସେବା ଓ ଔଷଧ ଯୋଗାଇ ଦିଆଯାଉଛି ବୋଲି କହି ମୁଖ୍ୟମନ୍ତ୍ରୀ ଆଗଧାଡିରେ ରହି କାମ କରୁଥିବା ସମସ୍ତ ଡାକ୍ତର, ସ୍ଵାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସେମାନଙ୍କର ସେବା ଓ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ପରିଶେଷରେ ସମସ୍ତଙ୍କ ସହଯୋଗରେ ଓଡ଼ିଶା ସହିତ ସାରା ମାନବ ଜାତି କୋଭିଡ୍ ଲଢେଇରେ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ କହିଥିଲେ।ଏହି ଅବସରରେ ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ଦାଶ, ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ରାଜ୍ୟସଭା ସାଂସଦ ଏବଂ ବିଧାୟକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କୋଭିଡ୍ ଲଢେଇରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵର ଉଚ୍ଚପ୍ରଶଂସା କରିଥିଲେ।

ସେହିପରି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ସ୍ଵାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ଵାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ଵାଗତ ଭାଷଣ ଦେଇଥିଲା ବେଳେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Comment