ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାରେ ଭାରତୀୟ ହକି ତାରକା ତଥା ଓଡ଼ିଆ ପୁଅ ଅମିତ ରୋହିଦାସ।

(ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଅମିତ ରୋହିଦାସ। ଭାରତୀୟ ପୁରୁଷ ହକି ଦଳର ଖେଳାଳି, ହକିର ଗଡ଼ ସୁନ୍ଦରଗଡ଼ର ପୁଅ। ଦୀର୍ଘ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ବ୍ରୋଞ୍ଜ ପଦକ ଦେବାରେ ତାଙ୍କର ଯଥେଷ୍ଟ ଭୂମିକା ରହିଛି। କାରଣ ଟୋକିଓ ଅଲିମ୍ପିକ୍ସରେ ଅମିତ ରୋହିଦାସ ଚମତ୍କାର ପ୍ରଦର୍ଶନ କରି ରକ୍ଷଣ ଭାଗରେ ୧୫ଟି ପେନାଲ୍ଟି କର୍ଣ୍ଣର ରୋକିଥିଲେ, ଯାହା ଭାରତକୁ ବ୍ରୋଞ୍ଜ୍‌ ପଦକ ଦେବାରେ ସହାୟ ହୋଇଥିଲା। ପୂରା ମ୍ୟାଚରେ ଡିଫେଣ୍ଡର ଅମିତଙ୍କ ପ୍ରଦର୍ଶନ ଯୋଗୁଁ ସେ ଆଜି ଭାରତୀୟ ଦଳର ମୁଖ୍ୟ ଖେଳାଳି ହୋଇଯାଇଛନ୍ତି।

କିନ୍ତୁ ଦିନ ଥିଲା ଅମିତଙ୍କ ପାଖରେ ହକି ଷ୍ଟିକ ନଥିଲା କି ଷ୍ଟିକ୍‌ କିଣିବାକୁ ପାଖରେ ପଇସା ନଥିଲା। ସେ ବାଉଁଶ କାଟି ସେଥିରେ ଷ୍ଟିକ୍‌ କରି ହକି ଖେଳୁଥିଲେ। ଏକଥା ନିଜେ ଅମିତ କହିଛନ୍ତି।

‘‘ସୁନ୍ଦରଗଡ଼ର ଏକ ଛୋଟିଆ ଗାଁରେ ଅତି ସାଧାରଣ ପରିବାରରେ ମୋର ଜନ୍ମ। ମାତ୍ର ୬ ବର୍ଷ ବୟସରୁ ମୁଁ ହକି ଖେଳିବା ଆରମ୍ଭ କରିଥିଲି। ହେଲେ ମୋ ପାଖେ ସେତେବେଳେ ହକି ଷ୍ଟିକ୍‌ ନଥିଲା। ମତେ ହକି ଷ୍ଟିକ କିଣି ଦେବାକୁ ମୋ ପରିବାର ପାଖେ ସମ୍ବଳ ବି ନଥିଲା। ମୁଁ ବାଉଁଶ ଗଛ କାଟି ସେଥିରେ ଷ୍ଟିକ୍‌ ତିଆରି କରି ଖେଳୁଥିଲି। କିନ୍ତୁ ଆଜି ମୋ ପାଖରେ ୪୦ରୁ ୫୦ ଟି ଷ୍ଟିକ ଅଛି। ସେତେବେଳେ ଯଦି ମୁଁ ପରିଶ୍ରମ କରିନଥାନ୍ତି ଆଜି ହୁଏତ ଏ ସଫଳତା ମିଳିନଥାନ୍ତା’’, କହିଛନ୍ତି ଅମିତ ରୋହିଦାସ।

କଳିଙ୍ଗ ଷ୍ଟାଡିୟମରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବା ପରେ ଅଗଷ୍ଟ ୧୦ ରାତିରେ ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା, ମହିଳା ହକି ଦଳର ଉପଅଧିନାୟିକା ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ ଓଡ଼ିଶା ଫେରିଥିଲେ। ଆଜି ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲେ।

ସେମାନଙ୍କୁ ଆର୍ଥିକ ପୁରସ୍କାର ମଧ୍ୟ ଦିଆଯାଇଛି। ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଲେଖାଏଁ ଦିଆଯାଇଥିଲା ବେଳେ ଦୀପ ଗ୍ରେସ୍‌ ଏକ୍କା ଓ ନମିତା ଟପୋଙ୍କୁ ୫୦ ଲକ୍ଷ ଟଙ୍କା ଦିଆଯାଇଛି। ସେହିପରି ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ  ଓଡ଼ିଶା ପୋଲିସରେ ଡିଏସ୍‌ପି ପଦବୀରେ ଅବସ୍ଥାପିତ ପାଇଁ ନିଯୁକ୍ତି ପତ୍ର ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଭାବ ବିହ୍ୱଳ ହେଲେ ଅମିତ

କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ ହେବା ପରେ ଭାବି ବିହ୍ୱଳ ହୋଇପଡ଼ିଥିଲେ ହକି ତାରକା ଅମିତ ରୋହିଦାସ। ଅଲମ୍ପିକ୍ସ ପଦକକୁ ସ୍ୱର୍ଗୀୟ ବାପା ଗୋପାଳ ରୋହିଦାସଙ୍କୁ ଉତ୍ସର୍ଗ କରିବା ସହିତ ସେ କାନ୍ଦି ପକାଇଥିଲେ।

‘‘ଅଲିମ୍ପିକ୍ସ ଖେଳିବାରେ ବାପାଙ୍କ ବହୁତ ଅବଦାନ ରହିଛି। ତାଙ୍କର ସ୍ୱପ୍ନ ଥିଲା ମୁଁ ଅଲିମ୍ପିକ୍ସ ଖେଳି ପଦକ ଆଣେ। କିନ୍ତୁ ଆଜି ବାପା ନାହାନ୍ତି। ଏହି ପଦକ ପାଇଁ ମୁଁ ବହୁତ ପରିଶ୍ରମ କରିଛି। ବାପା ଆଜି ଯେଉଁଠି ବି ଥିବେ ନିଶ୍ଚୟ ଖୁସି ହେଉଥିବେ’’, କହିଥିଲେ ଅମିତ ରୋହିଦାସ।

୨୦୨୦ରେ ଅମିତ ରୋହିଦାସଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ। ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା ଅମିତ ଅଲମ୍ପିକ୍ସରେ ଖେଳି ପଦକ ଆଣନ୍ତୁ। ବାପାଙ୍କ ସ୍ୱପ୍ନକୁ ସତ କରିଛନ୍ତି ଅମିତ।

ପାନପୋଷ ସ୍ପୋଟର୍ସ ହଷ୍ଟେଲରୁ ହକି ପ୍ରଶିକ୍ଷଣ

ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ସଉନାମରା ଗାଁର ଗୋପାଳ ରୋହିଦାସ ଓ ଗୋଲାପୀ ରୋହିଦାସଙ୍କ ସାନ ପୁଅ ଅମିତ ରୋହିଦାସ। ୧୯୯୩ରେ ଜନ୍ମିତ ଅମିତ ରୋହିଦାସ ପଦ୍ମଶ୍ରୀ ଅଲମ୍ପିଆନ ଦିଲ୍ଲୀପ ତିର୍କୀଙ୍କୁ ଆଦର୍ଶ ମାନି ହକିକୁ କ୍ୟାରିୟର କରିଥିଲେ। ୨୦୦୪ରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗ ଦେବା ପରେ ଅମିତ ରୋହିଦାସ ବିଧିବଦ୍ଧ ଭାବେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ।

୨୦୧୩ରେ ଅମିତ ରୋହିଦାସ ଏସିଆ କପ୍‌ରେ ଭାରତୀୟ ଦଳରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଏହାରିମଧ୍ୟରେ ଅମିତ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ା କାସ୍ୟଂ, ଚାମ୍ପିୟନ ଟ୍ରଫି ରୋପ୍ୟ, ୨୦୧୬-୧୭ ବିଶ୍ୱ ହକି ଲିଗ୍‌ କାସ୍ୟଂ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଛନ୍ତି। ଏହାଛଡ଼ା ୨୦୧୮ ହକି ବିଶ୍ୱକପ୍‌, ପ୍ରଥମ ଥର ପାଇଁ ଚଳିତ ବର୍ଷ ସେ ଟୋକିଓ ଅଲିମ୍ପିକ୍ସରେ ଖେଳିବାର ସୁଯୋଗ ପାଇଥିଲେ।

Comment