ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’କୁ ନେଇ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପଖାଳ ଖାଇଲେ ବଢୁଛି ରୋଗ ପ୍ରତିରୋଧକ ଶକ୍ତି। ଭୁବନେଶ୍ୱର ଏମ୍‌ସ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏଭଳି ତଥ୍ୟ ଜଣାପଡ଼ିବାପରେ, ଏହା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ‘ପଖାଳ’ର ତୋରାଣିରେ ଥିବା ଫ୍ୟାଟି ଏସିଡ୍‌ ଅନେକ ଉପକାରୀ ବୋଲି ଏହି  ଗବେଷଣାରୁ ଜଣାପଡ଼ିଛି। ପଖାଳରେ ମଧ୍ୟ ରହିଛି ପ୍ରଚୁର ପରିମାଣରେ  ଭିଟାମିନ- ବି ୧୨, ଭିଟାମିନ- କେ।ପଖାଳ ଗବେଷଣା

ଏମ୍‌ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି.ରାମାଦାସ ‘ପଖାଳ’ ଉପରେ ଗବେଷଣା କରି ଏଭଳି ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ୨୦ ପ୍ରକାର ବାସି ‘ପଖାଳ’ ଓ ତୋରାଣି ସଂଗ୍ରହ କରି ସେଗୁଡିକ ଉପରେ ଗବେଷଣା କରାଯାଇଥିଲା।

ସେ କହିଛନ୍ତି, “ବାସି ପଖାଳରେ ରୋଗ ପ୍ରତିରୋଧକ ଶକ୍ତି ରହିଛି। ଶରୀରରେ ରୋଗ ସହ ଲଢେଇ  କରିବାରେ ଏହା ସହାୟକ ହେବ। ତେବେ ହୋଟେଲରେ ପରଷା ଯାଉଥିବା ପଖାଳ ନୁହେଁ ବରଂ ଘରେ ରାତିରେ ପ୍ରସ୍ତୁତ କରାଯାଇଥିବା ପଖାଳ, ଶରୀର ପାଇଁ ଅଧିକ ହିତକର”।ପାଚନ ପ୍ରକ୍ରିୟା

ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ଜୀବାଣୁ ସୃଷ୍ଟି ହୋଇଥାଏ। ଯାହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ। ଡାକ୍ତର ବାଲମୁର୍ଗନ୍ ରାମଦାସଙ୍କ ନେତୃତ୍ୱରେ ୮ ଜଣିଆ ଡାକ୍ତରୀ ଟିମ୍ ଏ ନେଇ ଗବେଷଣା କରିଥିଲେ। ଜଣେ ଦିନକୁ ଅଧ ଲିଟର ବା ୫ଶହ ମିଲିଲିଟର ତୋରାଣି ପିଇଲେ, ଏହା ଶରୀର ପାଇଁ ହିତକର ବୋଲି ଗବେଷଣାରୁ ଜଣାପଡିଛି।

କରୋନା ବିରୋଧୀ ଲଢ଼େଇ ପାଇଁ ମଧ୍ୟ ପଖାଳ ଲାଭଦାୟକ ହୋଇପାରେ। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ‘ପଖାଳ’ ଅନେକ ଉପାଦେୟ ବୋଲି ଗବେଷଣାର ନିଷ୍କର୍ଷ କହୁଛି। ଏହି ତୋରାଣି ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି।ସଂସ୍କୃତିରେ ପଖାଳ

କହିବା ବାହୁଲ୍ୟ ଯେ, ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଗରିବଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଆନ୍ତି। ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ବି ପଖାଳ ଭୋଗ ଲାଗେ। ମହାମାରୀ କରୋନା ସମୟରେ ମଧ୍ୟ ପଖାଳରେ ଥିବା ରୋଗପ୍ରତିରୋଧକାରୀ ଶକ୍ତି ଅନେକ ମାତ୍ରାରେ ଲୋକଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥିବା କୁହାଯାଉଛି।

ପଖାଳକୁ ଏବେ ଯେଉଁ ଗବେଷଣାତ୍ମକ ସ୍ୱୀକୃତି ମିଳିଛି ତାହା ନିଶ୍ଚିତ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ‘ପଖାଳଖିଆ ଓଡ଼ିଆ’ ଯେଉଁ ଅପବାଦ ଆଗରୁ ରହିଆସିଥିଲା, ଏହି ଗବେଷଣା ତାହା ଦୂର କରିବ ବୋଲି ଆଶା କରାଯାଏ।ପଖାଳ ଦିବସ

ଓଡ଼ିଆମାନଙ୍କ ପଖାଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ଓଡ଼ିଶାରେ ପାଳନ କରାଯାଉଛି। ଏହି ଦିନ ଦେଶ ବିଦେଶରେ ଥିବା ଓଡ଼ିଆଙ୍କୁ ପଖାଳ ଖାଉଥିବା ଦେଖିବାକୁ ମିଳେ। ଏହି ଦିନଟିକୁ ସ୍ମରଣ କରିବା ପାଇଁ  ଓଡ଼ିଶାର ବଡ଼ ବଡ଼ ହୋଟଲ୍‌ରେ ମଧ୍ୟ ପଖାଳ ପସରା ମେଲିଥାଏ।

ନିବିଡ଼ ସମ୍ପର୍କ

ପଖାଳ ସହ ପ୍ରତ୍ୟେକ ଓଡ଼ିଆଙ୍କର ରହିଛି ଅକାଟ୍ୟ ସମ୍ପର୍କ। ଏହା ହେଉଛି ଓଡ଼ିଶାର ପାରମ୍ପରିକ ଖାଦ୍ୟ। ଗରିବ ହେଉ କି ଧନୀ ପଖାଳ କଂସା ସହିତ ରହିଛି ସମସ୍ତଙ୍କର ନିବିଡ଼ ସମ୍ବନ୍ଧ। ପଖାଳ ସମ୍ପର୍କରେ ଏମ୍ସ ଭୁବନେଶ୍ୱର ଗବେଷଣାର ଯେଉଁ  ତଥ୍ୟ ଆସିଛି, ତାହା ଓଡ଼ିଶାର ଲୋକଙ୍କ ପଖାଳଖିଆ ଅଭ୍ୟାସକୁ ଅଧିକ ଉତ୍ସାହିତ କରିବ।

Comment