ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡ୍ୟାନ୍ସ ରିଅଲିଟି ସୋ ‘ସୁପର ଡ୍ୟାନ୍ସର ଚାପ୍ଟର ୪’ ସୁଟିଂ ସେଟରେ ପୁଣିଥରେ ନଜର ଆସିଛନ୍ତି ବଲିଉଡ୍ ନାୟିକା ଶିଳ୍ପା ସେଟ୍ଟି। ସ୍ଵାମୀ ରାଜ କୁନ୍ଦ୍ରାଙ୍କ  ଗିରଫର ତିନି ସପ୍ତାହ ପରେ ପ୍ରଥମ ଥର ପାଇଁ ମୁମ୍ବାଇ ସୁଟିଂ ସେଟରେ ଶିଳ୍ପାଙ୍କୁ ଦେଖିବାକୁ ମିଳିଛି।

ଶିଳ୍ପାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓରେ ଶିଳ୍ପା ଆକାଶୀ ରଙ୍ଗର ଏକ ଶାଢ଼ୀ ପିନ୍ଧି ବସରୁ ଓହ୍ଲାଇ ସୁଟିଙ୍ଗ ସେଟ ଆଡ଼କୁ ଯାଉଛନ୍ତି। ଏହାରି ମଧ୍ୟରେ ନିଜ ଦର୍ଶକମାନଙ୍କୁ ମଧ୍ୟ ହାଏ କରିଥିବା ଦେଖିବାକୁ ମିଳିଛି। କିଛି ଦିନର ବ୍ୟବଧାନ ପରେ ଶିଳ୍ପାଙ୍କୁ ସେଟରେ ଦେଖି କ୍ରୁ ମେମ୍ବରମାନେ ଭାବବିହ୍ଵଳ ହୋଇପଡ଼ିଥିଲେ।

ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ସାଇବର ସମ୍ବନ୍ଧୀୟ ପର୍ଣ୍ଣୋଗ୍ରାଫି ମାମଲାରେ ବମ୍ବେ ପୋଲିସ ଗିରଫ କରିବା ପରେ ସେ ସୁଟିଙ୍ଗ ସେଟ ଆସିବା ବନ୍ଦ କରି ଦେଇଥିଲେ। କିନ୍ତୁ ସୋ’ର ମେକର୍ସଙ୍କ ସହ ଯୋଗାଯୋଗରେ ରହିଥିଲେ। ଏବେ ପୁଣିଥରେ ପୂର୍ବଭଳି ସୋ’ରେ କାମ କରିବାକୁ ମେକର୍ସଙ୍କୁ ଜଣାଇଥିଲେ।

ସେ କହିଥିଲେ, “କେବଳ ପରିବାର ଓ ପିଲାମାନଙ୍କ ପାଇଁ ନୁହେଁ ନିଜ ପାଇଁ ସୁଟିଙ୍ଗ ସେଟକୁ ଫେରିଛି।”

ଶିଳ୍ପା ଡ୍ୟାନ୍ସ ସେଟକୁ ଫେରିବାପରେ ସୋ’ର ଅନ୍ୟତମ ଜଜ୍ ଅନୁରାଗ ବସୁ କହିଛନ୍ତି, “ଆମେ ସମସ୍ତେ ଶିଳ୍ପାଙ୍କୁ ମନେ ପକାଉଥିଲୁ। ଆମେ ଏକ ସମ୍ପର୍କରେ ବାନ୍ଧି ହୋଇଯାଇଛୁ। ଏହି ସୋ’ ସହ ଜଡ଼ିତ ପ୍ରତ୍ୟେକଟି ବ୍ୟକ୍ତିଙ୍କୁ ନେଇ ଆମର ଏକ ଛୋଟ ପରିବାର ଗଠିତ ହୋଇଛି। ଯଦି ଏହି ପରିବାରରୁ କୌଣସି ବି ବ୍ୟକ୍ତି କୁଆଡ଼େ ଚାଲିଯାଆନ୍ତି, ତେବେ ସମସ୍ତଙ୍କୁ କଷ୍ଟ ଲାଗିଥାଏ। ଶିଳ୍ପା ସମସ୍ତଙ୍କର ପ୍ରିୟ ଥିଲେ ଏବଂ ରହିବେ।”

ସେପଟେ ଅଭିନେତ୍ରୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ସାଇବର ସମ୍ବନ୍ଧୀୟ ପର୍ଣ୍ଣୋଗ୍ରାଫି ମାମଲାରେ ବମ୍ବେ ହାଇକୋର୍ଟରୁ ଆଶ୍ଵସ୍ତି ପାଇଛନ୍ତି। ବମ୍ବେ ହାଇକୋର୍ଟ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ତାଙ୍କ ଜାମିନ ଶୁଣାଣି ସଂରକ୍ଷିତ ରଖିଛନ୍ତି।

Comment