ଓଡ଼ିଶାଲାଇଭ୍ ବ୍ୟୁରୋ

ପେଗାସସ ସ୍ପାଇୱେରକୁ ନେଇ ଗତ କିଛି ଦିନ ହେବ ଦେଶରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି ଏବଂ ଏହାକୁ ନେଇ ରାଜନୀତି ମହଲରେ ହଇଚଇ ଖେଳି ଯାଇଛି। ବହୁ ରାଜନେତା, ସାମ୍ବାଦିକ, ଅଫିସରଙ୍କ ଫୋନ ଟ୍ୟାପ ହୋଇଥିବା ଅଭିଯୋଗ ଆସିବା ପରେ ସଂସଦରେ ଏନେଇ ଝଡ଼ ସୃଷ୍ଟି ହୋଇଛି। ଆଗକୁ ଏହି ବିବାଦ କେଉଁ ରୂପ ନେଉଛି ତାହା ପରେ ଜଣାପଡ଼ିବ। ତେବେ ଏହି ଗୁଇନ୍ଦା ସଫ୍ଟୱେରଟି କ’ଣ ଓ କେମିତି ଏହା କାମ କରିଥାଏ ଆସନ୍ତୁ ତାହା ଜାଣିବା।

ଇଜରାଏଲ ଚେର

ପେଗାସସ ଏକ ରାଣ୍ଡମ ସ୍ପାଇୱେର ନୁହେଁ ଅର୍ଥାତ ଅନଲାଇନରେ ଏହା ମିଳିବ ନାହିଁ। ଏହାକୁ ଇଜରାଏଲର ଏକ କମ୍ପାନି ତିଆରି କରିଛି। କମ୍ପାନିର ନାମ ହେଉଛି ଏନଏସଓ। କମ୍ପାନିର କହିବା ଅନୁଯାୟୀ, ଏହି ସ୍ପାଇୱେର କେବଳ ବିଶିଷ୍ଟ ବ୍ୟକ୍ତିଙ୍କ ମୋବାଇଲ ଫୋନ ଡାଟାକୁ  ଏକାଠି କରିବା କାମ କରିଥାଏ। ଯେଉଁମାନେ ଅପରାଧ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥାଆନ୍ତି, ସେମାନଙ୍କ ଫୋନ ଉପରେ ମଧ୍ୟ ଏହି ସ୍ପାଇୱେୟାର ନଜର ରଖିଥାଏ।ଗ୍ରାହକ ବର୍ଗ

ଏନଏସଓ ଗ୍ରୁପର କହିବା ଅନୁଯାୟୀ ଏହି କମ୍ପାନି କେବଳ ଅଧିକୃତ ସରକାରମାନଙ୍କ ସହିତ ହିଁ କାର୍ଯ୍ୟ କରିଥାଏ। ମୁଖ୍ୟତଃ ମେକ୍ସିକୋ ଏବଂ ପାନାମା ସରକାରଙ୍କ ସହିତ ପେଗାସସ ସମ୍ପୃକ୍ତ ବୋଲି ସାଧାରଣରେ ଧାରଣା ରହିଛି। ଏହି ଦୁଇ ଦେଶର ସରକାର ହିଁ ପେଗାସସକୁ ଡାଟା ସଂଗ୍ରହ କରିବା କାମରେ ନିୟୋଜିତ କରିଥାନ୍ତି। ତେବେ ବିଶ୍ୱର ପ୍ରାୟ ୪୦ଦେଶରେ ଏହି କମ୍ପାନିର ୬୦ଗ୍ରାହକ ଅଛନ୍ତି। ଏହି ଗ୍ରାହକମାନଙ୍କ ଭିତରେ ରହିଛନ୍ତି ଗୁଇନ୍ଦା ବିଭାଗ(୫୧ ପ୍ରତିଶତ), ଆଇନ ପ୍ରବର୍ତ୍ତନ ସଂସ୍ଥା (୩୮ ପ୍ରତିଶତ) ଓ ୧୧ପ୍ରତିଶତ ସେନାବାହିନୀର ଗ୍ରାହକ ରହିଛନ୍ତି।

ଡାଟା ସଂଗ୍ରହ

ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ଏହି ସ୍ପାଇୱେର ମେସେଜ ଓ ଇମେଜ ଜରିଆରେ ଲୋକଙ୍କ ଫୋନରେ ନିଜର ଆସ୍ଥାନ ଜମାଇବା ଆରମ୍ଭ କରେ। କିନ୍ତୁ ଏବେ ଏହି ସ୍ପାଇୱେରଟିକୁ ହ୍ବାଟ୍ଆପ୍ ଓ ଫୋନ କଲ ଜରିଆରେ ମଧ୍ୟ ଇନଷ୍ଟଲ କରାଯାଇପାରୁଛି। ଆଲୋଚ୍ୟ ଗୁଇନ୍ଦା ସଫ୍ଟୱେରଟି  ଜିରୋ କ୍ଲିକ ଆଟାକ ବି କରିପାରିବ। ଅର୍ଥାତ ଯଦି ଆପଣ କୌଣସି ଲିଙ୍କ ବା ମେସେଜ ଉପରେ କ୍ଲିକ କରୁଛନ୍ତି, ତେବେ ଆପେଆପେ ସ୍ପାଇୱେର ଇନଷ୍ଟଲ ହୋଇଯାଏ। ଥରେ ଯଦି ଆପଣଙ୍କ ମୋବାଇଲ ଫୋନରେ ସ୍ପାଇୱେର ସ୍ଥାନ ଜମାଇବା ଆରମ୍ଭ କରେ ଦୂରରେ ବସିଥିବା ବ୍ୟକ୍ତି ଜଣକ ରିମୋଟ କଣ୍ଟ୍ରୋଲ ଜରିଆରେ  କମାଣ୍ଡ ଦେଇପାରିବେ। ଏଥିସହିତ ଖୁବ ସହଜରେ ଫୋନରେ ଥିବା ତଥ୍ୟକୁ ଚୋରି କରିପାରିବେ। ମୋବାଇଲ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଲଗ ଇନ ଡିଟେଲ ସମେତ ପାସୱାର୍ଡ ଓ ଅନ୍ୟ ଡାଟାକୁ ଏହି ସ୍ପାଇୱେର ଅକ୍ତିଆର କରିନିଏ। ଆହୁରି ମଧ୍ୟ ପେଗାସସ ସ୍ପାଇୱେର ଏସଏମଏସକୁ ରେକର୍ଡ କରିପାରେ, କଣ୍ଟାକଟ ଡିଟେଲସ ସଂଗ୍ରହ କରିପାରେ, କଲ ହିଷ୍ଟ୍ରି ନେଇପାରେ, ଇମେଲ ଏବଂ ବ୍ରାଉଜିଙ୍ଗ ହିଷ୍ଟ୍ରି ବି ଅପହରଣ କରିପାରେ।କିଣାବିକା

ପେଗାସସ ସ୍ପାଇୱେର କେବଳ ଲାଇସେନ୍ସ ଦ୍ୱାରା ହିଁ ବିକ୍ରି କରାଯାଇଥାଏ। କଣ୍ଟ୍ରାକ୍ଟ ବା ଚୁକ୍ତି ଉପରେ ଏହାର ଦାମ ନିର୍ଭର କରିଥାଏ। କୁହାଯାଉଛି, ଗୋଟିଏ ଚୁକ୍ତି ପାଇଁ ଏହି କମ୍ପାନି ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାଏ। ଗୋଟିଏ କଣ୍ଟ୍ରାକ୍ଟରେ ଗୁଡ଼ାଏ ଫୋନର ଡାଟାକୁ ଟ୍ରାକ କରାଯାଇପାରେ।

ବହୁମୁଖୀ

ପେଗାସସ ସ୍ପାଇୱେର ଗୁଗୁଲର ଆଣ୍ଡ୍ରଏଡ ଅପରେଟିଙ୍ଗ ସିଷ୍ଟମ, ବ୍ଲାକବେରୀ ଫୋନ, ଆପଲର ଆଇଓଏସ ଫୋନରେ ମଧ୍ୟ କାମ କରିଥାଏ।

Comment