ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ୧୯ ଦିନ ଧରି ଚାଲିବାକୁ ଥିବା ଗୃହ କାର୍ଯ୍ୟ କିଭଳି ସୁଚାରରୂପେ ଚଳାଇବାକୁ ହେବ, ବୈଠକରେ ସେହି ମନ୍ତ୍ର  ଦେଇଥିଲେ ମୋଦୀ।

ଅଧିବେଶନ ସମୟରେ ସବୁ ଏନଡିଏ ସାଂସଦଙ୍କ ସକ୍ରିୟ ଯୋଗଦାନ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଗୃହକୁ ଆସିବା ପୂର୍ବରୁ ଭଲ ଭାବରେ ପ୍ରସ୍ତୁତ ହୋଇ ଆସିବା ପାଇଁ ମେଣ୍ଟର ନେତାମାନଙ୍କୁ କହିଥିଲେ ମୋଦୀ। ଗୃହରେ ସମନ୍ୱୟ ରକ୍ଷା କରିବା ପାଇଁ ସାଂସଦମାନେ ଯେଭଳି ପୂର୍ଣ୍ଣ ସମୟ ଉପସ୍ଥିତ ରହିବେ ତାହାରି ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ।ପୂର୍ବରୁ ମୋଦୀ ଏକ ସର୍ବଦଳୀୟ ବୈଠକରେ ଅଂଶ ଗ୍ରହଣ କରି କହିଥିଲେ ଉଭୟ ଗୃହରେ ଅର୍ଥପୂର୍ଣ୍ଣ ଆଲୋଚନା ହେବା ଦରକାର। ସାଂସଦମାନେ ଯେଉଁ ସବୁ ପରାମର୍ଶ ଦେଇଛନ୍ତି ତାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ମୋଦୀ ପ୍ରତିଶୃତି ଦେଇଥିଲେ। ଅଧିବେଶନ ଆରମ୍ଭ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ସଂସଦ ପରିଚଳାନା ନେଇ ଆଲୋଚନା କରିଥିଲେ।

ବିରୋଧୀ କଂଗ୍ରେସ ଦଳର ସାଂସଦଙ୍କ ସହ ସୋନିଆ ଗାନ୍ଧୀଙ୍କର ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନରେ ଦରଦାମ୍ ବୃଦ୍ଧି ମୁଖ୍ୟ ପ୍ରସଙ୍ଗ ରହିବ। ଅଗଷ୍ଟ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ, ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ  ଗୃହରେ ହଙ୍ଗାମା ହେବାର ଆଶଙ୍କା ରହିଛି। ମୌସୁମୀ ଅଧିବେଶନ କୋଭିଡ ତୃତୀୟ ଲହରର ଆଶଙ୍କା ଭିତରେ ହେଉଥିବାରୁ ସମସ୍ତ ନିୟମ ପାଳନ ମଧ୍ୟରେ ସାଂସଦମାନେ ଆଲୋଚନାରେ ଅଂଶ ଗ୍ରହଣ କରିବେ।

ଖବର ଅନୁସାରେ ଏବେ ସଂସଦରେ ପାରିତହେବା ଅପେକ୍ଷାରେ ପଡିରହିଛି ୩୮ଟି ବିଧେୟକ। ସେଥିମଧ୍ୟରୁ ଚଳିତ ମୌସୁମୀ ଅଧିବେଶନରେ ୯ଟି ବିଧେୟକ ଉପରେ ଆଲୋଚନା ହୋଇ ସଂସଦରେ ଗୃହୀତ ହେବା ଆଶା ରହିଛି। ଏହା ସହିତ ଚଳିତ ଅଧିବେଶନରେ ମୋଦୀ ସରକାର ୧୭ଟି ନୂଆ ବିଲ୍ ଆଣିପାରନ୍ତି। ଦେଶର ଅଧିକାଂଶ ସହରରେ କେବେଠାରୁ ପେଟ୍ରୋଲ ଦର ୧୦୦ଟଙ୍କା ପାର କରିଗଲାଣି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ଅନ୍ୟପଟେ କୋଭିଡ ଦ୍ୱିତୀୟ ଲହରର ମୁକାବିଲାରେ ମୋଦୀ ସରକାର ଫେଲ ମାରିଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ। ଦେଶରେ ଟିକାକରଣ କଇଁଛ ଗତିରେ ଚାଲିଛି। ଏସବୁ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ ହୋଇ ରହିଛନ୍ତି।

Comment