ଓଡ଼ିଶାଲାଇଭ୍ ବ୍ୟୁରୋ

ୟୁପିଏସସି ପରୀକ୍ଷାରେ ଲଗାତାର ଦୁଇଥର ବିଫଳତା ଓ ପରିବାର ଲୋକଙ୍କ ସର୍ତ୍ତ ଭିତରେ ନିଜକୁ ପ୍ରସ୍ତୁତ କରି ହେଲେ ଆଇଏଏସ ଅଧିକାରୀ। ଜାଣନ୍ତୁ ସେହି ମହିଳା ଅଫିସରଙ୍କ କାହାଣୀ।

ଭାରତୀୟ ପ୍ରଶାସନିକ ଅଧିକାରୀ ବା ଆଇଏଏସ୍ ଅଫିସର ହେବା ପାଇଁ ଅକ୍ଲାନ୍ତ ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକ ରହିଛି। ଯଦି ଜଣେ ବ୍ୟକ୍ତି ନିଷ୍ଠାର ସହ କିଛି ହାସଲ କରିବାକୁ ଚାହିଁବ, ତେବେ ତାହା ଯେତେ ବି ଅସମ୍ଭବ ହେଉନା କାହିଁକି, ସେ ତା’ର ଲକ୍ଷ୍ୟସ୍ଥଳରେ ନିଶ୍ଚିତ ପହଞ୍ଚି ପାରିବ। ସେ ନାରୀ ହେଉ କିମ୍ବା ପୁରୁଷ, ପରିଶ୍ରମର ଫଳ ସମସ୍ତଙ୍କ ପାଇଁ ସମାନ ହୋଇଥାଏ।

ସେଭଳି ଜଣେ ଆଇଏଏସ ଅଧିକାରି ହେଉଛନ୍ତି ନିଧି ସିୱାଚ। ସେ ଆଇଏଏସ୍ ଅଫିସର ହେବାପାଇଁ ନିଜକୁ ୬ ମାସ ପର୍ଯ୍ୟନ୍ତ ଏକ କୋଠରୀରେ ବନ୍ଦ କରି ପ୍ରସ୍ତୁତି କରିଥିଲେ। ଖାଲି ସେତିକି ନୁହେଁ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ତାଙ୍କୁ ବିଭିନ୍ନ ସମସ୍ୟା ଦେଇ ମଧ୍ୟ ଗତି କରିବାକୁ ପଡ଼ିଥିଲା।

ହରିୟାଣାର ଗୁରୁଗ୍ରାମରେ ନିଧିଙ୍କ ଜନ୍ମ। ସେହିଠାରୁ ସେ ନିଜର ସ୍କୁଲ କ୍ୟାରିୟର ସମାପ୍ତ କରିଛନ୍ତି। ଦଶମ ପରୀକ୍ଷାରେ ୯୫ ପ୍ରତିଶତ ଏବଂ ଯୁକ୍ତ ଦୁଇରେ ୯୦ ପ୍ରତିଶତ ରଖିଥିଲେ ନିଧି ସିୱାଚ। ସେ ଜଣେ ମେଧାବୀ ଛାତ୍ରୀ ମଧ୍ୟ ଅଟନ୍ତି। ଯୁକ୍ତ ଦୁଇରେ ପାଠ ପଢ଼ା ସରିବାପରେ ସେ ଇଞ୍ଜିନିୟରିଂ କରିବାକୁ ମନ ବଳାଇଥିଲେ। ତେଣୁ ସେ ହରିୟାଣାର ସୋନିପାଟରେ ଥିବା ଦୀନବନ୍ଧୁ ଛୋଟୁରାମ ବିଶ୍ଵ ବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂ କଲେ। କୁହାଯାଏ, କେବଳ ପୁଅମାନେ ମେକାନିକାଲ ଇଞ୍ଜିନିଅର ହେବାପାଇଁ ଇଚ୍ଛା ପ୍ରକାଶ କରନ୍ତି। କିନ୍ତୁ ତାହାକୁ ଭୁଲ ପ୍ରମାଣିତ କରି ଦେଖାଇଲେ ନିଧି ସିୱାଚ।ପଢ଼ା ସରିବାପରେ ନିଧିଙ୍କୁ ହାଇଦ୍ରାବାଦର ଏକ କମ୍ପାନିରେ ଚାକିରି ମିଳିଲା। ସେ ହରିୟାଣାରୁ ହାଇଦ୍ରାବାଦ ଆସିଗଲେ। ସେଠାରେ ଦୁଇ ବର୍ଷ ଚାକିରି କରିବାପରେ ଅଚାନକ ନିଧିଙ୍କ ମନରେ ଆସିଲା କି ସେ ଏହି କାମ ପାଇଁ ଉପଯୁକ୍ତ ନୁହଁନ୍ତି। ତାଙ୍କୁ କିଛି ଅଲଗା କରିବାକୁ ହେବ। ତେଣୁ ସେ ଆଇଏଏସ ଅଫିସର ହେବା ଦିଗରେ ମନ ବଳାଇଲେ। ସବୁ ଛାଡ଼ି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଫୋକସ୍ କଲେ।

ଲଗାତାର ନିଧିଙ୍କୁ ଦୁଇ ଥର ୟୁପିଏସସି ପରୀକ୍ଷାରେ ବିଫଳତା ମିଳିଥିଲେ ମଧ୍ୟ ସେ ହାର୍ ମାନିନଥିଲେ। ଗୋଟିଏ ପଟେ ବିଫଳତା ଭିତରେ ସଙ୍ଘର୍ଷ ଓ ଅନ୍ୟପଟେ ପରିବାର ଲୋକଙ୍କ ସର୍ତ୍ତ। ସେମାନଙ୍କ ସର୍ତ୍ତ ଥିଲା ଯଦି ଏପାଳି ନିଧି ୟୁପିଏସସି କ୍ଲିଅର ନକରନ୍ତି, ତେବେ ତାଙ୍କୁ ବିବାହ କରିବାକୁ ପଡ଼ିବ। ଏ ଦୁଇଟି ସମସ୍ୟା ଭିତରେ ସେ ନିଜକୁ ସମ୍ଭାଳି, ନିଜ ପାଇଁ ପ୍ରେରଣା ପାଲଟିଥିଲେ। ସେ ପରିବାର ଲୋକଙ୍କ ସର୍ତ୍ତରେ ରାଜି ହୋଇଗଲେ ଏବଂ ୟୁପିଏସସି କ୍ଲିଅର କରିବା ପାଇଁ ନିଜକୁ ଏକ କୋଠରୀ ଭିତରେ ୬ମାସ ପାଇଁ ବନ୍ଦ କରିଦେଲେ। ଏମିତିକି ସେହି ସମୟ ମଧ୍ୟରେ ସେ ଘର ଲୋକଙ୍କ ସହିତ ଠିକରେ କଥାବାର୍ତ୍ତା ବି କରୁନଥିଲେ।

ନିଧି ସିୱାଚ ୟୁପିଏସସି ପରୀକ୍ଷା ପସ୍ତୁତି ପାଇଁ କୌଣସି କୋଚିଂ କିମ୍ବା ସୋସିଆଲ ମିଡିଆ ଗ୍ରୁପର ସାହାଯ୍ୟ ନେଇନଥିଲେ। ସେ ତୃତୀୟ ପ୍ରୟାସରେ ସର୍ବ ଭାରତୀୟ ସ୍ତରରେ ୮୩ନମ୍ବର ରାଙ୍କ ହାସଲ କରିଥିଲେ ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଥିଲେ।

Comment