ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ବିବାଦ ଓ ସମାଲୋଚନା ପରେ ଶେଷରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଥିବା ସ୍ଥାପତ୍ୟ ଘୋଡ଼ାକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଐତିହ୍ୟ ସ୍ଥାପତ୍ୟକୁ ସ୍ଥାନାନ୍ତର ନ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଥିବା ବିଏମ୍‌ସି କମିସନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ମାଷ୍ଟରକ୍ୟାଣ୍ଟିନ ଛକକୁ ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରସ୍ଥଳୀ କୁହାଯାଏ, ଆଉ ଏହି ଛକର ମଝିରେ ରହିଛି ଏକ ସ୍ଥାପତ୍ୟ ଘୋଡ଼ା। ଏହା ଓଡ଼ିଶାର ବୀରତ୍ଵ ଗାଥା ବହନ କରେ। ଓଡ଼ିଶାର ଅସ୍ମିତା ସହ ଏହା ଜଡ଼ିତ। ତେଣୁ ଏହାକୁ ରାଜଧାନୀର କେନ୍ଦ୍ରରେ ଅବସ୍ଥାପିତ କରାଯାଇଥିଲା। କିନ୍ତୁ ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ମାଷ୍ଟରକ୍ୟାଣ୍ଟିନ ଛକର ସୌନ୍ଦର୍ଯ୍ୟକରଣ ପାଇଁ ଏହି ଘୋଡ଼ାକୁ ହଟାଇବାକୁ ପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା।ଘୋଡ଼ା ସ୍ଥାନାନ୍ତରଣକୁ ସଂସ୍କୃତି ବିଭାଗ ମଧ୍ୟ ସବୁଜ ସଙ୍କେତ ଦେଇଥିଲା। ଏହାପରେ ବିଭିନ୍ନ ମହଲରେ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଘୋଡ଼ା ସ୍ଥାନାନ୍ତରଣକୁ ନେଇ ରାଜନୀତିକ ମହଲରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଉଭୟ କଂଗ୍ରେସ ଏବଂ ବିଜେପି ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଏପରିକି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ନିଷ୍ପତ୍ତିକୁ ବିରୋଧ କରି ଘୋଡ଼ା ମୂର୍ତ୍ତି ତଳେ ଧାରଣା ଦେଇଥିଲେ।ମାଷ୍ଟରକ୍ୟାଣ୍ଟିନ ଘୋଡ଼ା ଓଡ଼ିଶାର ନିଖୁଣ କାରିଗରୀର ପରିଚୟ ଦେଉଥିବା ବେଳେ ଓଡ଼ିଶାର ଅସ୍ମିତା ସହ ଏହା ଜଡ଼ିତ ଥିବାରୁ ଏହାର ସ୍ଥାନାନ୍ତର ହେବାକୁ ବୁଦ୍ଧିଜୀବି ମହଲ ମଧ୍ୟ ବିରୋଧ କରିଥିଲେ। ଶେଷରେ ଏହି ସରକାରୀ ନିଷ୍ପତ୍ତିକୁ ପରିବର୍ତ୍ତନ କରାଯାଇଛି।

Comment