ଓଡ଼ିଶାଲାଇଭ୍‌ ବ୍ୟୁରୋ

“କରୋନା ମହାମାରୀରେ କେବଳ ଜୀବନ ବିପନ୍ନ ହୋଇଛି ତାହା ନୁହେଁ, ଜୀବିକା ମଧ୍ୟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। କିନ୍ତୁ ଏହି ସଙ୍କଟ ସମୟରେ ଖାଦ୍ୟ ଅଧିକାରକୁ ସୁନିଶ୍ଚିତ କରିଛି ଖାଦ୍ୟ ସୁରକ୍ଷା ଆଇନ। ଲୋକଙ୍କ ଘର ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିପାରୁଛି’’, ‘କେତେ ନୂଆ ବାଟ’ ଭିଡିଓ ସିରିଜ୍‌ରେ ସାମିଲ ହୋଇ ଏହା କହିଛନ୍ତି ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ।

କୋଭିଡ୍‌ ସମୟରେ ସଚେତନତା ବାଣ୍ଟିବା ପାଇଁ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ୍‌’ର ମିଳିତ ଉଦ୍ୟମରେ ‘କେତେ ନୂଆ ବାଟ ସିଜିନ ୨’ ଆରମ୍ଭ ହୋଇଛି। ଏହି ଅଭିଯାନରେ ୟୁନିସେଫ୍ ସହାୟତା ଦେଇଥିଲା ବେଳେ ‘ମୋ କଲେଜ’ ଏହାର ନଲେଜ୍ ପାର୍ଟନର ରହିଛି।

‘‘କୋଭିଡ ସମୟରେ ଲୋକଙ୍କ ଘର ପାଖରେ କିପରି ଖାଦ୍ୟ ସାମଗ୍ରୀ ପହଞ୍ଚାଯାଇପାରିବ ସେ ନେଇ ଉଦ୍ୟମ ଜାରି ରହିଛି। ଅନ୍ୟପଟେ ଏବେ ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ବାବଦକୁ ସେମାନଙ୍କ ଅଭିଭାବକଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉଛି। ଏହାଦ୍ୱାରା  ପ୍ରାୟ ୪୫ ଲକ୍ଷ ସ୍କୁଲ ପିଲା ଏ ଆଇନରୁ ଉପକୃତ ହେଉଛନ୍ତି। ଏହାଛଡ଼ା ଶିଶୁ ଓ ମାଆମାନଙ୍କ ପୋଷଣ ପାଇଁ ମଧ୍ୟ ଗୁରତ୍ଵ ଦିଆଯାଉଛି।  ଅଙ୍ଗନବାଡ଼ି ବନ୍ଦ କିନ୍ତୁ ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଖରେ ଖାଦ୍ୟ ପହଞ୍ଚୁଛି। ସରକାର ଏହାକୁ ସର୍ବାଧିକ ଗୁରୁତ୍ଵ ଦେଉଥିବା ବେଳେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତା ଉପରେ ନଜର ରଖିଛନ୍ତି ଖାଦ୍ୟ କମିଶନ’’, କହିଛନ୍ତି ପ୍ରମୋଦ କୁମାର ମେର୍କାପ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଲୋକଙ୍କ ପାଖରେ ଉଚିତ ସେବା ପହଞ୍ଚୁଛି କି ନାହିଁ ତାହା ଉପରେ ମଧ୍ୟ କମିସନ ନଜର ରଖିଛି। ନିୟମିତ ଭାବେ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଉଛି। ଅଭିଯୋଗ ଆପତ୍ତିର ସମାଧାନ ମଧ୍ୟ କରାଯାଉଛି। ଏ କୋଭିଡ୍ ସମୟରେ ଯେପରି କେହି ଖାଦ୍ୟରୁ ବଞ୍ଚିତ ନ ହେବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଉଥିବା ବେଳେ ଏହାର ସଠିକ ପରିଚାଳନା ଉପରେ କାମ କରୁଛି ଖାଦ୍ୟ କମିଶନ।’’

କୋଭିଡ୍‌ ସମୟରେ ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, କରୋନା ଯୋଦ୍ଧାଙ୍କ କାହାଣୀ, ଓଡ଼ିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ, ୟୁନିସେଫର ଭୂମିକା ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’ ସିଜିନ୍ ୨। ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାକ୍ଷାତକାର, କରୋନା ସଚେତନତା ଆଦିକୁ ଉପସ୍ଥାପନ କରାଯାଉଛି।

ଏହି ଅଭିଯାନ ଅଧୀନରେ ଓଡ଼ିଶାରେ ଥିବା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରତି ୧୫ ଦିନରେ ଥରେ, ରବିବାର ସକାଳ ୧୦ଟାରେ ଆପଣମାନଙ୍କ ପାଖରେ ଏକ ରେଡିଓ ଧାରାବାହିକ ପହଞ୍ଚୁଛି। ଏହାସହିତ ଆପଣ ରେଡିଓ ଚକ୍‌ଲେଟ୍ ୧୦୪ ଏଫ୍ଏମ୍‌ରେ ରବିବାର ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମକୁ ଶୁଣୁଛନ୍ତି। ସେହିପରି ବିଭିନ୍ନ ଟିଭି ଚ୍ୟାନେଲ ମାଧ୍ୟମରେ ଏହାର ଭିଡିଓ ସଂସ୍କରଣ ପ୍ରସାରିତ ହେଉଛି।

Comment