ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରରେ ଚାଷୀଙ୍କ ସମସ୍ୟା ନେଇ ରାସ୍ତା ରୋକ କରିଥିଲା କଂଗ୍ରେସ। ଧାନର ଅଭାବି ବିକ୍ରି ଏବଂ ରବି ମଣ୍ତିରେ ବ୍ୟାପକ ଅନୀୟମିତତା ହେଉଥିବା ପ୍ରତିବାଦରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଆହ୍ଵାନରେ ମଙ୍ଗଳବାର ଜିଲ୍ଲାର ଚାରୋଟି ସ୍ଥାନରେ ଚାଷୀମାନେ ରାସ୍ତା ରୋକ କରିଥିଲେ। ଏଥିସହ କଂଗ୍ରେସ ପକ୍ଷରୁ ୫ଦଫା ଦାବି ନେଇ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

ମଣ୍ଡି ସମସ୍ୟାର ସମାଧାନ ଦାବିରେ କୋରାପୁଟ ଜିଲ୍ଲା ଜୟପୁର ଆରଏମସି ଅଫିସ, ବୋରିଗୁମ୍ମା ଏବଂ ସେମିଳିଗୁଡାଠାରେ ୪ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ବନ୍ଦ କରିଥିଲା କଂଗ୍ରେସ। ରାସ୍ତା ବନ୍ଦ ଯୋଗୁଁ ରାଜପଥର ଉଭୟ ପାର୍ଶ୍ଵରେ ଅନେକ ସମୟ ଧରି ଗାଡ଼ିମୋଟର ଅଟକି ରହିଥିଲା।ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବିପତ୍ରରେ ରବି ମଣ୍ଡିରେ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ସମସ୍ତ ଚାଷୀଙ୍କ ଧାନ କିଣିବା, ଟୋକେନ ଲ୍ୟାପ୍ସ ହୋଇଥିବା ଚାଷୀଙ୍କ ଧାନ ତୁରନ୍ତ କିଣାଯାଉ, ରାଜ୍ୟ ସରକାର କ୍ଵିଣ୍ଟାଲ ପିଛା ପାଞ୍ଚ ଶହ ଟଙ୍କା ବୋନସ ଦିଅନ୍ତୁ ଇତ୍ୟାଦି ଦାବି ଉଲ୍ଲେଖ ରହିଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ମିଳିଛି।

ରବି ଯାଇ ଖରିବ ଆସିଲାଣି, ତଥାପି  କୋରାପୁଟ ଜିଲ୍ଲାରେ ଥମିବାର ନାଁ ଧରୁନି ରବି ମଣ୍ଡି ତାତି। ରବି ଋତୁରେ ଅନେକ ଚାଷୀ  ନିଜର ଟୋକେନ୍ ଲ୍ୟାପ୍ସ କାରଣରୁ ଏଯାବତ୍ ଧାନ ବିକ୍ରୀ କରିପାରୁ ନାହାନ୍ତି। ଫଳରେ ଶହ ଶହ ବସ୍ତା ଧାନ ମଣ୍ଡିରେ ପଡିରହିଛି। ସେପଟେ ଚାଷୀଙ୍କ ସମସ୍ୟାକୁ ଅସ୍ତ୍ର କରି ସରକାରଙ୍କୁ ଘେରିବା ପାଇଁ କଂଗ୍ରସ ପକ୍ଷରୁ ଯୋଜନା କରାଯାଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।ବନ୍ଦ ସମୟରେ ବୋରିଗୁମ୍ମା ତହସିଲଦାର ସୁବାସ ଚନ୍ଦ୍ର ରାଇତାଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ପାଢ଼ୀ, ସରପଞ୍ଚ ଚନ୍ଦ୍ରିକା ଜାନୀ,ଭାନୁ ଦୋରା, ସୁଧାକର ରାଓ ଓ ବ୍ଲକର ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସରକାରଙ୍କୁ ଚେତାବନୀ ଦେଇଛି କୋରାପୁଟ ଜିଲ୍ଲା କଂଗ୍ରେସ।

Comment