ଓଡ଼ିଶାଲାଇଭ୍ ବ୍ୟୁରୋ

ମହାମାରୀ କରୋନା ଦ୍ୱାରା କ୍ଷତିଗ୍ରସ୍ତ କ୍ଷେତ୍ରଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତା ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିକଟରେ ଏହି ଋଣ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ।

କରୋନା କ୍ଷତିଗ୍ରସ୍ତ ପାଇଁ କେନ୍ଦ୍ର ୧.୧ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। ଏଥି ମଧ୍ୟରୁ ୫୦ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ରକୁ ଓ ଅବଶିଷ୍ଟ  କ୍ଷେତ୍ର ପାଇଁ ୬୦ହଜାର କୋଟି ଟଙ୍କାର ଋଣ ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ।ଅର୍ଥମନ୍ତ୍ରୀ ସୀତାରମଣଙ୍କ ଘୋଷଣା ଅନୁସାରେ, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍‌ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଉଛି। ଆହୁରି ମଧ୍ୟ ୫ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ। ଏହାର ଅର୍ଥ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଭାରତକୁ ପ୍ରଥମେ ଆସିବାକୁ ଥିବା ୫ ଲକ୍ଷ ଲୋକଙ୍କ ପାଇଁ କୌଣସି ପ୍ରକାରର ଟୁରିଷ୍ଟ ଭିସା ବାବଦ ଫି’ ଲାଗୁ ହେବନି। ୨୦୨୨ ମାର୍ଚ୍ଚ ୩୧ ଯାଏ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହା ମଧ୍ୟରେ ଯଦି ୫ ଲକ୍ଷ ପର୍ଯ୍ୟଟକ ଆସିଯିବେ, ତା’ହେଲେ ଏହି ସଂଖ୍ୟା ପରେ ମାଗଣା ଭିସା ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ। ଜଣେ ପର୍ଯ୍ୟଟକଙ୍କୁ ଗୋଟିଏ ଥର ଏହି ସୁବିଧା ମିଳିବ।କିଛି ସର୍ତ୍ତ ସହିତ ୧୧ ହଜାରରୁ ଅଧିକ ଟୁରିଷ୍ଟ ଗାଇଡ, ଟ୍ରାଭେଲ, ଟୁରିଜିମ ଷ୍ଟେକ ହୋଲ୍ଡରମାନଙ୍କୁ ଆର୍ଥିକ ସହାୟତା କରାଯିବ। ସେମାନଙ୍କୁ ୧୦୦% ଗ୍ୟାରେଣ୍ଟି ଯୋଗାଇ ଦିଆଯିବ। ୧୦,୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଋଣ ମିଳିବ।

ଅନ୍ୟ କ୍ଷେତ୍ର ପାଇଁ ଯେଉଁ ୬୦ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି ତାହାରି ଉପରେ ବାର୍ଷିକ ୮.୨୫% ସୁଧ ଲାଗିବ। ମାଇକ୍ରୋ ଫାଇନ୍ସ ଇନଷ୍ଟିଚ୍ୟୁଟ ଅଧୀନରେ ୨୫ ଲକ୍ଷ ଲୋକଙ୍କୁ ଋଣ ଦିଆଯିବ। ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧.୨୫ ଲକ୍ଷ ଯାଏ ଋଣ ଦିଆଯିବ। ଏହି ପ୍ୟାକେଜରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରାଯାଇଛି। ଏ ବାବଦରେ ୨,୨୭,୮୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି।ପ୍ୟାକେଜରେ ଜରୁରୀକାଳୀନ ଋଣ ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୩ ଲକ୍ଷ ଯାଏ ଋଣ ଦିଆଯାଉଥିବାବେଳେ ଆଜି ଅର୍ଥମନ୍ତ୍ରୀ ଏହାକୁ ୪.୫ଲକ୍ଷ ଯାଏ ବୃଦ୍ଧି କରିଛନ୍ତି। ଏହି ଯୋଜନା ଗତବର୍ଷ ଆତ୍ମନିର୍ଭର ଭାରତ ପାଇଁ ଘୋଷଣା ହୋଇଥିବା ପ୍ୟାକେଜର ଅଂଶ ବିଶେଷ। କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଦେବାକୁ ଏହି ବ୍ୟବସ୍ଥା କରାଯାଇଥିଲା।

ଗତ ବର୍ଷ କରୋନା ମହାମାରୀ ଆରମ୍ଭ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକାଧିକ ପ୍ୟାକେଜ ଘୋଷଣା କରାଯାଇଥିଲା। ଚଳିତ ପ୍ୟାକେଜ ଦ୍ୱାରା ପର୍ଯ୍ୟଟନ ଶିଳ୍ପର ପୁନରୁଦ୍ଧାର ହୋଇପାରିବ ଓ ସାମଗ୍ରିକ ଭାବେ ଦେଶର ଅର୍ଥନୀତିକୁ ବାଟକୁ ଆଣିହେବ ଏହା ଆଶା କରାଯାଉଛି।

Comment