ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୋକିଓ ଅଲମ୍ପିକ୍ସରେ ମୀରାବାଈ ଚାନୁ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଭାରତ ପାଇଁ ପ୍ରଥମ ପଦକ ଜିତି ସେ ଦେଶକୁ ଗୌରାବାନ୍ୱିତ କରିଛନ୍ତି। ଭାରୋତ୍ତଳନର (ଓ୍ୱେଟ ଲିଫ୍ଟିଙ୍ଗ୍‌) ୪୯ କେଜିରେ ସେ ଏହି ପଦକ ହାସଲ କରିଛନ୍ତି। ଚାନୁଙ୍କ ସଫଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୧ ବର୍ଷ ପରେ ଭାରତକୁ ଭାରତ୍ତୋଳନରେ ଏହି ପଦକ ମିଳିଛି। ପୂର୍ବରୁ ୨୦୦୦ ମସିହାରେ ସିଡ୍‌ନୀ ଅଲମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଚ୍‌ ପଦକ ଜିତିଥିଲେ।

ଚାନୁ ତାଙ୍କ ପଦକୁ ଉତ୍ସର୍ଗ କରି ତାଙ୍କ ପାଇଁ ଅବଦାନ ରଖିଥିବା ପରିବାର ଓ କୋଚ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ମଣିପୁରର ରାଜଧାନୀ ଇମ୍ଫାଲର ବାସିନ୍ଦା ମିରାବାଈ ଚାନୁ ୧୯୯୪, ଅଗଷ୍ଟ ୮ରେ ଜନ୍ମଗ୍ରହଣ କରିଥିଲେ। ୨୬ ବର୍ଷୀୟ ମିରାବାଈ ଚାନୁ ଆର୍ଚେରୀରେ କ୍ୟାରିୟର କରିବାକୁ ଚାହୁଁଥିଲ। ପରେ କୌଣସି କାରଣରୁ ଭାରୋତ୍ତୋଳନରେ ଆଗକୁ ବଢ଼ିଲେ।

ମାତ୍ର ୧୧ ବର୍ଷ ବୟସରେ ସେ ଏକ ସ୍ଥାନୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେଥିରେ ସେ ବିଜୟ ହାସଲ କରି ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲେ।  ପରେ, ସେ ବିଭିନ୍ନ ଚାମ୍ପିଅନସିପରେ ପ୍ରତିଦ୍ୱନ୍ଦ୍ୱିତା କରି ଆନ୍ତର୍ଜାତିକ ଭାରୋତ୍ତୋଳନରେ ମଧ୍ୟ ଭାଗ ନେଇଥିଲେ।

ମିରାବାଈ ଚାନୁ ଦେଶ ପାଇଁ ଏପର୍ଯ୍ୟନ୍ତ ଅନେକ ପଦକ ଜିତିଛନ୍ତି। ୨୦୧୪ ମସିହାରେ, ସେ ଗ୍ଲାସ୍ଗୋରେ ଆୟୋଜିତ କମନୱେଲଥ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ। ୨୦୧୭ରେ  ବିଶ୍ୱ ଭାରୋତ୍ତୋଳନ ଚାମ୍ପିୟନସିପ୍‌ରେ ସେ ୪୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।  ଏଥିସହିତ, ଚାନୁ ୨୦୧୮ରେ ମଧ୍ୟ କମନୱେଲଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସେହିପରି ୨୦୨୧, ଏପ୍ରିଲ ମାସରେ ତାସକେଣ୍ଟରେ ଏସିଆନ୍ ଭାରୋତ୍ତୋଳନ ଚାମ୍ପିଅନସିପ୍ ସମୟରେ ଚାନୁ ମହିଳା ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ତାଙ୍କୁ ୨୦୧୮ ରେ ଭାରତର ସର୍ବୋଚ୍ଚ ନାଗରିକ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୮ରେ ଭାରତ ସରକାର ଚାନୁଙ୍କୁ ପଦ୍ମଶ୍ରୀ ପ୍ରଦାନ କରିଥିଲେ।

Comment