ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା କାଳରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା। ପାଖାପାଖି ୨ ବର୍ଷ ହେବ ସ୍କୁଲ, କଲେଜ ବନ୍ଦ ରହିଛି। କରୋନା ସ୍ଥିତି ଦେଖି ମଝିରେ ମଝିରେ ସ୍କୁଲ, କଲେଜ ଖୋଲିଥିଲେ ମଧ୍ୟ ସେଥିରେ ବେଶୀ କିଛି ସୁଫଳ ମିଳିନାହିଁ। ଏମିତି ସ୍ଥିତିରେ ଡ୍ରପଆଉଟ୍‌ ବା ଅଧାର ପାଠ ଛାଡ଼ୁଥିବା ପିଲାଙ୍କୁ ନେଇ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। କରୋନା କାଳରେ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ହୋଇଛି। ଏମାନଙ୍କ ଭିତରେ କିଏ ଅଧାର ପାଠ ଛାଡ଼ିଛି ତ ଆଉ କିଏ ପରବର୍ତ୍ତୀ ଶ୍ରେଣୀରେ ନାଁ ଲେଖାଇ ନାହିଁ।

ଗତ କିଛି ଦିନ ତଳେ ଅଧାରୁ ପାଠ ଛାଡ଼ିଥିବା କିମ୍ବା ଆଦୌ ସ୍କୁଲ ଯାଇନଥିବା ପିଲାଙ୍କ ତଥ୍ୟ ପ୍ରସ୍ତୁତ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ରେ ଦାଖଲ ତଥ୍ୟରୁ ଏହା ଜଣାପଡ଼ିଛି।

ଅନ୍ୟପଟେ ଓଡ଼ିଶାର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ହାହାକାର ଚିତ୍ର ସାମ୍ନାକୁ ଆସିଛି। କାରଣ ଡ୍ରପଆଉଟଙ୍କ ମଧ୍ୟରୁ ୬୦ ପ୍ରତିଶତ କେବଳ ଉପାନ୍ତ ଅଞ୍ଚଳର ବୋଲି ଜଣାପଡ଼ିଛି । କରୋନା ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଜିଲ୍ଲାରେ ଶିକ୍ଷାର ଖରାପ ସ୍ଥିତି ଥିଲା। ଏବେ କରୋନା ତାହାକୁ ଆହୁରି ବିଗାଡ଼ି ଦେଇଛି।

ଏମିତି ସ୍ଥିତିରେ ଆଦିବାସୀ ଓ ଉପାନ୍ତ ଅଞ୍ଚଳର ପିଲାଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଦେବା ସହିତ ଯେଉଁମାନେ ପାଠପଢ଼ା ଛାଡିଛନ୍ତି ସେମାନଙ୍କୁ ସ୍କୁଲକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହେବା ଦରକାର ବୋଲି ବୁଦ୍ଧିଜୀବୀ ମହଲ ମତ ଦେଇଛି।

ସେହିପରି ପ୍ରାଥମିକ ଛାତ୍ରଛାତ୍ରୀଙ୍କ କଥା ନକହିବା ଭଲ। କାରଣ କରୋନା କାଳରେ ନବମ, ଦଶମ ଶ୍ରେଣୀ ପିଲା ମଝିରେ ମଝିରେ ସ୍କୁଲ ଆସୁଥିଲେ। କିନ୍ତୁ କରୋନା ଆରମ୍ଭରୁ ହିଁ ପ୍ରାଥମିକ ସ୍କୁଲ ପିଲା ସ୍କୁଲ ଦୁଆର ମାଡ଼ି ନାହାନ୍ତି।

ଦେଶରେ ଏବେ କରୋନା ପ୍ରକୋପ ହ୍ରାସ ପାଇଥିବାରୁ ଅଧିକାଂଶ ରାଜ୍ୟରେ ଲକଡାଉନ କୋହଳ ହେବା ସହ ଦୋକାନ, ବଜାର, ମଲ୍‌, ଧାର୍ମିକ ଅନୁଷ୍ଠାନ, ପାର୍କ, ଅଫିସ ଆଦି ଖୋଲି ସାରିଲାଣି। ଓଡ଼ିଶାରେ ସମେତ ଅନେକ ରାଜ୍ୟ ଯଥା ପୁଡୁଚେରୀ, ଲାକ୍ଷାଦ୍ୱୀପ, ଛତିଶଗଡ଼, ପଞ୍ଜାବ ଆଦିରେ ସ୍କୁଲ ବି ଖୋଲିଲାଣି। ଗତ କିଛି ସପ୍ତାହ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ସତ ହେଲେ ସମ୍ଭାବ୍ୟ  ତୃତୀୟ ଲହର କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାରମାନଙ୍କ ଚିନ୍ତା ବଢ଼ାଇ ଦେଇଛି।

ଏହି ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞମାନେ ମତପୋଷଣ କରିବା ପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ପୁଣି ଥରେ ଆଶଙ୍କା ସୃଷ୍ଟି ହୋଇଛି ।

Comment