ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଅନାଥ ହୋଇଥିବା ପିଲାମାନଙ୍କ ଶିକ୍ଷା, ସ୍ଵାସ୍ଥ୍ୟ, ଭରଣପୋଷଣ ଓ ଯତ୍ନ ଆଦି ସମସ୍ତ ଦାୟିତ୍ଵ ନେବେ ରାଜ୍ୟ ସରକାର। ବିଶ୍ଵ ପିତୃ ଦିବସ ଅବସରରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଶୀର୍ବାଦ’ ନାମରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁସାରେ ୨୦୨୦ ଏପ୍ରିଲ ପହିଲା ପରଠାରୁ ବାପା-ମା’ଙ୍କୁ ହରାଇଥିବା ପିଲାଙ୍କୁ ସରକାର ଆର୍ଥିକ ସହାୟତା ଦେବେ।

ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ବାପା, ମା’ ଉଭୟଙ୍କୁ ହରାଇଥିବା ପିଲା, ଦ୍ଵିତୀୟରେ ଜଣେ ଅଭିଭାବକ ବା ସିଙ୍ଗଲ୍‌ ପ୍ୟାରେଣ୍ଟଙ୍କୁ ହରାଇ ଥିବା ପିଲା ଏବଂ ତୃତୀୟରେ ଉପାର୍ଜନକାରୀ ବାପା ବା ମା’ଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲାମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ‘ଆଶୀର୍ବାଦ’ ଯୋଜନାରେ ଏହି ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟସ୍ଵଜନମାନଙ୍କ ଗହଣରେ ହିଁ ରହିବେ। ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ, ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ।

‘ଆଶୀର୍ବାଦ’ ଯୋଜନା ଅନୁଯାୟୀ ୨୦୨୦ ଏପ୍ରିଲ ପହିଲା ପରଠାରୁ ରାଜ୍ୟରେ ଯେଉଁ ପିଲାମାନେ ଅନାଥ ହୋଇଥିବେ, ସେମାନଙ୍କ ଦାୟିତ୍ୱ ନେଉଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପୋଷଣ, ଶିକ୍ଷା ଓ ସ୍ଵାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ସରକାର ଜମା କରିବେ। ପିଲାକୁ ୧୮ ବର୍ଷ ହେବା ପର୍ଯନ୍ତ ଏହି ସହାୟତା ଜାରି ରହିବ। ତା’ ପୂର୍ବରୁ ଯଦି ପିଲାକୁ କେହି ପୋଷ୍ୟ ଭାବରେ ଗ୍ରହଣ କରେ, ତେବେ ଆଉ ସହାୟତା ଦିଆଯିବ ନାହିଁ।

ସେହିପରି ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବୀମା ଯୋଜନା ‘ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନାଥ ପିଲାମାନଙ୍କୁ ମାଗଣା ଚିକିତ୍ସା ସୁବିଧା ଦିଆଯିବ। ଏଥିସହିତ ଆବଶ୍ୟକସ୍ଥଳେ ପିଲାଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯିବ। ବାପା ମା’ଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢ଼ୁଥିଲେ, ସେହି ସ୍କୁଲରେ ସେ ପଢ଼ା ଜାରି ରଖି ପାରିବେ। ଯଦି ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥିବେ, ତେବେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ। ଆବଶ୍ୟକ ପଡ଼ିଲେ, ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ କିମ୍ଵା ସେହି ମାନର ବିଦ୍ୟାଳୟରେ ପିଲାର ପଢ଼ିବା ପାଇଁ ସରକାର ସାହାଯ୍ୟ କରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳ ସମସ୍ତ ସହଯୋଗ ଯୋଗାଇ ଦେବେ। ଉଚ୍ଚଶିଷା ପାଇଁ ପିଲାକୁ ରାଜ୍ୟ ସରକାରଙ୍କ ‘ଗ୍ରୀନ୍ ପ୍ୟାସେଜ୍‌’ ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ।

ବାପା, ମା’ଙ୍କୁ ହରାଇବା ପରେ ପିଲା ଯଦି କୌଣସି ଚାଇଲ୍ଡ କେୟାର୍‌ ହୋମ୍‌ରେ ରହନ୍ତି, ତେବେ ସେ କ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ଏକ ହଜାର ଟଙ୍କା ରିକରିଂ ଡିପୋଜିଟ୍‌ ଭାବେ ପ୍ରତି ମାସରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ଜମା କରାଯିବ। ଅନୁଷ୍ଠାନ ପକ୍ଷରୁ ପିଲାର ଶିକ୍ଷା, ସ୍ଵାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ଦାୟିତ୍ଵ ବହନ କରାଯିବ।ସେହିପରି ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା କିମ୍ଵା ମା’ଙ୍କ ଭିତରୁ ଜଣେ କାହାର ମୃତ୍ୟୁ ଘଟିଥିବ, ସେହି କ୍ଷେତ୍ରରେ ପିଲାକୁ ଅଠର ବର୍ଷ ହେବା ପର୍ଯ୍ୟନ୍ତ ତା’ର ଭରଣପୋଷଣ କରୁଥିବା ମା’ କିମ୍ବା ବାପା କିମ୍ବା ପିଲାର ବ୍ୟାଙ୍କ ଖାତାରେ ମାସିକ ୧୫୦୦ ଟଙ୍କା ଜମା କରାଯିବ। କିନ୍ତୁ ପିଲାଟିକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି, ସେ କ୍ଷେତ୍ରରେ ଆଉ ସହାୟତା ମିଳିବ ନାହିଁ। ପିଲାର ମା’ ଯଦି ମଧୁବାବୁ ପେନ୍‌ସନ୍ ପାଇଁ ଯୋଗ୍ୟ ହୋଇଥା’ନ୍ତି, ତେବେ ତାଙ୍କ ପାଇଁ ବିଧବା ଭତ୍ତା ମଞ୍ଜୁର କରାଯିବ। ଏହା ସହିତ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମଧ୍ୟ ମିଳିବ।

ଏହି ଯୋଜନାକୁ କାର୍ଯ୍ୟକ୍ଷମ କରିବା ପାଇଁ ଚାଇଲ୍ଡ ଲାଇନ୍ ତଥା ପଞ୍ଚାୟତସ୍ତରୀୟ କମିଟି, ବ୍ଲକ କମିଟି, ସିଭିଲ୍‌ ସୋସାଇଟି ଜରିଆରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏହି ଅନାଥ ପିଲାଙ୍କୁ ଚିହ୍ନଟ କରି ତାର ତାଲିକା ପ୍ରସ୍ତୁତ କରିବେ। ସେହିପରି ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇ ଥିବା ଆତ୍ମୀୟମାନେ ମଧ୍ୟ ମୃତ୍ୟୁ ପ୍ରମାଣ ପତ୍ର ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌କୁ ଆବେଦନ କରିପାରିବେ।

Comment