ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ତା’ର ସଂଗଠନକୁ ସୁଦୃଢ଼ ଓ କ୍ରିୟାଶୀଳ କରିବ। ମଙ୍ଗଳବାର ଦିନ ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଏନେଇ ୧୦ଟି ଚିଠା ପ୍ରସ୍ତାବ ଗୃହୀତ ହୋଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାରର ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ନିଜର ଅପାରଗପଣିଆ ପାଇଁ ରାଜ୍ୟକୁ ବିପଦ ମୁହଁକୁ ଠେଲିଦେଇଛନ୍ତି ବୋଲି ବିଜେପି ଦାବି କରିଛି। ରାଜ୍ୟ ସରକାରଙ୍କର ଏହି ଅପାରଗତା ଓ କେଳେଙ୍କାରୀକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ ଓ ଜନମତ ସୃଷ୍ଟି କରିବ ବୋଲି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଇଛି।

କରୋନା ପାଇଁ କାର୍ଯ୍ୟକାରିଣୀ ବୈଠକକୁ ଭର୍ଚୁଆଲ ମୋଡ୍‌ରେ ଆୟୋଜନ କରାଯାଇଥିଲା। ଏଥିରେ ବିଜେଡି ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ଦଳର ରୋଡ୍‌ମ୍ୟାପକୁ ନେଇ ଚର୍ଚ୍ଚା ହୋଇଥିଲା।ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କରୋନା ସଂକ୍ରମଣ ଭଳି ଏକ ବଡ ବିପତ୍ତିର ଶିକାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ବ୍ୟାପକ ଅର୍ଥ ବରାଦ କରିବା, ବିପର୍ଯ୍ୟୟ ପରିଚାଳନା ପାଇଁ ହାତଖୋଲା ସହାୟତା ଦେବା, କରୋନା ସଂକ୍ରମଣ ବିରୁଦ୍ଧରେ ଲଢେଇ କରିବା ପାଇଁ ସମସ୍ତ ଆର୍ଥିକ ସହାୟତା ଦେବା ସତ୍ତ୍ଵେ ରାଜ୍ୟ ସରକାର ଓଡ଼ିଶାକୁ ବିପଦ ମୁହଁକୁ ଠେଲିଦେଇଛନ୍ତି।covid testing centers-2ସ୍ୱାସ୍ଥ୍ୟ ବିଭାଗ ଓ ସ୍ଥାନୀୟ ପ୍ରଶାସନର ସ୍ଥାଣୁତା ପାଇଁ ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଚରମସୀମାରେ ପହଞ୍ଚିଛି। ବିଜେପିର ବାରମ୍ବାର ଦାବି ସତ୍ତ୍ଵେ ସରକାର ଟେଷ୍ଟିଂର ସଂଖ୍ୟା ବୃଦ୍ଧି ନକରିବା ଓ ସଠିକ୍ ଟ୍ରେସିଂ ଅଭାବ କାରଣରୁ ବହୁ ବ୍ୟକ୍ତି ବିଳମ୍ବିତ ଚିକିତ୍ସା ଯୋଗୁଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ସେହିପରି କୌଣସି ବି ମେଡିକାଲ କଲେଜରେ ଅତ୍ୟାଧୁନିକ ଇକୋମୋ ମେସିନ୍ ଉପଲବ୍ଧ ନାହିଁ। କୌଣସି ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଆମ୍ବୁଲାନ୍ସ ନଥିବା କାରଣରୁ ଗ୍ରାମାଞ୍ଚଳବାସୀ ବହୁ ପ୍ରଭାବିତ ହୋଇଛନ୍ତି। ନିମ୍ନମାନର ସ୍ୱାସ୍ଥ୍ୟ ଭିତ୍ତିଭୂମି, ଡାକ୍ତରଙ୍କର ଅଭାବ ରାଜ୍ୟର ସାଧାରଣ ଜନତାଙ୍କର ପାଇଁ ଏକ ବିରାଟ ବିପତ୍ତି ସୃଷ୍ଟି କରିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଦ୍ୟୁତ୍ ବିତରଣ ଦାୟିତ୍ୱ ଟାଟା ପାୱାର ନେବାପରେ ଡିସକମ ଫ୍ରାଞ୍ଚାଇଜମାନଙ୍କ ପାଖରେ କାର୍ଯ୍ୟ କରୁଥିବା ପାଖାପାଖି ୪୫୦୦ ଯୁବକ ଯୁବତୀଙ୍କୁ ବିନା କାରଣରେ ଛଟେଇ କରିଦିଆଗଲା। ପୂର୍ବରୁ କୋଭିଡ୍ ସେଣ୍ଟରରେ କାମ କରିଥିବା ଶହ ଶହ ସଂଖ୍ୟାର ନର୍ସିଂ ଟ୍ରେନିଂ ପ୍ରାପ୍ତ ଝିଅ, ସ୍କୁଲ କଲେଜମାନଙ୍କର କଳା ଶିକ୍ଷକ ଓ କମ୍ପ୍ୟୁଟର ଶିକ୍ଷକଙ୍କର ଛଟେଇ କରାଯାଇଛି।ରାଜ୍ୟର ପାଖାପାଖି ୧୨ଟି ଜିଲ୍ଲା ଅଲଗା ରାଜ୍ୟମାନଙ୍କର ସୀମା ସହିତ ଲାଗି ରହିଥିବା ବେଳେ ଏହାକୁ ନେଇ ଦୀର୍ଘ ଦିନଧରି ବିବାଦ ଦେଖାଦେଇଛି। ସୀମା ବିବାଦକୁ ନେଇ ଅଧ୍ୟୟନ କରିବାକୁ ଓ ସମାଧାନର ସୂତ୍ର ପାଇଁ ଦଳ ପକ୍ଷରୁ ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ତେଣୁ ଜଳ ବିବାଦ ସମାଧାନ ଦିଗରେ ରାଜ୍ୟ ସରାକର ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କାର୍ଯ୍ୟକାରିଣୀରେ ଦାବି କରାଯାଇଛି।

ସେହିପରି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ହାସଲ ହୋଇପାରୁ ନାହିଁ। ବଂଶଧାରା ନଦୀ ଟ୍ରିବ୍ୟୁନାଲର ରାୟ ଓଡ଼ିଶା ବିପକ୍ଷରେ ଯାଇଛି। ରାଜ୍ୟ ସରକାରଙ୍କର ଅପାରଗତା ଓ ପ୍ରାମାଣିକ ତଥ୍ୟଭିତ୍ତିକ ନଥିପତ୍ର ଦେଇ ନପାରିବାର କାରଣରୁ ରାୟ ଓଡ଼ିଶା ବିରୁଦ୍ଧରେ ଗଲା। ଆନ୍ଧ୍ରପ୍ରଦେଶ ବଂଶଧାରାର ତଳ ମୁଣ୍ଡରେ ୪ଟି ପ୍ରକଳ୍ପ ନିର୍ମାଣ କରିସାରିଥିବାବେଳେ ଓଡ଼ିଶା ସରକାର ଗୋଟିଏ ବି ପ୍ରକଳ୍ପ ଆରମ୍ଭ କରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି।କାର୍ଯ୍ୟକାରିଣୀରେ ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ଆଇଏମଏମଟିର ଜମିକୁ ଜବରଦସ୍ତ ନେଇ ଯାଇ ଜମି ଦଲାଲୀ କରିବାର ପ୍ରଚେଷ୍ଟା କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ରିସର୍ଚ ଲାବ୍ରୋଟୋରୀକୁ ୧୯୬୦ ମସିହାରେ ଯେଉଁ ଜମି ଦିଆଯାଇଥିଲା, ତାକୁ ପୁଣି ଫେରାଇ ନେବାକୁ ରାଜ୍ୟ ସରକାର ହୀନ ଉଦ୍ୟମ ଆରମ୍ଭ କରିଛନ୍ତି।ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର ଓ ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି କେ.ଭି ସିଂହଦେଓ, ମନମୋହନ ସାମଲ ଓ ସାଂସଦ ସୁରେଶ ପୁଜାରୀ, ବରିଷ୍ଠ ନେତା ଡକ୍ଟର ଗିରିଧର ଗମାଙ୍ଗୋ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିହାର, ରବି ନାଏକ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ବିରଞ୍ଚି ତ୍ରିପାଠୀ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ସମସ୍ତ  ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comment