ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୦୨୨କୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବ। ନିର୍ବାଚନକୁ ଆଉ କେଇ ମାସ ବାକି ରହିଥିବା ବେଳେ ଏବେଠାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହେଇଗଲାଣି। ପଞ୍ଚାୟତ ଦଖଲ ପାଇଁ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରି ଜନତାମୁହାଁ ହେଲଣି ରାଜ୍ୟର ୩ ପ୍ରମୁଖ ଦଳ।

ପଞ୍ଚାୟତ ଭୋଟ୍ ପରେ ପରେ ଆଗକୁ ଆସିଯିବ ବିଧାନସଭା ନିର୍ବାଚନ। ତେଣୁ ରାଜନୈତିକ ଦଳମାନେ ସେମିଫାଇନାଲ୍ ମ୍ୟାଚ୍ ପରି ପଞ୍ଚାୟତ ନିର୍ବାଚନ ପାଇଁ କସରତ୍ କରିବାରେ ଲାଗିପଡ଼ିଛନ୍ତି। କୋଭିଡ ଦ୍ୱିତୀୟ ଲହର ନିୟନ୍ତ୍ରଣକୁ ଆସିବା ପରେ ଦଳର ଶୀର୍ଷ ନେତୃତ୍ୱ ସିଧାସଳଖ କ୍ଷେତ୍ରକୁ ଓହ୍ଲାଇ ଦଳୀୟ କର୍ମୀ ଓ ନେତାଙ୍କୁ ଉତ୍ସାହିତ କଲେଣି। ବିଭିନ୍ନ ପ୍ରସଙ୍ଗ ଆଉ ପ୍ରତିଶ୍ରୁତିର ପାହାଡ଼ ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି।ବିଜେଡିର ଅସ୍ତ୍ର ସ୍ମାର୍ଟ ହେଲ୍‌ଥ କାର୍ଡ

୨୦୧୭ ପଞ୍ଚାୟତ ଭୋଟ୍‌ରେ ବିଜେଡି ନିରାଶ ହୋଇଥିଲା। ଦଳକୁ ଆଶା ଅନୁସାରେ ଫଳ ମିଳି ନଥିଲା। ତେଣୁ ୨୦୨୨ରେ ଯେପରି ତାହାର ପୁନାରୁବୃତି ନ ହୁଏ ସେଥିପାଇଁ ସ୍ଵତନ୍ତ୍ର ରଣନୀତି କରିଛି ଦଳ। ଜିଲ୍ଲାସ୍ତରରେ ଘନକୁ ଘନ କାର୍ଯ୍ୟକାରିଣୀ ବୈଠକ କରି ଦଳୀୟ କର୍ମୀଙ୍କୁ ତୟାର କରୁଛି। ତେବେ ଆଗାମୀ ପଞ୍ଚାୟତ ଭୋଟ୍ ପାଇଁ ଦଳର ବଡ଼ ଅସ୍ତ୍ର ହେଉଛି ସ୍ମାର୍ଟ ହେଲ୍‌ଥ କାର୍ଡ।

ନୂଆ ରୂପରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ଲାଗୁ କରି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏହାସହ ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ଵାସ୍ଥ୍ୟସେବା ଯୋଗାଇଦେବାକୁ ସ୍ଵାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଘୋଷଣା କରିଥିଲେ। ଏହାପରେ ମାଲକାନଗିରି ଯାଇ ସେଠାରୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ। ତେଣୁ ପଞ୍ଚାୟତ ନିର୍ବାଚନରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ଦଳ ପାଇଁ ଭୋଟ୍‌ବ୍ୟାଙ୍କ ହେବ ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ସେହିପରି ରାଜ୍ୟରେ ୮୯ଟି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା ଯୁବ ଭୋଟ୍ ହାତେଇବାକୁ ଦଳ ଯୋଜନା ରଖିଛି। ଏଥିସହ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗରୁ ୨୭ ପ୍ରତିଶତ ପ୍ରାର୍ଥୀ ଦେଇ ଓବିସି ଭୋଟ୍ ଦଖଲ କରିବ ବିଜେଡି।

ପଦ୍ମ ଫୁଟାଇବାକୁ ବିଜେପି ଲୋଡ଼ିବ ଜନ ଆଶୀର୍ବାଦ

ବିଜେଡି ପରି ବିଜେପି ମଧ୍ୟ ପଞ୍ଚାୟତ ଭୋଟ୍‌ ପାଇଁ କସରତ୍ ଆରମ୍ଭ କରିଦେଇଛି। ପଞ୍ଚାୟତ ନିର୍ବାଚନରେ ପଦ୍ମ ଫୁଟାଇ ୨୦୨୪କୁ ଦଳ ପାଇଁ ବାଟ ଖୋଲିବାକୁ ରଣନୀତି କରିଛି ବିଜେପି। ଏଥିପାଇଁ ଗୁରୁବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସି ଜନ ଆଶୀର୍ବାଦ ଯାତ୍ରାର ଆରମ୍ଭ କରିଛନ୍ତି। ଏହି ୪ ଦିନିଆ ଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ସେଠାରେ କେନ୍ଦ୍ର ସରକାର ପ୍ରଦତ୍ତ ଯୋଜନା ଏବଂ ତା’ ଦ୍ଵାରା ଜନସାଧାରଣ କିପରି ଲାଭ ପାଇପାରୁଛନ୍ତି ସେ ବାବଦରେ ଲୋକଙ୍କୁ ଜଣାଇବେ। ତୃଣମୂଳ ସ୍ତରରେ ଲୋକଙ୍କ ସହ ଯୋଡ଼ିହୋଇ ପଞ୍ଚାୟତ ଭୋଟ୍ ପାଇଁ ଆଶୀର୍ବାଦ ମାଗିଥିଲେ।

୨୦୧୭ ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ବିଜେପିକୁ ଭଲ ଆଶୀର୍ବାଦ ଦେଇଥିଲେ। ତେଣୁ ଆଗାମୀ ଭୋଟ୍‌ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ରହିଛି।ସ୍ଥାନୀୟ ପ୍ରସଙ୍ଗ ନେଇ ଜନତାମୁହାଁ କଂଗ୍ରେସ

ପଞ୍ଚାୟତ ଭୋଟ୍ ପାଇଁ କଂଗ୍ରେସ ମଧ୍ୟ ଆଗୁଆ ରଣନୀତି କରି ସାରିଛି। ଏଥର ପଞ୍ଚାୟତ ଭୋଟ୍‌ରେ ଦଳର ମୁଖ୍ୟ ଅସ୍ତ୍ର ହେବ ସ୍ଥାନୀୟ ପ୍ରସଙ୍ଗ। ଏଥିଲାଗି ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ସ୍ଵତନ୍ତ୍ର କମିଟି ଗଠନ କରୁଛି ଦଳ। ଏହି କମିଟି ଗାଁ ସ୍ତରରେ ଦଳକୁ ମଜଭୁତ କରିବ, ଜନତାଙ୍କୁ କଂଗ୍ରେସମୁହାଁ କରିବ ବୋଲି ଦଳର ଜଣେ କର୍ମୀ କହିଛନ୍ତି। ସେହିପରି ଆଗକୁ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓଡ଼ିଶା ଆସି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ। ତେଣୁ ଏଥର ପଞ୍ଚାୟତ ଭୋଟ୍‌ରେ ଭଲ ପ୍ରଦର୍ଶନ ହେବ ବୋଲି କଂଗ୍ରେସ ଆଶାବାଦୀ ରହିଛି।

Comment