ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଆଣିଥିବାବେଳେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ସ୍ୱରୂପ ବ୍ଲାକ ଫଙ୍ଗସ ବା କଳା କବକ ଭୟର ବାତାବରଣ ସୃଷ୍ଟି କରିଛି। ମେ’ ୧୧ରେ ଓଡ଼ିଶାରୁ ପ୍ରଥମ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ୧୩୦କୁ ଛୁଇଁଲାଣି। ଅନ୍ୟପଟେ ବ୍ଲାକ ଫଙ୍ଗସ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଗତ ଦୁଇ ମାସ ଭିତରେ ୨୦ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇସାରିଲାଣି। ଏମାନଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୫ଜଣ ମହିଳା ରହିଛନ୍ତି। ଭଲ ଖବର ଯେ ବର୍ତ୍ତମାନ ସୁଦ୍ଧା ୧୬ ଜଣ ଆକ୍ରାନ୍ତ ବ୍ଲାକ ଫଙ୍ଗସରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଯାଜପୁର ଜିଲ୍ଲାର ଜନୈକ ୭୧ବର୍ଷୀୟ ବୃଦ୍ଧଙ୍କଠାରେ ପ୍ରଥମେ ବ୍ଲାକ ଫଙ୍ଗସ ଚିହ୍ନଟ ହୋଇଥିଲା। ପରେ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱର ଏମ୍ସରେ ସର୍ବାଧିକ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଥିବାବେଳେ ରାଜଧାନୀର ଅନ୍ୟତମ ଚକ୍ଷୁ ରୋଗ ଚିକିତ୍ସା ଅନୁଷ୍ଠାନ ଏଲଭି ପ୍ରସାଦ ଇନଷ୍ଟିଚ୍ୟୁଟରେ ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି।

ବ୍ଲାକ ଫଙ୍ଗସ ବା ମେଡିକାଲ ଭାଷାରେ ଯାହାକୁ କୁହାଯାଏ ମ୍ୟୁକୋରାମାଇକୋସିସ୍। ଏହା ଏକ ସାଙ୍ଘାତିକ ରୋଗ ଓ ଏଥିରେ ପୀଡ଼ିତ ଗୁରୁତର ରୋଗୀଙ୍କୁ ଆଖି ହରାଇବାକୁ ପଡିଥାଏ ଓ କିଛି ରୋଗୀଙ୍କ ଜୀବନ ବି ଚାଲିଯାଏ।ରାଜ୍ୟରେ କରୋନା ମହାମାରୀର ଦ୍ଵିତୀୟ ଲହର ସଙ୍କଟ ସମୟରେ ବ୍ଲାକ ଫଙ୍ଗସ ଆତଙ୍କ ଚିନ୍ତା ବଢାଇଛି। ଏହାକୁ ନେଇ ରାଜ୍ୟ ସରକାର ସତର୍କ ରହିଛନ୍ତି। ବିଭିନ୍ନ ମେଡିକାଲ କଲେଜ ଓ କିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ରୋଗର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ମହାମାରୀ ଆଇନ-୧୮୯୭ର ଧାରା-୩ ଅନୁସାରେ ବ୍ଲାକ୍ ଫଙ୍ଗସ୍‌କୁ ମହାମାରୀଭାବେ ଘୋଷଣା କରାଯାଇଛି। ତେବେ ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ପଡୁଥୁବା ଔଷଧ ଠିକ ସମୟରେ ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ରୋଗର ମୁକାବିଲା ପାଇଁ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ମହଜୁଦ କରି ରଖିବା ଆବଶ୍ୟକ।

ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ କ’ଣ ଓ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବା?

Comment