ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିବର୍ଷ ଅଗଷ୍ଟ ମାସ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଏ। ସମଗ୍ର ବିଶ୍ଵର ୧୨୦ଟି ଦେଶରେ ଏହା ପାଳନ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ଏହି ସପ୍ତାହ ପାଳନ କରାଯାଉଛି। ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯାଉଛି।

ଚଳିତ ବର୍ଷ ବିଶ୍ଵ ସ୍ତନ୍ୟପାନ ସପ୍ତାହର ଥିମ ରହିଛି, “ସୁରକ୍ଷିତ ସ୍ତନ୍ୟମାନ, ପ୍ରତି ମା’ଙ୍କ ଦାୟିତ୍ଵ”।

ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲ୍ଲକ୍ଷେ କିପରି ନବଜାତ ଶିଶୁମାନଙ୍କୁ ସୁରକ୍ଷିତ ସ୍ତନ୍ୟପାନ କରାଯିବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମା’ମାନଙ୍କୁ ପରାମର୍ଶ ଦିଆଯାଇଛି। କୋଭିଡ୍ କାଳରେ ଶିଶୁମାନଙ୍କୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ସମସ୍ତ ନିୟମ ମାନି ସ୍ତନ୍ୟପାନ କରାନ୍ତୁ ଏବଂ ସେ ସମ୍ପର୍କରେ ଅଧିକ ଜାଣିବା ପାଇଁ ନିକଟସ୍ଥ ଆଶା, ଅଙ୍ଗନୱାଡି କର୍ମୀ, ସ୍ଵାସ୍ଥ୍ୟକର୍ମୀ କିମ୍ଵା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସ୍ତନ୍ୟପାନ ସମ୍ପର୍କିତ ପରାମର୍ଶ

  • ଜନ୍ମର ୧ଘଣ୍ଟା ମଧ୍ୟରେ ଶିଶୁକୁ ମା’ କ୍ଷୀର ଦେବା ଆରମ୍ଭ କରନ୍ତୁ
  • ଶିଶୁକୁ ୬ମାସ ପର୍ଯ୍ୟନ୍ତ କେବଳ ମା’ର କ୍ଷୀର ଦିଅନ୍ତୁ
  • ୬ମାସ ମଧ୍ୟରେ ଶିଶୁକୁ କୌଣସି ବାହାର ଖାଦ୍ୟ ଗାଈ କ୍ଷୀର, ପାଣି, ମହୁ, ଚିନି ପାଣି ଦିଅନ୍ତୁ ନାହିଁ
  • କୋଭିଡରେ ଆକ୍ରାନ୍ତ ମା’ମାନେ ଗାଇଡଲାଇନ ମାନି ଶିଶୁକୁ ସ୍ତନ୍ୟପାନ କରାନ୍ତୁ
  • ସ୍ତନ୍ୟପାନ କରାଇବା ପୂର୍ବରୁ ହାତକୁ ସାବୁନରେ ଧୁଅନ୍ତୁ
  • ସ୍ତନ୍ୟପାନ କରାଇବା ସମୟରେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ
  • ସ୍ତନ୍ୟପାନ କରାଉଥିବା ମା’ମାନେ ଶୀଘ୍ର କୋଭିଡ୍ ଟିକା ନିଅନ୍ତୁ

Comment