ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ମହାମାରୀ କାଳରେ ବିଭିନ୍ନ ବର୍ଗର ଲୋକ ଚାକିରି ବା ରୋଜଗାର ହରାଇଛନ୍ତି। ଲୋକମାନଙ୍କ ଆର୍ଥିକ ସ୍ଥିତି ଉପରେ କରୋନାର ପ୍ରଭାବ ଅଧିକ ପଡ଼ିଛି। ଇତିମଧ୍ୟରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଦେଶରେ ମହାମାରୀ ସମୟରେ ପୁରୁଷଙ୍କ ତୁଳନାରେ ଅଧିକାଂଶ ମହିଳା ରୋଜଗାର ହରାଇଛନ୍ତି।
ସର୍ଭେ ଅନୁସାରେ ମହିଳାମାନେ ଆବଶ୍ୟକଠାରୁ କମ୍ ଖାଦ୍ୟ ଖାଇ ଜୀବନ ବିତାଇଥିଲେ। ସେହିପରି ୨୭ ପ୍ରତିଶତ ମହିଳା ଠିକ ଭାବେ ବିଶ୍ରାମ ନେଇ ନଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୧୮ ପ୍ରତିଶତ ରହିଛି। ୪୧ପ୍ରତିଶତ ମହିଳା ବିନା ବେତନରେ ସେବା ଯୋଗାଇ ଆସିଛନ୍ତି। କନସଲ୍ଟିଂ ଫାର୍ମ ଡାଲବର୍ଗର ସର୍ଭେ ଅନୁଯାୟୀ, କରୋନାର ପ୍ରଥମ ଲହର ସଂକ୍ରମଣ ବେଳେ ଯେଉଁ ମହିଳାମାନେ ଚାକିରି ହରାଇଥିଲେ, ସେମାନଙ୍କୁ ପୁନଃ ନିଯୁକ୍ତି ପାଇବାରେ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ିଛି।
ମୁସଲିମ୍ ସମ୍ପ୍ରଦାୟର ମହିଳା, ପ୍ରବାସୀ ଶ୍ରମିକ, ଏକାକୀ ରହୁଥିବା ମହିଳା ଓ ବିବାହ ବିଚ୍ଛେଦ ହୋଇଯାଇଥିବା ମହିଳାମାନେ ମହାମାରୀର ମାଡ଼ରେ ସର୍ବାଧିକ ପ୍ରଭାବିତ ହୋଇଥିବା କଥା ସର୍ଭେରୁ ପ୍ରକାଶ ପାଇଛି।
୨୦୨୦ ବର୍ଷ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ଆହୁରି କୁହାଯାଇଛି ଯେ, ଏକ ଦଶମାଂଶ ମହିଳା ବହୁତ କମ ଖାଦ୍ୟ ଖାଇଛନ୍ତି କିମ୍ବା ଠିକ୍ ଭାବେ ଖାଦ୍ୟ ପାଇନାହାନ୍ତି। କାରଣ ସେମାନଙ୍କ ପାଖରେ ଅର୍ଥର ଅଭାବ ଦେଖାଦେଇଥିଲା। ଏଥିସହ ୧୬ପ୍ରତିଶତ ମହିଳା ଠିକ୍ ଭାବେ ଋତୁଶ୍ରାବ ପ୍ୟାଡ ପାଇବାକୁ ଅକ୍ଷମ ହୋଇଥିଲେ। ସେହିପରି ୩୩ପ୍ରତିଶତ ବିବାହିତ ମହିଳା ଗର୍ଭନିରୋଧର ବ୍ୟବସ୍ଥା ପାଇବାରେ ବିଫଳ ହୋଇଥିଲେ। କରୋନା ଯୋଗୁ ଦେଶର ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଷୟ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି।
ସଂସ୍ଥା ପକ୍ଷରୁ କେବଳ କରୋନା ପ୍ରଥମ ୱେଭରେ ସୃଷ୍ଟି ହୋଇଥିବା ସ୍ଥିତିର ସମୀକ୍ଷା କରାଯାଇଛି। କିନ୍ତୁ ଦେଶରେ କରୋନାର ପ୍ରଥମ ଲହରଠାରୁ ଦ୍ୱିତୀୟ ଲହରରେ ଅଧିକ କ୍ଷତି ହୋଇଛି। ଏହି ସମୟରେ ମହିଳାମାନେ ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ବିଭିନ୍ନ ସେବା ପାଇବାରେ ବିଫଳ ହୋଇଛନ୍ତି। ସ୍ୱାଭାବିକ ଭାବରେ କରୋନା ଦ୍ୱିତୀୟ ୱେଭର ସ୍ଥିତି ସମୀକ୍ଷା କରାଗଲେ, ଆହୁରି ଭୟଙ୍କର ଚିତ୍ର ଆସିବାର ଆଶଙ୍କା ରହିଛି।
ଯଦିଓ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ତାହା ଯଥେଷ୍ଟ ନୁହେଁ। ଏହି ସ୍ଥିତିରେ ଯେତେ ଶୀଘ୍ର ଦେଶରେ ଆର୍ଥିକ ଗତିବିଧି ଆରମ୍ଭ ହେବ ଲୋକଙ୍କ ରୋଜଗାର କ୍ଷମତା ସେତେ ବଢ଼ିବ ଓ ପାଖାପାଖି ଦୁଇ ବର୍ଷର ଯନ୍ତ୍ରଣାରୁ ସେମାନେ ସେତେ ଶୀଘ୍ର ମୁକ୍ତି ପାଇବେ।

















