ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍‌ ସମୟରେ ପିଲାମାନେ ନିଜ ଘରେ କଏଦ ହୋଇ ରହିଛନ୍ତିା ଏହା ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଛି। ତେଣୁ ଏ ସମୟରେ ଅଭିଭାବକମାନେ ପିଲାଙ୍କ ସହିତ ବେଶୀ ସମୟ ବିତାଇବା ଦରକାର। ପିଲାଙ୍କ କଥା ଶୁଣିବା ଓ ବୁଝିବା ଦରକାର। ସେମାନଙ୍କ ମନରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେବା ଦରକାର। ‘କେତେ ନୂଆ ବାଟ’ ଭିଡିଓ ସିରିଜରେ ସାମିଲ ହୋଇ ୟୁନିସେଫ୍ ଓଡ଼ିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ୍ ଏହା କହିଛନ୍ତି।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଚାଲିଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ଏହାର ନଲେଜ୍ ପାର୍ଟନର ରହିଛି। ଏହି କ୍ୟାମ୍ପେନ୍‌ରେ ଯୋଡ଼ି ହୋଇ ୟୁନିସେଫ୍ ଓଡ଼ିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ୍ କୋଭିଡ୍ ପ୍ରତି ପିଲାମାନଙ୍କୁ କିପରି ସଚେତନ କରାଯିବ ସେ ବିଷୟରେ ଆଲୋଚନା କରିଛନ୍ତି।ପିଲାମାନଙ୍କୁ ଚାପମୁକ୍ତ ରଖିବା ଅଭିଭାବକଙ୍କ ଦାୟିତ୍ଵ

ପ୍ରଥମ ଲହରଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ହଜାରରୁ ଅଧିକ ପିଲା କୋଭିଡ୍ ଆକ୍ରାନ୍ତ ହୋଇଛନ୍ତି। ହେଲେ ପିଲାମାନେ କରୋନାରେ ବେଶୀ ଜଟିଳ ସ୍ଥିତିକୁ ଯାଇନାହାନ୍ତି। କିନ୍ତୁ ମହାମାରୀ ପାଇଁ ବଦଳିଯାଇଥିବା ଜୀବନଶୈଳୀ ସେମାନଙ୍କ ଉପରେ ମାନସିକ ଭାବେ ଗଭୀର ପ୍ରଭାବ ପକାଇଛି। ତେଣୁ ଆମ ଘରର ଏ କୁନି ସଦସ୍ୟମାନଙ୍କୁ ଅଧିକ ସମୟ ଦେବାର ଆବଶ୍ୟକତା ରହିଛି। ଏ ପରିସ୍ଥିତିରେ ଘରର ବଡ଼ ସଦସ୍ୟମାନଙ୍କର ଦାୟିତ୍ଵ ବଢ଼ିଯାଇଛି। ପିଲାମାନଙ୍କୁ ଚାପମୁକ୍ତ ରଖିବା ସହ ସେମାନଙ୍କୁ ସବୁବେଳେ ହସଖୁସି ମାହୋଲରେ ରଖିବା ଅଧିକ ଜରୁରୀ ବୋଲି ଡାକ୍ତର ମୀନା ସୋମ୍ କହିଛନ୍ତି।

କୋଭିଡ୍ ପାଇଁ ପିଲାମାନଙ୍କ ଦୈନନ୍ଦିନ ରୁଟିନ୍ ବଦଳିଯାଇଥିବାରୁ ସେମାନଙ୍କ ମଧ୍ୟରେ ଉଦ୍‌ବେଗ ବଢ଼ିଯାଇଛି। ଗୋଟିଏ ପିଲାର ଶାରିରୀକ ଓ ମାନସିକ ବିକାଶରେ ସ୍କୁଲର ଗୋଟେ ବଡ଼ ଭୂମିକା ରହିଛି। କିନ୍ତୁ କରୋନା ପାଇଁ ଢେର୍ ଦିନ ହେଲା ସ୍କୁଲ ବନ୍ଦ। ପିଲାମାନେ ଅନଲାଇନରେ ପଢୁଛନ୍ତି। ହେଲେ ଏଥିରେ ସ୍କୁଲର ବାତାବରଣ ମିଳିପାରୁନାହିଁ। ଦିନେ ନିଜ ପିଲାଙ୍କୁ ଯେଉଁ ବାପାମାଆମାନେ ମୋବାଇଲ ଫୋନ୍ ଦେବାକୁ ରାଜି ହେଉ ନ ଥିଲେ ସେମାନେ ଆଜି ମୋବାଇଲ ଦେବାକୁ ବାଧ୍ୟ ହୋଇଛନ୍ତି। ପିଲାମାନଙ୍କ ଖେଳକୁଦ ବନ୍ଦ ହୋଇଯାଇଛି। ତେଣୁ ଏମାନଙ୍କ ସେ ଅଭାବ ଦୂର କରିବା ଦାୟିତ୍ଵ ବଡ଼ମାନଙ୍କର ବୋଲି କହିଛନ୍ତି ଡାକ୍ତର ମୀନା ସୋମ୍।ପିଲାଙ୍କୁ କୋଭିଡ୍ ପ୍ରତି ସଚେତନ କରାଇବା ଆବଶ୍ୟକ

ମହାମାରୀର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପିଲାମାନେ କରୋନା ବାବଦରେ ସଚେତନ ହେବା ନିହାତି ଜରୁରୀ। ବିଶେଷକରି କରୋନା ଉପଯୋଗୀ ସମସ୍ତ ନିୟମ ବିଷୟରେ ସେମାନେ ଜାଣିବା ସହ ସେସବୁକୁ ସଠିକ୍ ଭାବେ ପାଳନ କରିବା ଆବଶ୍ୟକ। ତେଣୁ ଘରର ବଡ଼ମାନେ ପିଲାମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ଵାର ହାତ ଧୋଇବା ଓ ମାସ୍କ ପିନ୍ଧିବା ଭଳି ଅଭ୍ୟାସଗୁଡ଼ିକ ଶିଖାଇବା ଦରକାର।

କରୋନା ପାଇଁ ଅନେକ ପରିବାରର ଅର୍ଥନୈତିକ ସ୍ଥିତି ବଦଳିଯାଇଛି। କାହାର ଚାକିରି ନାହିଁ ତ କାହାର ସଞ୍ଚିତ ଅର୍ଥ ଶେଷ ହେବାକୁ ବସିଲାଣି। ମହାମାରୀ ପାଇଁ ଘରେ ସ୍ଵାସ୍ଥ୍ୟଜନିତ ଖର୍ଚ୍ଚ ବଢ଼ିଯାଇଛି। କିନ୍ତୁ ପିଲାମାନଙ୍କୁ ଏ ସବୁ ସ୍ଥିତିର ନକରାତ୍ମକ ପ୍ରଭାବରୁ ଦୂରେଇ ରଖିବା ପାଇଁ ବିଭିନ୍ନ ରାସ୍ତା ବାଛିବାକୁ ପଡ଼ିବ। ଘରର ବଡ଼ ସଦସ୍ୟମାନେ ସେମାନଙ୍କୁ ବିଭିନ୍ନ ମଜାଳିଆ କାର୍ଯ୍ୟକ୍ରମରେ ବ୍ୟସ୍ତ ରଖିବେ। ନିୟମିତ ଘରେ ଖେଳିହେଉଥିବା ଖେଳ ଖେଳିବେ। ଜେଜେ, ଜେଜେମାଆ, ଅଜାଆଈ ସେମାନଙ୍କୁ କାହାଣୀ କହି ସେମାନଙ୍କ ମନକୁ ହାଲୁକା ରଖିବା ଜରୁରୀ। ଏହା ସହିତ ଯାହାର ଯାହା ରୁଚି; ଯେମିତି ଚିତ୍ର କରିବା, ନାଚିବା ଓ ଗୀତ ଗାଇବାକୁ ସେମାନଙ୍କୁ ଉତ୍ସାହିତ କରିବା ଜରୁରୀ ବୋଲି ଡାକ୍ତର ମୀନା ସୋମ୍ ପରାମର୍ଶ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କର ବିଭିନ୍ନ ବିଭାଗ ଯେମିତି ସ୍ଵାସ୍ଥ୍ୟ ବିଭାଗ, ଶିଶୁ ମଙ୍ଗଳ ବିଭାଗ ସହ ମିଶି ୟୁନିସେଫ୍ କାମ କରୁଛି। ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଥିପାଇଁ ପ୍ରସ୍ତୁତିରେ ୟୁନିସେଫ୍ ସହଯୋଗ କରୁଛି। ଆଶାକର୍ମୀ, ଅଙ୍ଗନବାଡ଼ିକର୍ମୀ ଓ ଏ କ୍ଷେତ୍ରରେ କାମକରୁଥିବା ସମସ୍ତ କର୍ମୀଙ୍କୁ ତାଲିମ ଦିଆଯାଉଛି। କେମିତି ପିଲାଙ୍କୁ ସୁରକ୍ଷିତ ରଖାଯିବ ସେ ସମ୍ପର୍କରେ ଅବଗତ କରାଯାଉଛି। କେମିତି ପିଲାଙ୍କ ଲକ୍ଷଣ ଜାଣିବେ। କେମିତି ସଂକ୍ରମଣକୁ ରୋକିବେ ଏ ସବୁ ଶିଖାଯାଉଛି। ପିଲାମାନଙ୍କ ପାଇଁ ଆରୋହଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଯେଉଁ ପିଲାମାନଙ୍କର ବାପାମାଆ କୋଭିଡରେ ପ୍ରାଣ ହରାଇଛନ୍ତି, ସେହି ପିଲାମାନଙ୍କର ସୁରକ୍ଷା ପାଇଁ ଶିଶୁ ସୁରକ୍ଷା ବିଭାଗ ସହ ମିଶି କାମ କରାଯାଉଛି। ମୂଳରୁ ପିଲାମାନଙ୍କୁ କେମିତି ବିଭିନ୍ନ କୋଭିଡ୍ କଟକଣାକୁ ବୁଝାହେବ ସେଥିପାଇଁ ସ୍ଵେଚ୍ଛାସେବୀଙ୍କୁ ୟୁନିସେଫ୍ ନିୟୋଜିତ କରିଛି। କରୋନା ଟିକା ସେମାନଙ୍କ ପାଇଁ ଆସି ନ ଥିବାରୁ ସେମାନଙ୍କୁ ସାମାଜିକ ଦୂରତା ଭଳି ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣକରିବା ପାଇଁ ସରଳ ଭାବେ ଶିଖାଇବା ଜରୁରୀ। ବିଶେଷ କରି ବଡ଼ମାନେ ବାହାରକୁ ଯାଉଥିବା ବେଳେ ସେମାନେ ଯେମିତି ଘରକୁ ସଂକ୍ରମିତ ହୋଇ ନ ଫେରିବେ ସେଥିପାଇଁ ଅଧିକ ଯତ୍ନବାନ ହେବା ଜରୁରୀ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।

କୋଭିଡ୍ ସମୟରେ ପିଲାଙ୍କ ଯତ୍ନ

Comment