ଓଡ଼ିଶାଲାଇଭ୍ ବ୍ୟୁରୋ

  • ନିର୍ବାଚନରେ ୨୭ ପ୍ରତିଶତ ଓବିସି, ଏସ୍‌ଇବିସିଙ୍କୁ ପ୍ରାର୍ଥୀ କରିବ ବିଜେଡି
  • ପ୍ରଥମେ ଶିକ୍ଷା ଓ ନିଯୁକ୍ତିରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦିଆଯାଉ: ବିଜେପି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଏକ ବଡ଼ ଘୋଷଣା କରିଛି। ଏଣିକି ରାଜ୍ୟର ସମସ୍ତ ନିର୍ବାଚନରେ ପଛୁଆବର୍ଗଙ୍କୁ ଅଗ୍ରାଧିକାର ଦେଇ ଓବିସି ଏବଂ ଏସ୍‌ଇବିସି ବର୍ଗରୁ ସର୍ବନିମ୍ନ ୨୭ ପ୍ରତିଶତ ବ୍ୟକ୍ତିଙ୍କୁ ବିଜେଡି ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି। ଏନେଇ ଶୁକ୍ରବାର ଏକ ସମ୍ଵାଦିକ ସମ୍ମିଳନୀରେ ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।

ସାମ୍ଵାଦିକ ସମ୍ମିଳନୀରେ ଭଭୟ ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକ୍ରମେ ରାଜ୍ୟର ପଛୁଆବର୍ଗ ବନ୍ଧୁମାନଙ୍କୁ ନିର୍ବାଚନରେ ୨୭ ପ୍ରତିଶତ ପ୍ରାର୍ଥୀ କରିବାକୁ ସ୍ଥିର କରି ବିଜୁ ଜନତା ଦଳ ଏକ ଐତିହାସିକ ଘୋଷଣା କରିଛି। ତେଣୁ ଏଥିରୁ ଅନ୍ୟ ରାଜନୀତିକ ଦଳମାନେ କିଛି ଶିକ୍ଷା ଗ୍ରହଣ କରିବା ଆବଶ୍ୟକ।ଅପରପକ୍ଷେ ବିରୋଧୀ ଦଳ ବିଜେପି, ବିଜେଡିର ଏହି ଘୋଷଣାକୁ କାଉଣ୍ଟର କରିଛି। ବରିଷ୍ଠ ବିଜେପି ନେତା ପୃଥ୍ଵୀରାଜ ହରିଚନ୍ଦନ ବିଜେଡିକୁ ଟାର୍ଗେଟ କରି କହିଛନ୍ତି ଯେ, ଓଡ଼ିଶାରେ ୨୧ ବର୍ଷର ଶାସନ ଭିତରେ ବିଜେଡି କେବେ ପଛୁଆବର୍ଗଙ୍କ କଥା ଭାବି ନଥିଲା। ଏବେ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ସଂରକ୍ଷଣ ପାଇଁ ସ୍ଵତନ୍ତ୍ର ବିଲ୍ ଆଣିବାରୁ ବିଜେଡି ଏହି ଘୋଷଣା କରିଛି। ତେବେ ପ୍ରଥମେ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ସ୍ଵତନ୍ତ୍ର ସଂରକ୍ଷଣ ନ ଦେଇ ନିର୍ବାଚନ କ୍ଷେତ୍ରରେ ସେମାନଙ୍କୁ ପ୍ରାର୍ଥୀ ଦେବା ବିଜେଡିର ମୁର୍ଖାମୀ।

ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏଭଳି ଓବିସି କାର୍ଡ ଖେଳିଛି ବୋଲି ରାଜନୀତିକ ପଣ୍ଡିତମାନେ ମତ ଦେଇଛନ୍ତି। ନିର୍ବାଚନରେ ପଛୁଆବର୍ଗଙ୍କୁ ପ୍ରାର୍ଥୀ ଦେଇ ଓବିସି ଏବଂ ଏସ୍‌ଇବିସି ବର୍ଗରୁ ଭୋଟ୍ ହାତେଇବାକୁ ଦଳ ଆଶା ରଖିଥିବା ଚର୍ଚ୍ଚା ହେଉଛି।

Comment