ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ପ୍ରକାଶ ପାଇଥିବା ଫଳାଫଳରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫଲାଇନ ଜରିଆରେ ପୁଣିଥରେ ପରୀକ୍ଷା ଦେଇପାରିବେ। ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରାଯିବ। ଏଥିପାଇଁ ୧୦ଦିନର ସମୟ ନିର୍ଦ୍ଧାରଣ କରାଯାଇଛି। ପରୀକ୍ଷାର ୧୫ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ। ସେହି ପରୀକ୍ଷା ଫଳକୁ ଆଧାର କରି ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇରେ ଆଡମିସନ କରିପାରିବେ। ଏନେଇ ଆଜି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଏବର୍ଷ ମାଟ୍ରିକ ପରୀକ୍ଷା ଫଳକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବାପରେ ମଙ୍ଗଳବାର ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଛାତ୍ରଛାତ୍ରୀମାନଙ୍କ ମନରେ ଥିବା ଦ୍ଵନ୍ଦ୍ଵକୁ ଦୂର କରାଯାଇଛି।

ସ୍ଵତନ୍ତ୍ର କୋର କମିଟି ଗଠନ କରାଯାଇ ମୂଲ୍ୟାୟନର ତର୍ଜମା କରାଯାଇଥିଲା। ୨୦୧୭ ବର୍ଷଠାରୁ ଆରମ୍ଭ କରି ୨୦୨୦ବର୍ଷ ପର୍ଯ୍ୟନ୍ତ ୪ବର୍ଷର ପ୍ରଦର୍ଶନକୁ ବିଚାରକୁ ନେଇ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିସହ ସିବିଏସଇର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇଥିଲା।କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଗୁରୁତ୍ଵ ଦେଇ ମାଟ୍ରିକ ପରୀକ୍ଷା ବାତିଲ କରାଯାଇଥିଲା। ପରୀକ୍ଷା ବାତିଲପରେ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲା ଶିକ୍ଷାଧିକାରୀ, ଶିକ୍ଷାବିତ୍, ଡିଇଓ ଓ କୋର୍ କମିଟି ସହ ଆଲୋଚନା କରି ନବମ ଓ ଦଶମ ଶ୍ରେଣୀର ଟେଷ୍ଟ ମାର୍କ ଆଧାରରେ ଫଳ ପ୍ରକାଶ କରାଯାଇଥିଲା। କିନ୍ତୁ ଏଥିରେ ଅନେକ ସ୍କୁଲର ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବାରୁ ପୁଣିଥରେ ଅଫଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ବୋର୍ଡ।

Comment