ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାଠାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି। ଭାରତକୁ ସ୍ଵାଧୀନ କରିବାରେ ବଳିଦାନ ଦେଇଥିବା ବୀର ଯବାନ ଏବଂ ମହାପୁରୁଷମାନଙ୍କୁ ପ୍ରଥମେ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ଵୋଧିତ କରିଥିଲେ। ଏହି ଅବସରରେ ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ପାଇଁ ‘ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ସହିତ ‘ସବ୍‌କା ପ୍ରୟାସ’ ମଧ୍ୟ ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।ଦେଶର ମହାନାୟକମାନଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଜାତିର ପିତା ମହାତ୍ମା ଗାନ୍ଧୀ, ନେତଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଭଗତ ସିଂ, ରାମପ୍ରସାଦ ବିସ୍ମିଲ, ଶଫକଉଲ୍ଲା ଖାନ, ରାଣୀ ଲକ୍ଷ୍ମୀବାଈ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାବା ସାହେବ ଆମ୍ବେଦକରଙ୍କ ଭଳି ମହାନ ଜନନାୟକଙ୍କ ବଳିଦାନକୁ ଆଜି ଦେଶ ସ୍ମରଣ କରୁଛି। ବିଜୟ ଏବଂ ପରାଜୟ ଆସୁଛି, କିନ୍ତୁ ମନରେ ସ୍ୱାଧୀନତାର ଇଚ୍ଛା କେବେ ବି ଶେଷ ହୋଇନାହିଁ ।

ଏହାସହ କରୋନା ମୁକାବିଲାରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ସମ୍ମାନ ଜଣାଇଛନ୍ତି। ସେ କହିଛନ୍ତି, କରୋନା କାଳରେ ଦେଶର ଡାକ୍ତର, ବୈଜ୍ଞାନିକମାନେ ଲୋକଙ୍କ ସେବା ପାଇଁ କାର୍ଯ୍ୟ କରିଥିଲେ। ପ୍ରତିଟି ମୁହୂର୍ତ୍ତରେ କୋଟି କୋଟି ଲୋକଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇଛନ୍ତି। ତେଣୁ ଦେଶ ସେମାନଙ୍କୁ ସବୁବେଳେ ମନେ ରଖିବ।ସେହିପରି ଟୋକିଓ ଅଲିମ୍ପିକ୍ସରେ ସଫଳତା ପାଇ ଦେଶକୁ ଗୌରବାନ୍ଵିତ କରିଥିବା କ୍ରୀଡ଼ାବିତ୍‌ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ସ୍ଵଧୀନତା ଦିବସ ଉତ୍ସବରେ ସମୂହ କରତାଳିରେ ଦେଶର ଖେଳାଳିମାନଙ୍କୁ ସମ୍ମାନୀତ କରିଥିଲେ ମୋଦୀ। ଏହି ଅବସରରେ ସେ ଆହୁରି ମଧ୍ୟ କହିଥିଲେ ଯେ, ଆମ ଖେଳାଳିମାନେ ସବୁବେଳେ ଯୁବ ପିଢ଼ିଙ୍କୁ କ୍ରୀଡ଼ା ପାଇଁ ପ୍ରେରିତ କରିବେ।ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶବାସୀଙ୍କ ବିକାଶ ପାଇଁ ଅନେକ ଯୋଜନା କରାଯାଇଛି। ଶତ ପ୍ରତିଶତ ଲୋକଙ୍କ ଘରେ ଶୌଚାଳୟ ପହଞ୍ଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର। ସମସ୍ତଙ୍କ ଘରେ ବିଜୁଳି ଓ ପାନୀୟ ଜଳ ପହଞ୍ଚାଇବା ପାଇଁ ମଧ୍ୟ ଲକ୍ଷ୍ୟ ରହିଛି। କରୋନା ଯୁଦ୍ଧରେ ଭାରତ ଆଜି ସବୁଠାରୁ ଆଗରେ। ଆମ ଦେଶରେ ଆଜି ସୁଦ୍ଧା ୫୪ କୋଟି ଲୋକ କରୋନା ଟିକା ନେଇ ବିଶ୍ଵର ସବୁଠାରୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କାହା ଉପରେ ନିର୍ଭର ନ କରି ଭାରତ କରୋନା ଟିକା ପ୍ରସ୍ତୁତ କରିପାରିଛି। ସେହିପରି ଅସୁବିଧା କାଳରେ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ମଧ୍ୟ ଦିଆଯାଇଛି।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିକାଶ ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ବିଶ୍ୱ ଦେଖୁଛି ଭାରତରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ନାହିଁ। ଲୋକଙ୍କ ହିତ ପାଇଁ ଅନେକ ପୁରୁଣା ଆଇନରେ ପରିବର୍ତ୍ତନ ଅଣାଯାଇଛି। ତେଣୁ ୨୦୦ ବର୍ଷର ପୁରୁଣା ଆଇନକୁ ବଦଳାଇବାକୁ ସମୟ ଆସିଛି। ଅନ୍ୟପଟେ କୃଷକଙ୍କ ବିକାଶ ପାଇଁ ପିଏମ କିଷାନ ଯୋଜନା ଲାଗୁ କରାଯାଇଛି। ଏହି ଯୋଜନାରେ ୧୦ କୋଟି ଚାଷୀ ଉପକୃତ ହୋଇଛନ୍ତି, ଆଗକୁ ଏହା ଆହୁରି ବଢ଼ିବ। ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି। ଗାଁ ଜମିର ଡ୍ରୋନ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି। ଯେଉଁଠି ଆଦୌ ଚାଷ ହେଉ ନ ଥିଲା ତାହା ଆଜି ଶସ୍ୟଶ୍ୟାମଳା ହୋଇଉଠିଛି।

Comment