ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦୀର୍ଘ ଦିନର ବ୍ୟବଧାନ ପରେ ଜାତି ରାଜନୀତି ପୁଣି ସାମ୍ନାକୁ ଆସିଛି। ସମଗ୍ର ଦେଶରେ ଓବିସିଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଓଡ଼ିଶାରେ ଶାସକ ଦଳ ବିଜେଡି ମଧ୍ୟ ଦେଢ଼ ବର୍ଷ ପୁରୁଣା ତାର ଜାତିଭିତ୍ତିକ ଜନଗଣନା ଦାବିକୁ ଦୋହରାଇଛି। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ପଛୁଆ ବର୍ଗଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ବିଜେଡିର ଏହା ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।ମଙ୍ଗଳବାର ବିଜେଡି ଦଳୀୟ କାର୍ଯ୍ୟାଳୟରେ ଦଳର ଦୁଇ ବରିଷ୍ଠ ନେତା ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ମନ୍ତ୍ରୀ ଅରୁଣ କୁମାର ସାହୁ ସାମ୍ଵାଦିକ ସମ୍ମିଳନୀ କରି ଜାତିଭିତ୍ତିକ ଜନଗଣନା ଦାବି ଦୋହରାଇଛନ୍ତି। ଜାତିଭିତ୍ତିକ ଜନଗଣନା ନହେବା ଦ୍ୱାରା ପଛୁଆବର୍ଗଙ୍କ ବିକାଶ ହୋଇପାରୁନାହିଁ ବୋଲି ସେମାନେ କହିଛନ୍ତି।

ଦେଶରେ ଜାତିଭିତ୍ତିରେ ଜନଗଣନା କରିବାକୁ ଅନ୍ୟ ରାଜନୈତିକ ଦଳମାନେ ମଧ୍ୟ ବିଜେଡି ସହ ଏହି ଲଢ଼େଇରେ ସାମିଲ ହେବାକୁ ଅପିଲ କରିଛି ବିଜେଡି। ଯଦି କୌଣସି ଦଳ ଏହି ଲଢେଇରେ ସାମିଲ ନ ହୁଅନ୍ତି ତେବେ ଏକାକୀ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଏନେଇ ସ୍ୱର ଉଠାଇବ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।ଜାତିଭିତ୍ତିରେ ଜନଗଣନା ପାଇଁ ପୂର୍ବରୁ ଦାବି କରିଥିଲା ବିଜେଡି

ଜାତିଭିତ୍ତିରେ ଜନଗଣନା କରିବାକୁ ୨୦୨୦ରେ ବିଜେଡି କେନ୍ଦ୍ର ପାଖରେ ଦାବି କରିଥିଲା। ହେଲେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜି ହୋଇ ନଥିଲେ। ଏହାପରେ ୨୦୨୦ ଜାନୁଆରି ୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଜାତି ଭିତ୍ତିକ ଜନଗଣନା ପ୍ରସ୍ତାବ ଗୃହିତ ହୋଇଥିଲା। ଏହାର ମାସେ ପରେ ଫେବ୍ରୁଆରି ୧୨ରେ ରାଜ୍ୟରେ ଓବିସି କମିସନ ଗଠନ ହୋଇଥିଲା। ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜେ ଏହି ପ୍ରସ୍ତାବକୁ ଆଗତ କରିଥିଲେ ବୋଲି ଆଜି ସାମ୍ଵାଦିକ ସମ୍ମିଳନୀରେ ବିଜେଡି କହିଛି।ପଞ୍ଚାୟତ ନିର୍ବାଚନରେ ବିଜେଡିର ଓବିସି କାର୍ଡ

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଗୋଟିଏ ପରେ ଗୋଟିଏ କାର୍ଡ ଖେଳିବାରେ ଲାଗିଛି। ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗରୁ ୨୭ ପ୍ରତିଶତ ପ୍ରାର୍ଥୀ ଦେବା ନେଇ କିଛିଦିନ ପୂର୍ବରୁ ବିଜେଡି ଘୋଷଣା କରିଥିଲା।

Comment